ଇସ୍ପାତଠାରୁ କାର୍‌ ପର୍ଯ୍ୟନ୍ତ ସବୁ ମହଙ୍ଗା ଚାହିଦାର ଫାଇଦା ଉଠାଇଛନ୍ତି କମ୍ପାନି

ନୂଆଦିଲ୍ଲୀ: ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଭଳି ଦୁଇଟି ଦୁଇଟି ପଦକ୍ଷେପ ଯୋଗୁଁ ଅର୍ଥନୀତିରେ ଯେଉଁ ମନ୍ଥରତା ପୂର୍ବରୁ ଦେଖାଦେଇଥିଲା ସେଥିରେ ଏବେ ସୁଧାର ଆସିଛି। ଲୋକଙ୍କ ଚାହିଦା ବଢ଼ିବାରେ ଲାଗିଛି। ଚାହିଦା ବୃଦ୍ଧିର ଫାଇଦା କମ୍ପାନି ଗୁଡ଼ିକ ନେବାରେ ଲାଗିଛନ୍ତି। କାର୍‌ ନିର୍ମାତାଙ୍କଠାରୁ ଆରମ୍ଭ କରି ବିଭିନ୍ନ ଖାଉଟି ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନି ଦରଦାମ ବଢ଼ାଇବା ଆରମ୍ଭ କରିଦେଇଛନ୍ତି। ଦରଦାମ ବଢ଼ାଇ କମ୍ପାନି ଗୁଡ଼ିକ ଲାଭ ଗୋଟାଇବା ଫଳରେ ଦେଶରେ ଏହା ମୁଦ୍ରାସ୍ଫୀତିକୁ ଉପରମୁହାଁ କରୁଛି। ବିଶେଷକରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ଫଳରେ ମୁଦ୍ରାସ୍ଫୀତି ଉପରେ ଅଧିକ ଚାପ ସୃଷ୍ଟି ହୋଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୨୦୦ଟିରୁ ଅଧିକ ଛୋଟ ଏବଂ ବଡ଼ କମ୍ପାନିକୁ ନେଇ କରାଯାଇଥିବା ଏକ ଅନୁଧ୍ୟାନରୁ ଏହି ବିଷୟ ପଦାକୁ ଆସିଛି। ବିଭିନ୍ନ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ କମ୍ପାନି ଗୁଡ଼ିକ ନିର୍ମାଣ କରୁଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧି କରୁଛନ୍ତି। ଲଣ୍ଡନ୍‌ର କିଙ୍ଗ୍‌ସ କଲେଜରେ ଅନ୍ତର୍ଜାତୀୟ ବ୍ୟାପାରର ପ୍ରାଧ୍ୟାପକ ହର୍ଷ ପନ୍ତ କୁହନ୍ତି, ଭାରତୀୟ ଅର୍ଥନୀତି ବିଗତ ଦିନରେ ସମ୍ମୁଖୀନ ହୋଇଥିବା ଜଟିଳ ପରିସ୍ଥିତିରୁ ଏବେ ମୁକ୍ତ ହୋଇ ଯାଇଥିବା ଅନୁଭୂତ ହେଉଛି। ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ ହେବା ଅର୍ଥ ଗ୍ରାହକଙ୍କ ମଧ୍ୟରେ ଥିବା ବିଶ୍ୱାସରେ ଉନ୍ନତି ଆସିଛି। କମ୍ପାନି ଗୁଡ଼ିକ ଦରଦାମ ବୃଦ୍ଧି ପାଇଁ ନିଷ୍ପତ୍ତି ନେଉଥିବାରୁ ଏହା ପ୍ରତିଫଳିତ ହେଉଛି ବୋଲି ସେ କହିଛନ୍ତି। ଚଳିତ ବର୍ଷର ଅଧିକାଂଶ ମାସରେ ଦେଶରେ ଦୁଇ ଅଙ୍କ ବିଶିଷ୍ଟ ଦୁଇ ଚକିଆ ଯାନ ବିକ୍ରି ହେଉଛି। ଫଳରେ ଅନେକ ଅଟୋମୋବାଇଲ କମ୍ପାନି ଦରଦାମ ବୃଦ୍ଧି କରିଥିବା ବେଳେ ଆଗାମୀ ଦିନରେ ଆଉ କେତେକ କମ୍ପାନି ଦରଦାମ ବଢ଼ାଇବା ଯୋଜନା ରଖିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଇସ୍ପାତ ଦର ବୃଦ୍ଧି ପାଇଥିବାରୁ ଦେଶରେ ସେଲ୍‌ଠାରୁ ଆରମ୍ଭ କରି କେତେକ ଘରୋଇ କମ୍ପାନି ଚଳିତ ବର୍ଷ ୮ରୁ ୧୦ ପ୍ରତିଶତ ଦର ବୃଦ୍ଧିର ସୁଯୋଗ ପାଇଛନ୍ତି। ଏଫ୍‌ଏମ୍‌ସିଜି କମ୍ପାନି ଗୁଡ଼ିକ ମଧ୍ୟ ଅନେକ ସାମଗ୍ରୀର ଦରଦାମ ବଢ଼ାଇ ସାରିଛନ୍ତି।

ସମ୍ବନ୍ଧିତ ଖବର