ସଡ଼କ ପରିବହନ, ରେଳବାଇ ଓ ପେଟ୍ରୋଲିୟମ୍ କ୍ଷେତ୍ରର ପ୍ରକଳ୍ପ କାର୍ଯ୍ୟ ବିଳମ୍ବ, ଖର୍ଚ୍ଚରେ ବୃଦ୍ଧି

ନୂଆଦିଲ୍ଲୀ : ସଡ଼କ ପରିବହନ ଓ ରାଜପଥ, ରେଳବାଇ ଏବଂ ପେଟ୍ରୋଲିୟମ୍ କ୍ଷେତ୍ରର ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ଅଧିକ ସମୟ ଲାଗୁଛି। ସଡ଼କ ପ୍ରକଳ୍ପ କାମ ସାରିବାକୁ ସର୍ବାଧିକ ବିଳମ୍ବ ହେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ସଡ଼କ ଓ ରାଜପଥ କ୍ଷେତ୍ରରେ ୮୩୫ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିବା ବେଳେ ସେଥିରୁ ୨୬୨ଟିର କାର୍ଯ୍ୟ ବିଳମ୍ବରେ ଚାଲିଛି। ରେଳବାଇର ୧୭୩ଟି ପ୍ରକଳ୍ପ ମଧ୍ୟରୁ ୧୧୫ଟିର କାର୍ଯ୍ୟ ବିଳମ୍ବ ହୋଇଛି। ପେଟ୍ରୋଲିୟମ୍ କ୍ଷେତ୍ରରେ ୧୪୦ଟି ପ୍ରକଳ୍ପ ମଧ୍ୟରୁ ୮୯ଟିର କାର୍ଯ୍ୟ ବିଳମ୍ବ ହୋଇଛି। ଦେଶରେ ୧୫୦ କୋଟି ଟଙ୍କାରୁ ଅଧିକ ନିବେଶରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି ଉପରେ ଭିତ୍ତିଭୂମି ଓ ପ୍ରକଳ୍ପ ନିରୀକ୍ଷଣ ଡିଭିଜନ (ଆଇପିଏମ୍‌ଡି) ନଜର ରଖିଛି। ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ଅଗ୍ରଗତି ସମ୍ପର୍କରେ ଅନଲାଇନ୍ କମ୍ପ୍ୟୁଟରୀକୃତ ବ୍ୟବସ୍ଥ‌ାରେ ତଥ୍ୟ ପ୍ରଦାନ କରୁଛନ୍ତି। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ଅଧୀନରେ ଏହି ଡିଭିଜନ କାମ କରୁଛି।

ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହେବା କାରଣରୁ ସେଥିରେ ହେଉଥିବା ଖର୍ଚ୍ଚ ବୃଦ୍ଧି ପାଉଛି। ସଡ଼କ ପରିବହନ ଓ ରାଜପଥ କ୍ଷେତ୍ରର ୮୩୫ ପ୍ରକଳ୍ପ ଲାଗି ୪,୯୪,୩୦୦.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଅଧିକାଂଶ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହୋଇଥିବାରୁ ଖର୍ଚ୍ଚ ପରିମାଣ ୬.୫ ପ୍ରତିଶତ ବୃଦ୍ଧି ପାଇ ୫,୨୬,୪୮୧.୮୮ କୋଟି ଟଙ୍କାରେ ପହଞ୍ଚିଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପଗୁଡ଼ିକରେ ୩,୨୧,୯୮୦ କୋଟି ଟଙ୍କା ଖର୍ଚ ହୋଇଛି। ରେଳବାଇ କ୍ଷେତ୍ରର ୧୭୩ଟି ପ୍ରକଳ୍ପ ଲାଗି ୩,୭୨,୭୬୧ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। କିଛି ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବା ଯୋଗୁ ମୋଟ ଖର୍ଚ ରାଶି ୬,୨୩,୦୦୯ କୋଟି ଟଙ୍କାକୁ ବୃଦ୍ଧି ପାଇବା ଆକଳନ କରାଯାଇଛି। ସେପ୍ଟେମ୍ବର ସୁଦ୍ଧା ରେଳ ପ୍ରକଳ୍ପରେ ୩,୫୦,୩୫୦ କୋଟି ଟଙ୍କା ଖର୍ଚ ହୋଇଛି। ‌ପେଟ୍ରୋଲିୟମ୍ ‌କ୍ଷେତ୍ରର ୧୪୦ ପ୍ରକଳ୍ପ ପାଇଁ ୩,୬୪,୩୩୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ପ୍ରକଳ୍ପ ବିଳମ୍ବ ହେବା ଯୋଗୁ ଖର୍ଚ ପରିମାଣ ୩,୮୪,୧୦୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେପ୍ଟେମ୍ବର ସୁଦ୍ଧା ବିଭିନ୍ନ ପ୍ରକଳ୍ପରେ ୧,୩୮,୪୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସମ୍ବନ୍ଧିତ ଖବର