ନୂଆଦିଲ୍ଲୀ: ରୁଷ୍‌ରୁ ରିହାତି ଦାମ୍‌ରେ ବିପୁଳ ତେଲ କିଣୁଥିବା ତେଲ କଂପାନିଗୁଡ଼ିକ ବହୁ ସମୟ ପରେ ଡିଜେଲ୍‌ ବିକ୍ରିରେ ଲାଭ କରିବା ଆରମ୍ଭ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ କଂପାନିଗୁଡ଼ିକର ପ୍ରତି ଲିଟର ଡିଜେଲ୍ ବିକ୍ରି ପିଛା ୫୦ ପଇସା ଲେଖାଏଁ ଲାଭ ହୋଇଛି। ପନ୍ଦର ମାସ ବ୍ୟବଧାନ ପରେ ଡିଜେଲ୍‌ ବିକ୍ରିରେ କଂପାନିଗୁଡ଼ିକ ଲାଭ କରିଛନ୍ତି। ୨୦୨୨ ଜାନୁଆରି-ମାର୍ଚ୍ଚରେ ଡିଜେଲ୍ ବିକ୍ରିରେ ୨ ଟଙ୍କା ୬୦ ପଇସା କ୍ଷତି ହେଉଥିଲା। ସେହିବର୍ଷ ରୁଷ୍‌-ୟୁ‌କ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ଜୁଲାଇ-ସେପ୍ଟେମ୍ବରରେ ଡିଜେଲ୍‌ ବିକ୍ରି କ୍ଷତି ଲିଟର ପିଛା ୧୦ ଟଙ୍କା ଏବଂ ଜୁଲାଇ-ସେପ୍ଟେମ୍ବରରେ ୧୨ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଥିଲା। ଅକ୍ଟୋବର-ଡିସେମ୍ବରରେ ସେହି କ୍ଷତି ୬ ଟଙ୍କା ୫୦ ପଇସାକୁ ହ୍ରାସ ପାଇଥିଲା। ୨୦୨୩ ଆରମ୍ଭରୁ ତେଲ କଂପାନିଗୁଡ଼ିକ ଡିଜେଲ୍‌ରେ ଲାଭ କରିବା ଆରମ୍ଭ କରିଛନ୍ତି।

Advertisment

୨୦୨୩ ଜାନୁଆରି ବେଳକୁ ପେଟ୍ରୋଲ୍ ଲିଟର ପିଛା ତେଲ କଂପାନିଗୁଡ଼ିକ ୧୦ ଟଙ୍କା ଲାଭ କରୁଥିଲେ। ଏଥି ସହିତ ଡିଜେଲ୍‌ ବିକ୍ରିରେ ମଧ୍ୟ ଲାଭ କରୁଛନ୍ତି। ତଥାପି ସେମାନେ ଉଭୟ ତେଲର ଖୁଚୁରା ଦାମ୍ କମ୍ କରୁନାହାନ୍ତି। ଗତବର୍ଷ ମଧ୍ୟ ଭାଗରୁ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍ ଗୋଟିଏ ସ୍ଥାନରେ ସ୍ଥିର ‌ହୋଇଯାଇଛି। ଇତି ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇବା ସତ୍ତ୍ବେ କଂପାନିଗୁଡ଼ିକ ତେଲ ଦାମ୍ କମ୍ କରୁନାହାନ୍ତି। ସେଥିପାଇଁ ସୁଲଭ ମୂଲ୍ୟରେ ତେଲ କିଣିବାରୁ ସାଧାରଣ ଲୋକମାନେ ବଞ୍ଚିତ ହୋଇଛନ୍ତି। କିଛି ଦିନ ପୂର୍ବେ କୁହାଯାଉଥିଲା ଯେ ଡିଜେଲ୍‌ରେ ହେଉଥିବା କ୍ଷତି ସମ୍ପୂର୍ଣ୍ଣ ଭରଣା ହେବା ପରେ ‌ତେଲ କଂପାନିଗୁଡ଼ିକ ‌ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ କମ୍ କରିପାରନ୍ତି। ଭାରତ ନିଜ ୮୫ ପ୍ରତିଶତ ତୈଳ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଛି। ଡଲାରରେ ତେଲ କିଣିବାକୁ ପଡ଼ୁଛି। ଅଶୋଧିତ ତେଲର ବ୍ୟାରେଲ ପିଛା ଦାମ୍ ୮୦-୮୫ ଡଲାର ମଧ୍ୟରେ ରହିଛି। ସେହି ସମୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧-୮୨ ଟଙ୍କା ରହିଛି। ଉଭୟ ବିଷୟ ବିଚାରକୁ ନେଇ ତେଲ ଦର ନିର୍ଧାରଣ କରାଯାଉଛି।

ତେବେ ନିକଟରେ ଓପେକ୍ ରାଷ୍ଟ୍ର ସମୂହ ଓ ରୁଷ୍‌ ତେଲ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେବା ପରେ ଅଶୋଧିତ ତୈଳ ଦାମ୍‌ରେ ୫ ଡଲାର ପାଖାପାଖି ବୃଦ୍ଧି ଘଟିଛି। ଖୁବ୍‌ଶୀଘ୍ର ଦାମ୍ ୧୦୦ ଡଲାର ଟପିଯିବ ବୋଲି ଆଶଙ୍କା କରାଯାଉଛି। ଯଦି ସେଭଳି କିଛି ଘଟଣା ଘଟିବ ତେବେ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ତେଲ କିଣିବାର ସୁଯୋଗ ଆଉ ମିଳିନପାରେ। କିନ୍ତୁ ଦୀର୍ଘଦିନ ପର୍ଯ୍ୟନ୍ତ ତେଲ ଦାମ୍ ଗୋଟିଏ ସ୍ତରରେ ସ୍ଥିର ରହିଲେ ଖୁବ୍‌ଶୀଘ୍ର ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍ ହ୍ରାସ ପାଇବାର ସମ୍ଭାବନା ସୃଷ୍ଟି ହୋଇପାରିବ।