ଗାଡ଼ି ବଜାର ସଙ୍କଟ: ୫ ଲକ୍ଷ ଚାକିରି ପ୍ରତି ବିପଦ

ନୂଆଦିଲ୍ଲୀ: ଗାଡ଼ି ବଜାରରେ ଦେଖାଦେଇଥିବା ସଙ୍କଟ ୫ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି। ବିଶେଷ କରି ବଡ଼ ଗାଡ଼ି କଂପାନିଗୁଡ଼ିକୁ ଛୋଟ ଛୋଟ ଯନ୍ତ୍ରାଂଶ ଯୋଗାଇ ଦେଉଥିବା ସଂସ୍ଥାଗୁଡ଼ିକରେ ଏହି ସବୁ କର୍ମଚାରୀ କାମ କରୁଛନ୍ତି। ଗାଡ଼ି ପାଇଁ ଯନ୍ତ୍ରାଂଶ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ଆସନ୍ତା ତିନି ମାସରେ ୫ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିପାରନ୍ତି ବୋଲି କୁହାଯାଉଛି। ବଜାରରେ କାର୍ ଓ ବାଇକ୍ ବିକ୍ରି କମିବା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଏହି ସବୁ ସଂସ୍ଥା। ସେମାନଙ୍କ ବେପାର ଏଭଳି ସ୍ତରକୁ ଖସିଆସିଛି ଯେଉଁଠାରେ ସେମାନେ କାରବାର ଚାଲୁ ରଖିବାକୁ ସଂଘର୍ଷ କରୁଛନ୍ତି। ଅନେକ କଂପାନି ନିଜର କାରଖାନାକୁ ବନ୍ଦ କରିଦେଇଛନ୍ତି। ଖର୍ଚ କମ କରିବା‌ ଲାଗି ସେମାନେ ସେଲ୍‌ସ, ଟେକ୍ନିକାଲ୍, ପେଣ୍ଟିଂ, ୱେଲଡିଂ, କାଷ୍ଟିଂ, ପ୍ରଡକ୍ସନ ଟେକ୍ନୋଲୋଜି ଓ ସର୍ଭିସ୍‌ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟା କମ କରିବା ଉପରେ ବିଚାର କରୁଛନ୍ତି।

ବିଗତ କିଛି ମାସ ଭିତରେ ଗାଡ଼ି ପାଇଁ ଯନ୍ତ୍ରାଂଶ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ୧ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ ବାଧ୍ୟ ହୋଇଥିଲେ। ଯଦି ସ୍ଥିତିରେ କୌଣସି ସୁଧାର ନହୁଏ ତେବେ ଆଗାମୀ ଦିନରେ ଆହୁରି ଛଟେଇ ହେବ ବୋଲି ଅଟୋମୋଟିଭ୍ ‌କମ୍ପୋନେଣ୍ଟସ୍‌ ମାନୁଫାକ୍‌ଚରରସ୍‌ ଆସୋସିଏସନ ଅଫ୍ ଇଣ୍ଡିଆର ଡାଇରେକ୍ଟର ଜେନେରାଲ ବିନ୍ନି ମେହତା କହିଛନ୍ତି। ନିଯୁକ୍ତି ସେବା ପ୍ରଦାନ କରୁଥିବା ଦୁଇ ସଂସ୍ଥା ଏକ୍ସଫେନୋ ଓ ଟିମ୍ ଲିଜ୍ ପକ୍ଷରୁ ଆକଳନ କରାଯାଇଛି ଯେ, ଆସନ୍ତା ୩ ମାସରେ ଅଟୋ ଯନ୍ତ୍ରାଂଶ ନିର୍ମାଣ କରୁଥିବା କଂପାନିଗୁଡ଼ିକ ୫ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିପାରନ୍ତି।ପ୍ରତିଟି ସଂସ୍ଥା ସେମାନଙ୍କ କର୍ମଚାରୀ ସଂଖ୍ୟାରେ ୧୦% ହ୍ରାସ କରିବାକୁ ଚାହୁଛନ୍ତି। ଏହି କ୍ଷେତ୍ରରେ ୫୦ ଲକ୍ଷରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଗାଡ଼ି ବଜାରରେ ସଙ୍କଟ ଗତବର୍ଷର ଦୁର୍ଗାପୂଜା ସମୟରୁ ଆରମ୍ଭ ହୋଇଥିଲା। ଆଜି ପର୍ଯ୍ୟନ୍ତ ସେଥିରେ ସୁଧାର ହୋଇପାରିନାହିଁ। ଗାଡ଼ି ବିକ୍ରି ହେଉନଥିବାରୁ ଦେଶରେ ୩୦୦ରୁ ଅଧିକ ସୋ’ରୁମ୍ ବନ୍ଦ ହୋଇଯାଇଛି। ସେହି ସୋ’ରୁମ୍‌ରେ କାମ କରୁଥିବା ଲୋକମାନେ ଜୀବିକା ହରାଇଛନ୍ତି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟ ୧୫୦୦ ଠିକା କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡ଼ିଛି। ଅଟୋମୋବାଇଲ୍ ଶିଳ୍ପ ଲାଗି ଖୁବ୍‌ଶୀଘ୍ର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବାକୁ ମହିନ୍ଦ୍ରା ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି। ଗତ ୧୦ ତାରିଖରେ ହୁଣ୍ଡାଇ ଏହାର କାରଖାନାରେ ଉତ୍ପାଦନ ବନ୍ଦ କରିଥିବା ଜଣାପଡ଼ିଛି।

ପ୍ୟାକେଜ ଘୋଷଣା କରିବେ ସରକାର
ନୂଆଦିଲ୍ଲୀ: ଗାଡ଼ି ବଜାରରେ ମାନ୍ଦାବସ୍ଥା ଯୋଗୁ କର୍ମଚାରୀ ଛଟେଇ ହେଉଥିବା ଖବରକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବହୁତ ଚିନ୍ତିତ ଥିବା ଜଣାପଡ଼ିଛି। ଏହି ମାନ୍ଦାବସ୍ଥାର ମୁକାବିଲା କରିବା ଲାଗି ଖୁବ୍‌ଶୀଘ୍ର ପ୍ୟାକେଜ୍‌ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିଚାର କରୁଛି। ଗାଡ଼ି ବଜାର ପାଇଁ ଦିଆଯିବାକୁ ଥିବା ପ୍ୟାକେଜ୍ ଏହିଭଳି ହେବ। କଂପାନିଗୁଡ଼ିକୁ ଅଧିକ ପାଣ୍ଠି ପ୍ରଦାନ କରାଯିବ, ଡିଲରମାନଙ୍କୁ ୬୦ ଦିନ ବଦଳରେ ୯୦ ଦିନର ଋଣ ଦିଆଯିବ ଏବଂ କିଛି ସମୟ ପାଇଁ ଟିକସ ଉପରେ ରିହାତି ପ୍ରଦାନ କରାଯିବା ଉପରେ ବିଚାର କରାଯାଉଛି। ମାନ୍ଦାବସ୍ଥା ଯୋଗୁ ଗାଡ଼ି କଂପାନିଗୁଡ଼ିକୁ ଯନ୍ତ୍ରାଂଶ ଯୋଗାଇ ଦେଉଥିବା ଛୋଟ ସଂସ୍ଥାଗୁଡ଼ିକର ସ୍ଥିତି ବହୁତ ଖରାପ ହୋଇଯାଇଛି। ସେମାନଙ୍କ ସ୍ଥିତି ସୁଧାରିବା ଲାଗି ଜିଏସ୍‌ଟି ହ୍ରାସ କରିବାକୁ ଦାବି ହେଉଛି। ଗାଡ଼ି ଯନ୍ତ୍ରାଂଶ ଉପରେ ୨୮% ଜିଏସ୍‌ଟି ଲଗାଯାଇଛି। ଏହାକୁ କମ୍ କରିବାକୁ ଦିଲ୍ଲୀର କିଛି ବ୍ୟବସାୟୀ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ସାକ୍ଷାତ କରି ଦାବି କରିଛନ୍ତି। ଏହା ବ୍ୟତୀତ ସ୍କ୍ରାପେଜ୍ ନୀତିକୁ ଖୁବ୍‌ଶୀଘ୍ର ଲାଗୁ କରିବାକୁ ଗାଡ଼ି କଂପାନିଗୁଡ଼ିକ ଦାବି କରିଛନ୍ତି। ମାନ୍ଦାବସ୍ଥା କାରଣରୁ ଗାଡ଼ି କଂପାନିଗୁଡ଼ିକରେ କାମ କରୁଥିବା ୧୩ ଲକ୍ଷ କର୍ମଚାରୀଙ୍କ ଚାକିରି ପ୍ରତି ବିପଦ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର