ଷ୍ଟକ୍‌ ବଜାରରେ ଝଡ଼, ହଠାତ୍‌ ୧୧୦୦ ପଏଣ୍ଟ ଖସିଗଲା ସେନ୍‌ସେକ୍ସ

ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ସଙ୍କଟର ପ୍ରଭାବ, ୪ ଦିନରେ ନିବେଶକ ହରାଇଲେ ୫.୬୬ ଲକ୍ଷ କୋଟି

ମୁମ୍ବାଇ: ବମ୍ବେ ଷ୍ଟକ ମାର୍କେଟରେ ଆଜି ବଡ଼ ଧରଣର ଅସ୍ଥିରତା ଦେଖାଦେଇଛି। ସେନ୍‌ସେକ୍ସରେ ପ୍ରାୟ ୧୫୦୦ ପଏଣ୍ଟ (୧୪୯୫ ପଏଣ୍ଟ୍‌)ର ଉତ୍‌ଥାନ ପତନ ଦେଖିବାକୁ ମିଳିଛି। କାରବାର ଆରମ୍ଭ ହେବାର କିଛି ସମୟ ପରେ ସେନ୍‌ସେକ୍ସ ହଠାତ୍‌ ପ୍ରାୟ ୧୧୦୦ ପଏଣ୍ଟ ତଳକୁ ଖସିଥିଲା। ଏଥିଯୋଗୁ ସେନ୍‌ସେକ୍ସ ଦିନର ସର୍ବନିମ୍ନ ସ୍ତର ଅର୍ଥାତ୍‌ ୩୫,୯୯୩.୬୪ ପଏଣ୍ଟକୁ ଖସିଆସିଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ବଡ଼ ଧରଣର ସୁଧାର ଆସିଥିଲା। ପ୍ରଥମେ ଯେଉଁ ବୃହତ ହ୍ରାସ ଘଟିଥିଲା ସେଥିରୁ ଅଧିକାଂଶ ପୁଣି ଭରଣା ହୋଇଯାଇଥିଲା। ତେବେ ଆଜି ଦିନର କାରବାର ଶେଷରେ ସେନ୍‌ସେକ୍ସ ୩୬,୮୪୧.୬୦ ପଏଣ୍ଟରେ ବନ୍ଦ ହୋଇଥିଲା, ଯାହାକି ଗୁରୁବାରର ଶେଷ କାରବାର ତୁଳନାରେ ୨୭୯.୬୨ ପଏଣ୍ଟ କମ୍‌। ସେହିଭଳି ନିଫ୍‌ଟିରେ ମଧ୍ୟ ଆଜି ଅସ୍ଥିରତା ପରିଲକ୍ଷିତ ହୋଇଥିଲା। ଦିନର କାରବାର ମଝିରେ ନିଫ୍‌ଟି ୧୧,୦୦୦ ପଏଣ୍ଟ ତଳକୁ ଖସି ଆସିଥିଲା। ତେବେ କାରବାର ଶେଷବେଳକୁ ଏଥିରେ କିଛିଟା ସୁଧାର ଆସି ୧୧,୧୪୩.୧୦ ପଏଣ୍ଟରେ ବନ୍ଦ ହୋଇଥିଲା, ଯାହାକି ପୂର୍ବଦିନର ଶେଷ କାରବାର ତୁଳନାରେ ୯୧.୨୫ ପଏଣ୍ଟ୍‌ କମ୍‌। ଗତ ୪ ଦିନ ହେଲା ପୁଞ୍ଜି ବଜାରରେ ଯେଉଁ ହ୍ରାସ ପରିଲକ୍ଷିତ ହୋଇଛି ତାହାଦ୍ୱାରା ନିବେଶକମାନେ ବିପୁଳ ମାତ୍ରାରେ କ୍ଷତି ସହିଛନ୍ତି। ୪ ଦିନ ଭିତରେ ନିବେଶକମାନେ ୫ ଲକ୍ଷ ୬୦ ହଜାର କୋଟି ଟଙ୍କା ହରାଇଛନ୍ତି। କମ୍ପାନି ଗୁଡ଼ିକର ବଜାର ପୁଞ୍ଜି ହ୍ରାସ ପାଇବା ଫଳରେ ନିବେଶକମାନେ ଏହି କ୍ଷତି ସହିଛନ୍ତି। ବିଶେଷକରି ଛୋଟ ଓ ମଧ୍ୟମ ଧରଣର କମ୍ପାନି ଗୁଡ଼ିକର ସେୟାର ମୂଲ୍ୟ ଅଧିକ ହ୍ରାସ ଘଟିଛି। କ୍ଷୁଦ୍ର ଶିଳ୍ପ ଗୁଡ଼ିକର ସେୟାର ମୂଲ୍ୟରେ ୩.୭ ପ୍ରତିଶତ ଏବଂ ମଧ୍ୟମ ଶିଳ୍ପର ସେୟାର ମୂଲ୍ୟରେ ୨.୫ ପ୍ରତିଶତ ହ୍ରାସ ଘଟିଛି। ପୁଞ୍ଜି ବଜାରରେ ଦେଖାଦେଇଥିବା ଏହି ହ୍ରାସ ପାଇଁ ଭିତ୍ତିଭୂମି ଅର୍ଥଯୋଗାଣକାରୀ କମ୍ପାନି ଆଇଏଲ୍‌ ଆଣ୍ଡ ଏଫ୍‌ଏସ୍‌ରେ ଦେଖାଦେଇଥିବା ଆର୍ଥିକ ସଙ୍କଟକୁ ବିଶେଷଜ୍ଞମାନେ ଦାୟୀ କରିଛନ୍ତି। ହ୍ରାସର ଏକ ବଡ଼ କାରଣ ହେଉଛି ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌। ଏହି କମ୍ପାନି ସହିତ ସମ୍ପର୍କ ଥିବା କମ୍ପାନି ଗୁଡ଼ିକ ପ୍ରଭାବିତ ହେବେ ବୋଲି ଇଣ୍ଡିଆ ଇନ୍‌ଫୋଲାଇନ୍‌ର କାର୍ଯ୍ୟନିର୍ବାହୀ ଉପସଭାପତି (ମାର୍କେଟସ୍‌ ଏବଂ କମ୍ପାନି ବ୍ୟାପାର) ସଞ୍ଜୀବ ଭାସିନ୍‌ କହିଛନ୍ତି। ଆଇଏଲ୍‌ ଆଣ୍ଡ ଏଫ୍‌ଏସ୍‌ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ନିକଟରେ ଏହି ସଂସ୍ଥା ୧୦୦ କୋଟି ଟଙ୍କା ପରିଶୋଧ କରିବାରେ ବିଫଳ ମଧ୍ୟ ହୋଇଛି। ସମ୍ପ୍ରତି ରିଜର୍ଭ ବ୍ୟାଙ୍କର ତୀକ୍ଷ୍‌ଣ ନଜରରେ ଏହି ସଂସ୍ଥା ରହିଛି। ଦେଓ୍ଵାନ ହାଉସିଂ ଫାଇନାନ୍ସ କର୍ପୋରେସନ୍‌, ଇଣ୍ଡିଆ ବୁଲ୍‌ସ ହାଉସିଂ ଫାଇନାନ୍ସ ଏବଂ କ୍ୟାନ୍‌ଫିନ୍‌ ହୋମ୍‌ସ ଭଳି ଅଣ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନିର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର