ବ୍ୟାଙ୍କ ଜମା ଉପରେ ସଙ୍କଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଆର୍ଥିକ ସମାଧାନ ଓ ଜମା ବୀମା (ଏଫ୍‌ଆର୍‌ଡିଆଇ) ବିଲ୍‌ରେ ଲୋକମାନଙ୍କ ଜମା ଟଙ୍କା ସମ୍ପର୍କରେ ଯେଉଁ ବିବାଦୀୟ ଧାରା ରହିଛି ତାହାକୁ ହଟାଇବାକୁ ଶିଳ୍ପ ସଂଘ ଆସୋଚାମ୍‌ ଦାବି କରିଛି। ଯଦି ସେହି ଧାରାକୁ ବାଦ ଦିଆନଯିବ ତେବେ ବ୍ୟାଙ୍କ ବ୍ୟବସ୍ଥା ଉପରେ ଲୋକମାନଙ୍କର ଯେଉଁ ବିଶ୍ୱାସ ରହିଛି ତାହା ଉଠିଯିବ। ଲୋକମାନେ ବ୍ୟାଙ୍କରେ ଟଙ୍କା ଜମା ରଖିବାକୁ ସୁରକ୍ଷିତ ମଣିବେ ନାହିଁ। ସେମାନେ ନିଜର କଷ୍ଟ ଉପାର୍ଜିତ ଟଙ୍କାକୁ ରିଅଲ ଇଷ୍ଟେଟ୍‌, ସୁନା, ଗହଣା ଭଳି ଅଣ ଉତ୍ପାଦକ ବ୍ୟବସ୍ଥାରେ ଜମା ରଖିବାକୁ ଚାହିଁବେ। ଅଜଣା ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ଅଣସଂଗଠିତ ଆର୍ଥିକ ବଜାର ପ୍ରତି ଲୋକମାନେ ଆକୃଷ୍ଟ ହୋଇ ଠକାମିର ଶିକାର ହୋଇପାରନ୍ତି ବୋଲି ଆସୋଚାମ୍‌ ସତର୍କ କରାଇ ଦେଇଛି।ଏଫ୍‌ଆର୍‌ଡିଆଇ ବିଲ୍‌ର ଧାରା ୫୨ର ଉପ ଧାରା ୭ ହେଉଛି ସବୁଠୁ ବିବାଦୀୟ। ଏହାକୁ ନେଇ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଦେଶର ମଧ୍ୟବିତ୍ତ ପରିବାର କଠିନ ପରିଶ୍ରମ କରି ସଞ୍ଚୟ କରୁଥିବା ଟଙ୍କାକୁ ବ୍ୟାଙ୍କରେ ଜମା ରଖୁଛନ୍ତି। ସେମାନଙ୍କ ପାଇଁ ୧ ଲକ୍ଷ ଟଙ୍କାର ବୀମା ବହୁତ କମ୍‌ ବୋଲି ଆସୋଚାମ୍‌ ପକ୍ଷରୁ କୁହାଯାଇଛି। ଆସୋଚାମ୍‌ର ସେକ୍ରେଟାରି ଜେନେରାଲ୍‌ ଡି ଏସ୍‌ ରାଓ୍ଵତ କହିଛନ୍ତି ଯେ ଏଫ୍‌ଆର୍‌ଡିଆଇ ବିଲ୍‌ରେ ‘ବେଲ୍‌-ଇନ୍‌’କୁ ନେଇ ଯେଉଁ ଧାରା ରହିଛି ତାହାକୁ ସମ୍ପୂର୍ଣ୍ଣ ହଟାଯାଉ। ଅନ୍ୟଥା ଲୋକମାନଙ୍କର ବ୍ୟାଙ୍କ ବ୍ୟବସ୍ଥା ଉପରୁ ଭରସା ଉଠିଯିବ। ସେ କହିଛନ୍ତି ଯେ ମଧ୍ୟବିତ୍ତ ପରିବାର ବିଶେଷ କରି ପେନ୍‌ସନ୍‌ଭୋଗୀ ଏବଂ ବୟସ୍କ ଲୋକମାନଙ୍କ ପାଇଁ କୌଣସି ସାମାଜିକ ନିରାପତ୍ତା ବ୍ୟବସ୍ଥା ନାହିଁ। ବ୍ୟାଙ୍କରେ ଥିବା ଜମା ରାଶି ହେଉଛି ସେମାନଙ୍କର ଏକମାତ୍ର ଆର୍ଥିକ ନିରାପତ୍ତା। ଏଫ୍‌ଆର୍‌ଡିଆଇ ବିଲ୍‌କୁ ଅଗଷ୍ଟ ମାସରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। ବର୍ତ୍ତମାନ ଯୁୁଗ୍ମ ସଂସଦୀୟ କମିଟି ଏହାର ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର