ଆସୁଛି ପୂଜା: କଂପାନି ଦେବେ କ୍ୟାସ୍‌ବ୍ୟାକ୍, ଷ୍ଟୋର୍‌ରୁ ମିଳିବ ଉପହାର

ଗ୍ରେଟ୍‌ ଇଷ୍ଟର୍ଣ୍ଣରେ ୪୦ରୁ ଅଧିକ କଂପାନିର ଉତ୍ପାଦ

ଭୁବନେଶ୍ବର : ଇଲେକ୍ଟ୍ରୋନିକ୍ ଓ ହୋମ୍ ଆପ୍ଲାଏନ୍‌ସେସ୍‌ ସାମଗ୍ରୀ ବିକ୍ରି କରୁଥିବା ଦେଶର ଅଗ୍ରଣୀ ସଂସ୍ଥା ହେଉଛି ଗ୍ରେଟ୍‌ ଇଷ୍ଟର୍ଣ୍ଣ। ଓଡ଼ିଶା ସମେତ ଦେଶର ୫ଟି ରାଜ୍ୟରେ କଂପାନିର ୬୫ଟି ଷ୍ଟୋର୍‌ ରହିଛି। ଓଡ଼ିଶାରେ ଏହାର ୮ଟି ଷ୍ଟୋର୍‌ ଅଛି। ୨୦୨୨ ମାର୍ଚ୍ଚ ସୁଦ୍ଧା କଂପାନି ରାଜ୍ୟରେ ଆଉ ଦୁଇଟି ନୂଆ ଷ୍ଟୋର ଖୋଲିବ। ତାହା ଅନୁଗୁଳ ଓ ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳରେ ଖୋଲିବାର ଯୋଜନା ରହିଛି ବୋଲି ଗ୍ରେଟ୍‌ ଇଷ୍ଟର୍ଣ୍ଣର ଉପସଭାପତି ପୁଲ୍‌କିତ୍ ବୈଦ୍‌ କହିଛନ୍ତି। ସାରା ଦେଶରେ କଂପାନି ୧୦ଟି ନୂଆ ଷ୍ଟୋର ଖୋଲିବାକୁ ଯୋଜନା ରଖିଛି। ସେଥିରୁ ୫ଟି ପଶ୍ଚିମବଙ୍ଗ, ୨ଟି ଉତ୍ତରପ୍ରଦେଶ ଓ ତିନିଟି ରାଜସ୍ଥାନରେ ଖୋଲିବ।

‘ସମ୍ବାଦ’ ସହ ସ୍ବତନ୍ତ୍ର ଆଲୋଚନା କରି ସେ କହିଛନ୍ତି ଯେ ଆମେ ବଡ଼ ଷ୍ଟୋର୍‌ ଖୋଲି ସେଥିରେ ଗ୍ରାହକଙ୍କୁ ଭିନ୍ନ ପ୍ରକାର ଅନୁଭୂତି ପ୍ରଦାନ କରୁଛୁ। ଆମ ‌ଷ୍ଟୋର୍‌ଗୁଡ଼ିକ ସର୍ବନିମ୍ନ ୫୦୦୦ ଓ ହାରାହାରି ଭାବେ ୧୦ ହଜାର ବର୍ଗଫୁଟରେ ସ୍ଥାପନ କରାଯାଇଛି। ଆମ ସହିତ ଏଲ୍‌ଜି, ସାମସଙ୍ଗ୍, ସୋନି, ହ୍ବିର୍ଲପୁଲ୍ ଭଳି ୪୦ରୁ ଅଧିକ ବ୍ରାଣ୍ଡ୍‌ ରହିଛନ୍ତି। ୱାନ୍‌ପ୍ଲସ୍‌ ଓ ଟିସିଏଲ୍ ଭଳି ନୂଆ ବ୍ରାଣ୍ଡ୍‌ ଆମ ସହିତ ଯୋଡ଼ି ହୋଇ ସେମାନଙ୍କ ଉତ୍ପାଦ ବିକ୍ରି କରୁଛନ୍ତି। ଟିଭି, ଫ୍ରିଜ୍, ଏସି ଭଳି ମୋଟ ୧୨ ପ୍ରକାର ସାମଗ୍ରୀ ଗ୍ରେଟ୍‌ ଇଷ୍ଟର୍ଣ୍ଣ ବିକ୍ରି କରୁଛି ବୋଲି ସେ କହିଛନ୍ତି।

ଉତ୍ସବ ସମୟ ବଜାର ସ୍ଥିତିର ଅନୁମାନ ଲଗାଇ ସେ କହିଛନ୍ତି ଯେ ଷ୍ଟୋର୍‌କୁ ଅଧିକ ଗ୍ରାହକ ଆସୁଛନ୍ତି ଓ କିଣାକିଣି କରୁଛନ୍ତି। ମହାମାରୀ ପୂର୍ବ ସମୟ ତୁଳନାରେ ଷ୍ଟୋର୍‌କୁ ଆସୁଥିବା ଗ୍ରାହକଙ୍କ ସ୍ଥିତିରେ ୭୫% ସୁଧାର ହୋଇଗଲାଣି। ପୂଜା ସମୟରେ ସମ୍ପୂର୍ଣ୍ଣ ସୁଧାର ହେବ ବୋଲି ଆଶା କରାଯାଉଛି। ଉତ୍ସବ ସମୟରେ ଗ୍ରାହକମାନେ ଅଧିକ ଟିଭି ଓ ଆପ୍ଲାଏନ୍‌ସେସ୍‌ କିଣିଥାନ୍ତି। ଏବେ ଟିଭି, ମୋବାଇଲ୍ ଫୋନ୍ ଓ ଲାପ୍‌ଟପ୍‌ର ଅଧିକ ଚାହିଦା ରହିଛି। ମହାମାରୀ ପରେ ଡିସ୍‌ୱାସର (ବାସନ ମାଜିବା ମେସିନ) ଚାହିଦା ମଧ୍ୟ ବଢ଼ିଛି। ଏହା ୨୨-୩୦ ହଜାର ଟଙ୍କା ଭଳି ଦାମ୍‌ରେ ବିକ୍ରି ହେଉଛି। ତେଣୁ ଏକ ନିର୍ଦିଷ୍ଟ ବର୍ଗର ଗ୍ରାହକ ଏହାକୁ କିଣୁଛନ୍ତି ବୋଲି ସେ କହିଛନ୍ତି। ପୂଜା ସମୟର ଅଫର ବିଷୟରେ ଆଲୋଚନା କରି ‌ଶ୍ରୀ ବୈଦ କହିଛନ୍ତି ଯେ ପୂର୍ବବର୍ଷଗୁଡ଼ିକରେ ପୂଜା ସମୟରେ ଗ୍ରାହକମାନେ ଡବଲ୍‌ ଉପହାର ପାଉଥିଲେ। କଂପାନି ନିଜ ଆଡ଼ୁ ଏକ ଉପହାର ଦେଉଥିଲା ଏବଂ ଡିଲର୍‌ ମଧ୍ୟ ଅଲଗା ଉପହାର ଦେଉଥିଲା। ଏଥର କିନ୍ତୁ କଂପାନିଗୁଡ଼ିକ କୌଣସି ଉପହାର ଘୋଷଣା କରୁନାହାନ୍ତି। ସେମାନେ କ୍ୟାସ୍‌ବ୍ୟାକ୍ ଜରିଆରେ ଗ୍ରାହକଙ୍କୁ ଲାଭ ପ୍ରଦାନ କରୁଛନ୍ତି। ତେଣୁ ଏବର୍ଷ ଗ୍ରାହକମାନେ କିଣାକିଣି କଲେ କଂପାନି ଠାରୁ କ୍ୟାସ୍‌ବ୍ୟାକ୍ ପାଇବେ ଓ ଷ୍ଟୋର୍‌ଗୁଡ଼ିକ ପୂର୍ବରୁ ଯେଭଳି ଉପହାର ଦେଉଥିଲେ ସେହି ପରମ୍ପରା ବଜାୟ ରଖିବେ। ଉପହାର ଭାବେ ଟ୍ରଲି ବ୍ୟାଗ୍, ହେଡ୍‌ସେଟ୍, ମାଇକ୍ରୋଓଭେନ୍ ଆଦି ମିଳିବ ବୋଲି ସେ କହିଛନ୍ତି।

ଅନ୍‌ଲାଇନ୍ କାରବାର ସମ୍ପର୍କରେ ସେ କହିଛନ୍ତି ଯେ ଛଅ ମାସ ପୂର୍ବେ ଆମେ ଆମର ଅନ୍‌ଲାଇନ୍ ପୋର୍ଟାଲ୍ ଆରମ୍ଭ କରିଥିଲୁ। ଦୈନିକ ୭୦୦-୮୦୦ ଲୋକ ତାହା ପରିଦର୍ଶନ କରୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ହାତଗଣିତ ଗ୍ରାହକ ଅନଲାଇନ୍‌ରେ ବରାଦ ଦେଉଛନ୍ତି। ଏବେ ୩୦-୩୫ ହଜାର ଟଙ୍କାର ସାମଗ୍ରୀ ଲାଗି ଅନ୍‌ଲାଇନ୍ ବରାଦ ଆସୁଛି। ଦାମୀ ଜିନିଷ ପାଇଁ ବରାଦ ଆସିନାହିଁ। ଗ୍ରେଟ୍‌ ଇଷ୍ଟର୍ଣ୍ଣ ନିଷ୍ପତ୍ତି ନେଇଛି ଯେ ଏହା ଗ୍ରାହକଙ୍କୁ ସମାନ ମୂଲ୍ୟ ପ୍ରଦାନ କରିବ। ଉଭୟ ଅନ୍‌ଲାଇନ୍ ଓ ଷ୍ଟୋର୍‌ରେ ସାମଗ୍ରୀର ମୂଲ୍ୟ ସମାନ ରହିବ। ଦରକାର ପଡ଼ିଲେ ଷ୍ଟୋର୍‌ରେ କମ୍ ଦାମ୍‌ରେ ସାମଗ୍ରୀ ବିକ୍ରି କରାଯିବ ବୋଲି ସେ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ କଂପାନି ବିକ୍ରିରେ ୪୦% ବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର