ଭୁବନେଶ୍ବର: ମହୀଶୂର ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ଡକ୍ଟର ମହାଦେବ ଏଏସ୍‌ବିଏମ୍ ବିଶ୍ବବିଦ୍ୟାଳୟର ଦ୍ବିତୀୟ କୁଳପତି ଭାବେ ନିଯୁକ୍ତି ପାଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କୁଳପତି ଚୟନ କମିଟି ଓ ଏଏସ୍‌ବିଏମ୍ ବିଶ୍ବବିଦ୍ୟାଳୟର ଅନୁମୋଦନ କ୍ରମେ ବିଶ୍ବବିଦ୍ୟାଳୟର କୁଳାଧକ୍ଷ ପ୍ରଫେସର୍ ବିଶ୍ୱଜିତ୍ ପଟ୍ଟନାୟକ ଡକ୍ଟର୍ ମହାଦେବଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ପ୍ରଫେସର୍ ମହାଦେବ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଜବାହରଲାଲ ନେହେରୁ ବିଶ୍ୱିଦ୍ୟାଳୟରୁ ଇଂରାଜୀ ଭାଷା ଓ ସାହିତ୍ୟରେ ଏମ୍‌ଫିଲ୍‌ ଓ ପିଏଚ୍‌ଡି ହାସଲ କରିଛନ୍ତି। ମହୀଶୂର ବିଶ୍ବବିଦ୍ୟାଳୟରେ ଦୀର୍ଘ ୩୩ ବର୍ଷର ଅଧ୍ୟାପନା କାଳରେ ସେ ଦୁଇ ଦଶନ୍ଧିରୁ ଅଧିକ ସମୟ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ସେହି ସମୟରେ ସେ ସିଣ୍ଡିକେଟ ସଦସ୍ୟ, ଡିନ୍‌ ଓ ବିଭାଗୀୟ ମୁଖ୍ୟ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ଯ୍ୟ କରିଛନ୍ତି। ତାଙ୍କ ତତ୍ତ୍ଵାବଧାନରେ ୧୪ ଜଣ ଗବେଷକ ପିଏଚ୍‌ଡି ହାସଲ କରିଛନ୍ତି। ଇଂରାଜୀ ଓ କନ୍ନଡ଼ ଭାଷା ସାହିତ୍ୟ ଉପରେ ଅନେକ କାମ କରିଛନ୍ତି। ଏହି ନିଯୁକ୍ତି ପାଇଁ ବିଶ୍ବବିଦ୍ୟାଳୟର କୁଳାଧକ୍ଷ ପ୍ରଫେସର୍ ମହାଦେବଙ୍କୁ ଅଭିନନ୍ଦନ ଜଣାଇଛନ୍ତି।