ମାନ୍ଦାବସ୍ଥାର ମହାପ୍ରଭାବ: କଳ କାରଖାନାରେ ଉତ୍ପାଦନ କମିଲା, ୭ ବର୍ଷରେ ସବୁଠୁ କମ୍

ସେପ୍ଟେମ୍ବରରେ ଗାଡ଼ି ବିକ୍ରି ୨୪% ହ୍ରାସ

ନୂଆଦିଲ୍ଲୀ: ଦେଶରେ ଥିବା କଳ କାରଖାନାଗୁଡ଼ିକରେ ଉତ୍ପାଦନ ଖୁବ୍‌ କମିଯାଇଛି। ଆଜି ସରକାରଙ୍କ ତରଫରୁ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ବିଗତ ସାତ ବର୍ଷ ଭିତରେ କାରଖାନାରେ ସବୁଠୁ କମ୍ ଉତ୍ପାଦନ ଅଗଷ୍ଟ ମାସରେ ହୋଇଛି। ଶେଷ ଥର ଲାଗି ୨୦୧୨ ନଭେମ୍ବରରେ ଦେଶରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଗତବର୍ଷ ଅଗଷ୍ଟରେ ଶିଳ୍ପ ଉତ୍ପାଦନ ସୂଚୀ ୪.୮% ହାରରେ ଆଗକୁ ବଢ଼ିଥିଲା। ଚଳିତବର୍ଷ ଜୁଲାଇରେ ଶିଳ୍ପ ଉତ୍ପାଦନ ସୂଚୀ ହାର ୪.୩ ପ୍ରତିଶତ ରହିଥିଲା। ମାନ୍ଦାବସ୍ଥାର ପ୍ରଭାବ ଯୋଗୁଁ ବିଭିନ୍ନ ସାମଗ୍ରୀର ଉତ୍ପାଦନ କମିଥିବା କୁହାଯାଉଛି। କ୍ୟାପିଟାଲ୍ ଗୁଡ୍‌ସ୍‌ ଓ କଞ୍ଜ୍ୟୁମର୍‌ ଗୁଡ୍‌ସ୍‌ ଉତ୍ପାଦନ ବହୁତ କମିଛି।

ଉ‌ଲ୍ଲେଖଯୋଗ୍ୟ, ଯେଉଁ ସାମଗ୍ରୀଗୁଡ଼ିକୁ ବ୍ୟବହାର କରି ଅନ୍ୟ ସାମଗ୍ରୀ ଉତ୍ପାଦନ କରାଯାଏ ତାହାକୁ କ୍ୟାପିଟାଲ୍ ଗୁଡ୍‌ସ୍‌ କୁହାଯାଏ। ଟିଭି, ଫ୍ରିଜ୍, ଏସି, ୱାସିଂ ମେସିନ୍, ମାଇକ୍ରୋୱେଭ୍ ଓଭେନ୍ ଆଦିକୁ କଞ୍ଜ୍ୟୁମର ଗୁଡ୍‌ସ୍‌ କୁହାଯାଏ। ଶିଳ୍ପ ପ୍ରତିଷ୍ଠାନ ବା କାରଖାନାଗୁଡ଼ିକରେ ହେଉଥିବା ଉତ୍ପାଦନର ସ୍ଥିତିକୁ ଏକ ସୂଚୀ ଜରିଆରେ ପ୍ରକାଶ କରାଯାଉଛି। ତାହା ହେଉଛି ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି)। ଚଳିତ ବର୍ଷ ଅଗଷ୍ଟରେ ଏହି ସୂଚୀ ବିଯୁକ୍ତାତ୍ମକ ସ୍ତରକୁ ଖସିଯାଇ -୧.୭% ହୋଇଛି। ଚଳିତ ବର୍ଷ ଅଗଷ୍ଟରେ ମାନୁଫାକ୍‌ଚରିଂ (ବିନିର୍ମାଣ) କ୍ଷେତ୍ରର ଅଭିବୃଦ୍ଧି ୧.୨% ଖସିଛି। ବିଗତ ପାଞ୍ଚ ବର୍ଷ ଭିତରେ ଏଭଳି ଖରାପ ସ୍ଥିତି ସୃଷ୍ଟି ହୋଇନଥିଲା। ଶେଷ ଥର ଲାଗି ୨୦୧୪ ଅକ୍ଟୋବରରେ ସ୍ଥିତି ଏଭଳି ଖରାପ ସ୍ତରରେ ଥିଲା। ଏହା ପରେ ସ୍ଥିତି ସୁଧୁରି ଯାଇଥିଲା। କିନ୍ତୁ ଅର୍ଥନୀତିରେ ମାନ୍ଦାବସ୍ଥାର ପ୍ରଭାବ ଥିବା କୁହାଯାଉଥିବାରୁ ପୁଣି ଥରେ ମାନୁଫାକ୍‌ଚରିଂ ଉତ୍ପାଦନ ଖସିଥିବା ଅନୁମାନ କରାଯାଉଛି। ମାନୁଫାକ୍‌ଚରିଂ କ୍ଷେତ୍ରର ଅଭିବୃଦ୍ଧି ହିସାବ ‌କରିବା ବେଳେ ୨୩ ପ୍ରକାର ଶିଳ୍ପ ବର୍ଗକୁ ବିଚାରକୁ ନିଆଯାଇଥାଏ। ଚଳିତ ବର୍ଷ ଅଗଷ୍ଟରେ ସେଥି ମଧ୍ୟରୁ ୧୫ଟି ବର୍ଗର ଉତ୍ପାଦନ ବଢ଼ିଥିବା ବେଳେ ଅନ୍ୟ ବର୍ଗଗୁଡ଼ିକରେ କମିଛି। କ୍ୟାପିଟାଲ୍ ଗୁଡ୍‌ସ୍‌ ଉତ୍ପାଦନ ୨୧% କମିଥିବା ବେଳେ କଞ୍ଜ୍ୟୁମର ଡ୍ୟୁରେବଲ୍ ଗୁଡ୍‌ସ୍‌ର ଉତ୍ପାଦନ ୯.୧% ହ୍ରାସ ପାଇଛି। ଭିତ୍ତିଭୂମି ଓ ନିର୍ମାଣ କ୍ଷେତ୍ରରେ ବ୍ୟବହାର ହେଉଥିବା ସାମଗ୍ରୀଗୁଡ଼ିକର ଉତ୍ପାଦନ ୪.୫% କମିଛି। ବିଦ୍ୟୁତ୍‌ ଉତ୍ପାଦନ ଅଭିବୃଦ୍ଧି -୦.୯% ଭଳି ବିଯୁକ୍ତାତ୍ମକ ସ୍ତରକୁ ଖସିଥିବା ବେଳେ ଖଣି କ୍ଷେତ୍ରର ଅଭିବୃଦ୍ଧି ୦.୧% ଭଳି ନଗଣ୍ୟ ସ୍ତରରେ ରହିଛି।

ସେପ୍ଟେମ୍ବରରେ ଗାଡ଼ି ବିକ୍ରି ୨୪% ହ୍ରାସ
ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଯାତ୍ରୀବାହୀ ଗାଡ଼ି ବିକ୍ରି ୨୪% ହ୍ରାସ ପାଇଛି। ଭାରତୀୟ ଗାଡ଼ି ନିର୍ମାତା ସଂଘ (ସିଆମ୍) ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଏହି ମାସରେ ଦେଶରେ ୨ ଲକ୍ଷ ୨୩ ହଜାର ୩୧୭ଟି ଯାତ୍ରୀବାହୀ ଗାଡ଼ି ବିକ୍ରି ହୋଇଛି। ବିଗତ ୧୧ ମାସ ହେଲାଣି କ୍ରମାଗତ ଭାବେ ଗାଡ଼ି ବିକ୍ରି ହ୍ରାସ ପାଉଛି। ଗତବର୍ଷ ସେପ୍ଟମ୍ବରରେ ଏହା ଠାରୁ ଯଥେଷ୍ଟ ଅଧିକ ଅର୍ଥାତ୍‌ ୨ ଲକ୍ଷ ୯୨ ହଜାର ୬୬୦ଟି ଗାଡ଼ି ବିକ୍ରି ହୋଇଥିଲା। ‌ ଦେଶ ଭିତରେ କାର୍‌ ବିକ୍ରି ୩୩.୪୦% ହ୍ରାସ ପାଇଛି। ଗତ ସେପ୍ଟେମ୍ବରରେ ୧ ଲକ୍ଷ ୩୧ ହଜାର ୧୨୪ଟି କାର୍‌ ବିକ୍ରି ହେଇଛି। ମୋଟରସାଇକଲ୍ ବିକ୍ରି ୨୩.୨୯% କମିଛି। ଦେଶ ଭିତରେ ଏହି ମାସରେ ୧୦ ଲକ୍ଷ ୪୩ ହଜାର ୬୨୪ଟି ମୋଟରସାଇକଲ୍ ବିକ୍ରି ହୋଇଛି। ବାଣିଜ୍ୟିକ କାରବାରରେ ବ୍ୟବହାର ହେଉଥିବା ଗାଡ଼ିଗୁଡ଼ିକର ବିକ୍ରି ୩୯.୦୬% ହ୍ରାସ ପାଇ ୫୮,୪୧୯ଟି ହୋଇଛି ବୋଲି ସିଆମ୍‌ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର