ଗାଡ଼ି କାରଖାନାରେ ଉତ୍ପାଦନ ଆରମ୍ଭ: ମାରୁତି, ହୁଣ୍ଡାଇ, ହିରୋ, ହୋଣ୍ଡା କାରଖାନା ଖୋଲିଲା

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ଦେଶର ପ୍ରମୁଖ ଗାଡ଼ି କାରଖାନାଗୁଡ଼ିକରେ ପୁଣି ଥରେ ଆଜି ଠାରୁ ଉତ୍ପାଦନ ଆରମ୍ଭ ହୋଇଛି। କରୋନା ମହାମାରୀ ଦ୍ବିତୀୟ ଲହରକୁ ନଜରରେ ରଖି କାର୍‌ ଓ ବାଇକ୍ ନିର୍ମାଣ କରୁଥିବା କଂପାନିଗୁଡ଼ିକ ଉତ୍ପାଦନ ବନ୍ଦ କରିଥିଲେ। ଏହି ସମୟରେ କାରଖାନାର ବାର୍ଷିକ ମରାମତି କାର୍ଯ୍ୟ ହାତକୁ ନେଇଥିଲେ। ସ୍ଥିତିରେ ସାମାନ୍ୟ ସୁଧାର ହେବା ପରେ ଆଜି ଠାରୁ କିିଛି କାରଖାନାରେ ଗାଡ଼ି ଉତ୍ପାଦନ ଆରମ୍ଭ କରାଯାଇଛି। ଦେଶର ଦୁଇ ବଡ଼ କାର୍‌ କଂପାନି ମାରୁତି ସୁଜୁକି ଓ ହୁଣ୍ଡାଇ ମୋଟର ଇଣ୍ଡିଆ ତରଫରୁ ଆଜିଠାରୁ ଉତ୍ପାଦନ ଆରମ୍ଭ କରାଯାଇଛି। ବାଇକ୍ ଓ ସ୍କୁଟର ଭଳି ଦୁଇ ଚକିଆ ଯାନ ନିର୍ମାଣ କରୁଥିବା ସଂସ୍ଥା ହିରୋ ମୋଟୋକର୍ପ ଓ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ ମଧ୍ୟ ଗାଡ଼ି ଉତ୍ପାଦନ ଆରମ୍ଭ କରିଛନ୍ତି। ଚଳିତ ସପ୍ତାହରେ ସୁଜୁକି ମଧ୍ୟ ଦୁଇ ଚକିଆ ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା ରଖିଛି।

ଗତ ଏପ୍ରିଲ୍‌ରେ ଦେଶରେ ଯେତିକି ଗାଡ଼ି ତିଆରି ହୋଇଥିଲା ତାହାର ୩୦-୪୦% ମେ’ ମାସରେ ତିଆରି ହେବ। କାରଣ ଏହି ମାସର ଅଧିକାଂଶ ସମୟ କାରଖାନା ବନ୍ଦ ରହିଥିଲା। ଗାଡ଼ିରେ ବ୍ୟବହାର ହେଉଥିବା ଯନ୍ତ୍ରାଂଶ ତିଆରି କରୁଥିବା କଂପାନିଗୁଡ଼ିକ ଅକ୍ସିଜେନ୍ ବ୍ୟବହାର କରିଥାନ୍ତି। କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ ଅଭାବ ଦେଖାଦେବା ପରେ ସେମାନେ ବ୍ୟବହାର କରୁଥିବା ଅକ୍ସିଜେନ୍‌କୁ ଅନ୍ୟତ୍ର ପଠାଯାଇଥିଲା। ତେଣୁ ସେମାନେ ଉତ୍ପାଦନ ବନ୍ଦ ରଖିଥିଲେ। ଯଦିଓ ଗାଡ଼ି କଂପାନିଗୁଡ଼ିକ ପୁଣି ଥରେ ଉତ୍ପାଦନ ଆରମ୍ଭ କରିଛନ୍ତି, କିନ୍ତୁ ସେମାନେ କର୍ମଚାରୀଙ୍କ ସୁରକ୍ଷା ପ୍ରତି ସର୍ବାଧିକ ଗୁରୁତ୍ବ ଦେବେ ବୋଲି କହିଛନ୍ତି। କୋଭିଡ୍‌ ପ୍ରୋଟୋକଲ୍‌କୁ ମାନି ଉତ୍ପାଦନ ଆରମ୍ଭ କରାଯିବ।

ସମ୍ବନ୍ଧିତ ଖବର