ପିଆଜ ରପ୍ତାନି କମାଇବା ପ୍ରୟାସ

ନୂଆଦିଲ୍ଲୀ: ଦେଶର ଭିତରେ ପିଆଜ ଯୋଗାଣ ଏବଂ ଉପଲବ୍ଧତା ବଢ଼ାଇବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ପିଆଜର ସର୍ବନିମ୍ନ ରପ୍ତାନି ମୂଲ୍ୟ ଧାର୍ଯ୍ୟ କରିଛନ୍ତି। କ୍ୱିଣ୍ଟାଲ୍‌ ପିଛା ୮୫୦ ଡଲାରରୁ କମ୍‌ ମୂଲ୍ୟରେ ପିଆଜ ରପ୍ତାନି କରାଯାଇପାରିବ ନାହିଁ। ୨୦୧୫ ଡିସେମ୍ବରରେ ସରକାର ପିଆଜ ରପ୍ତାନି ଉପରେ ଲଗାଇଥିବା କଟକଣା ହଟାଇ ନେଇଥିଲେ। ଏବେ ଦେଶରେ ପିଆଜର ଖୁଚୁରା ଦର ଆକାଶଛୁଆଁ ସ୍ତର ଆଡ଼କୁ ଗତି କରୁଥିବାରୁ ସରକାର ପୁଣି ଥରେ ରପ୍ତାନିକୁ ନିରୁତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଡିସେମ୍ବର ଶେଷ ପର୍ଯ୍ୟନ୍ତ ପିଆଜର ସର୍ବନିମ୍ନ ରପ୍ତାନି ମୂଲ୍ୟ ବଳବତ୍ତର ରହିବ। ପିଆଜ ରପ୍ତାନି ଦର ଧାର୍ଯ୍ୟ କରିବା ପାଇଁ ଖାଦ୍ୟ ମନ୍ତ୍ରୀ ରାମ ବିଳାସ ପାଶଓ୍ଵାନ୍‌ ଅଗଷ୍ଟରେ ବାଣିଜ୍ୟ ମନ୍ତ୍ରଣାଳୟ ନିକଟରେ ଦାବି କରିଥିଲେ। ଏହା ବ୍ୟତୀତ ରୋଷେଇ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ରପ୍ତାନି ଉପରେ ଦିଆଯାଉଥିବା ସବୁ ପ୍ରକାର ପ୍ରୋତ୍ସାହନ ହଟାଇ ନେବାକୁ ମଧ୍ୟ କହିଥିଲେ। ସ୍ଥାନୀୟ ବଜାରରେ ପିଆଜ ଯୋଗାଣ କମିଯାଇଥିବାରୁ ଦେଶର ବିଭିନ୍ନ ସ୍ଥାନରେ ପିଆଜର କିଲୋ ପିଛା ମୂଲ୍ୟ ୫୦-୬୫ ଟଙ୍କା ସ୍ତରରେ ପହଞ୍ଚିଯାଇଛି। ୨୦୦୦ ଟନ୍‌ ପିଆଜ ଆମଦାନି କରିବାକୁ ସରକାର ଏମ୍‌ଏମ୍‌ଟିସିକୁ କହିଛନ୍ତି। ଏହା ବ୍ୟତୀତ ନାଫେଡ୍‌ ଏବଂ ଏସ୍‌ଏଫ୍‌ଏସି ସ୍ଥାନୀୟ ଚାଷୀଙ୍କଠାରୁ ପିଆଜ ଖରିଦ କରି ବଜାରରେ ଉପଲବ୍ଧ କରାଇବେ। ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ୧.୨ ନିୟୁତ ଟନ୍‌ ପିଆଜ ରପ୍ତାନି ହୋଇଛି ଯାହା ଗତବର୍ଷ ସେହି ସମୟରେ ହୋଇଥିବା ରପ୍ତାନି ତୁଳନାରେ ୫୬% ଅଧିକ।

ସମ୍ବନ୍ଧିତ ଖବର