ଲାଗିଲା ଶିଳ୍ପ ଝଟ୍‌କା: କାରଖାନାରେ ଉତ୍ପାଦନ କମିଲା

୧୯ ମାସରେ ସବୁଠୁ କମ୍

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିକୁ ଏକ ବଡ଼ ଝଟ୍‌କା ଲାଗିଛି। ଦେଶର ଶିଳ୍ପ ଉତ୍ପାଦନରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ବିଗତ ୧୭ ମାସ ଭିତରେ ଶିଳ୍ପ କାରଖାନାରେ ଉତ୍ପାଦନ ସର୍ବନିମ୍ନ ସ୍ତରକୁ ଖସିଯାଇଛି। କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍ଓ) ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଶିଳ୍ପ ଅଭିବୃଦ୍ଧି ହାର ନଭେମ୍ବରରେ ୦.୫%କୁ ଖସିଯାଇଛି। ପୂର୍ବବର୍ଷ ଏହି ସମୟରେ ଏହି ଅଭିବୃଦ୍ଧି ୮.୫% ଭଳି ଉଚ୍ଚ ସ୍ତରରେ ଥିଲା। ଏହା ପୂର୍ବରୁ ୨୦୧୭ ଜୁନ୍‌ରେ ଶେଷ ଥର ପାଇଁ ଶିଳ୍ପ ଉତ୍ପାଦନ ଅଭିବୃଦ୍ଧିରେ ୦.୩% ହ୍ରାସ ଦେଖିବାକୁ ମିଳିଥିଲା। ଶିଳ୍ପ ଅଭିବୃଦ୍ଧି ସୂଚୀରେ ୭୭.୬୩% ଅବଦାନ ରଖୁଥିବା ମାନୁଫାକ୍‌ଚରିଂ କ୍ଷେତ୍ରର ଅଭିବୃଦ୍ଧିରେ ୦.୪% ହ୍ରାସ ହୋଇଛି। ଗତବର୍ଷ କିନ୍ତୁ ଏହି ସମୟରେ ଏହି କ୍ଷେତ୍ର ୧୦.୪% ଭଳି ଉଲ୍ଲେଖନୀୟ ଅଭିବୃଦ୍ଧି ସ୍ତର ହାସଲ କରିଥିଲା। ଖନନ କ୍ଷେତ୍ରର ଅଭିବୃଦ୍ଧି ହାର ୨.୭%କୁ ବଢ଼ିଛି ଯାହା ୨୦୧୭ ନଭେମ୍ବରରେ ୧.୪% ଥିଲା। ଶକ୍ତି କ୍ଷେତ୍ରର ଅଭିବୃଦ୍ଧି ହାର ୫.୧% ହୋଇଛି ଯାହା ପୂର୍ବବର୍ଷ ୩.୯% ଥିଲା।ପୁଞ୍ଜି ସାମଗ୍ରୀ (କ୍ୟାପିଟାଲ୍ ଗୁଡସ୍‌) ଉତ୍ପାଦନରେ ୩.୪% ହ୍ରାସ ହୋଇଥିବା ବଳେ ଉପଭୋକ୍ତା ସାମଗ୍ରୀ (କଞ୍ଜ୍ୟୁମର ଗୁଡସ୍‌) ଉତ୍ପାଦନରେ ୦.୬% ହ୍ରାସ ହୋଇଛି।

ସମ୍ବନ୍ଧିତ ଖବର