ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର କମିବା ସତ୍ତ୍ବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଉନାହିଁ । ଏକ ରିପୋର୍ଟ ଅନୁସାରେ ରାଷ୍ଟ୍ରାୟତ୍ତ ତେଲ କମ୍ପାନି ମାନେ ଏବେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୦ ଟଙ୍କା ଲେଖାଏଁ ଲାଭ କରୁଛନ୍ତି । ତେବେ ଏହା ସତ୍ତ୍ବେ କମ୍ପାନିମାନେ ଦର କମାଉ ନାହାନ୍ତି କାହିଁକି ?

Advertisment

କେତେକ ବିଶେଷଜ୍ଞଙ୍କ ମତରେ, ଗତ ବର୍ଷ ତେଲ କମ୍ପାନିମାନେ ସହିଥିବା କ୍ଷତି ଭରଣା କରିବାକୁ ଏବେ ଦର କମାଯାଉନାହିଁ । ଦେଶର ତିନି ରାଷ୍ଟ୍ରାୟତ୍ତ କମ୍ପାନି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଗତ ୧୫ ମାସ ହେଲା ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି ।

ଗତ ବର୍ଷ ଜୁନ ମାସ ବେଳକୁ ବିଶ୍ବ ବଜାରରେ ତେଲ ଦର ବ୍ୟାରେଲ ପିଛା ୧୨୦ ଡଲାର ଟପିଯାଇଥିଲା । ସେତେବେଳେ ଭାରତୀୟ ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୧୭ ଟଙ୍କା ଓ ଡିଜେଲ ଲିଟର ପିଛା ୨୭.୭ ଟଙ୍କା ପର୍ୟ୍ୟନ୍ତ କ୍ଷତି ସହିଥିଲେ । କିନ୍ତୁ ଏବେ ଅଶୋଧିତ ତେଲଦର ବ୍ୟାରେଲ ପିଛା ୭୬ ଡଲାରକୁ ଖସିଆସିଛି । ଏହା ଫଳରେ ତେଲ କମ୍ପାନିମାନେ ନିଜର ପୂର୍ବ କ୍ଷତି ଭରଣା କରିବାକୁ ସୁଯୋଗ ପାଇଛନ୍ତି ।