ନୂଆଦିଲ୍ଲୀ : ଚଳିତ ମାସ ପରି ଏପ୍ରିଲ ମାସରେ ବି ବ୍ୟାଙ୍କଗୁଡ଼ିକ ଲମ୍ବା ସମୟ ଧରି ବନ୍ଦ ରହିବ । ଏକ ହିସାବ ଅନୁସାରେ ଏପ୍ରିଲ ମାସରେ ବ୍ୟାଙ୍କଗୁଡ଼ିକ ୧୦ରୁ ୧୪ ଦିନ ପର୍ୟ୍ୟନ୍ତ ବନ୍ଦ ରହିବ । ଏହା ଫଳରେ ଦେଶବ୍ୟାପୀ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଗୁଡ଼ିକ ମଧ୍ୟରୁ ୮ଟି ଛୁଟି ବିଭିନ୍ନ ପର୍ବପର୍ବାଣୀ ପାଇଁ ଥିବାବେଳେ ଏପ୍ରିଲ ପହିଲାରେ ବାର୍ଷିକ ବ୍ୟାଙ୍କ ଛୁଟି ରହିଛି । ଅବଶିଷ୍ଟ ୬ଟି ଛୁଟି ୪ଟି ରବିବାର ଓ ୨ୟ ଓ ୪ର୍ଥ ଶନିବାର ଯୋଗୁଁ ମିଳିବ ।
ତେବେ ରାଜ୍ୟ ଭିତ୍ତିରେ ଏସବୁ ଛୁଟି କମ ବେଶୀ ହୋଇପାରେ । ଉଦାହରଣସ୍ବରୂପ ଏପ୍ରିଲ ୨ରେ ଗୁଡ ଫ୍ରାଇଡେ ଯୋଗୁଁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ । ଏପ୍ରିଲ ୫ରେ ବାବୁ ଜଗଜ୍ଜିବନ ରାମ ଜୟନ୍ତୀ ଯୋଗୁଁ ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୧୩ରେ ଗୁଡ଼ି ପର୍ବ ଯୋଗୁଁ ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୧୪ରେ ଓଡ଼ିଶା ସମେତ ତାମିଲନାଡ଼ୁରେ ନବବର୍ଷ, ପଂଜାବରେ ବୈଶାଖି ଓ ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ ଯୋଗୁଁ ବ୍ୟାଙ୍କ ଛୁଟି ରହିବ । ଏପ୍ରିଲ ୧୫ ଓ ୧୬ରେ ଯଥାକ୍ରମେ ବଙ୍ଗଳା ନବବର୍ଷ ଓ ଆସାମରେ ବିହୁ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଏପ୍ରିଲ ୨୧ରେ ଶ୍ରୀରାମ ନବମୀ ଜାତୀୟ ଛୁଟି ଦିବସ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ ।
ଚଳିତ ମାର୍ଚ୍ଚମାସରେ ରବିବାର ଓ ବ୍ୟାଙ୍କ ଧର୍ମଘଟ ଯୋଗୁଁ ୧୪ରୁ ୧୬ ତାରିଖ ପର୍ୟ୍ୟନ୍ତ ବ୍ୟାଙ୍କ ବନ୍ଦ ଥିଲା । ମାସ ଶେଷ ବେଳକୁ ୪ର୍ଥ ଶନିବାର, ରବିବାର ଓ ହୋଲି ଯୋଗୁଁ ବ୍ୟାଙ୍କ ୩ ଦିନ ବନ୍ଦ ରହିବ ।