ଅଯୋଧ୍ୟା: ରାମ ମନ୍ଦିର ଉଦ୍‌ଘାଟନ ଓ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବହୁ ବିଶିଷ୍ଟ ଶିଳ୍ପପତି ଯୋଗଦେବେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି, ଆଦିତ୍ୟ ବିର୍ଲା ଗ୍ରୁପ୍‌ର କୁମାର ମଙ୍ଗଳମ୍ ବିର୍ଲା, ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ, ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି, ବେଦାନ୍ତ ଗ୍ରୁପ୍‌ର ଅନିଲ ଅଗ୍ରୱାଲ୍, ପିରାମଳ ଏଣ୍ଟରପ୍ରାଇଜେସ୍‌ର ଅଜୟ ପିରାମଲ, ରେମଣ୍ଡ ଗ୍ରୁପ୍‌ର ‌ଗୌତମ ସିଂଘାନିଆ ଓ ଟିଭିଏସ୍‌ର ବେଣୁ ଶ୍ରୀନିବାସଙ୍କ ଭଳି ବିଶିଷ୍ଟ ଶିଳ୍ପପତି ଏହି ସମାରୋହରେ ସାମିଲ ହେ‌ବେ।

Advertisment

ଚଳିତ ମାସ ୨୨ରେ ଅନୁଷ୍ଠିତ ହେବାକୁ ଥିବା ଏହି ବହୁ ପ୍ରତିକ୍ଷୀତ କାର୍ଯ୍ୟକ୍ରମରେ ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି କ୍ରୀଡ଼ା, ରାଜନୀତି, ଧାର୍ମିକ ଏବଂ କଳା ଆଦି କ୍ଷେତ୍ରର ୧୦,୦୦୦ରୁ ଅଧିକ ଅତିଥି ଯୋଗଦେବ। କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବେଶ ଉତ୍ସାହିତ ଥିବା ହିନ୍ଦୁସ୍ତାନ ୟୁନିଲିଭର୍‌ର ପୂର୍ବତନ ସିଇଓ ସଞ୍ଜୀବ ମେହଟ୍ଟା କହିଛନ୍ତି ଯେ ସବୁ ହିନ୍ଦୁ ଓ ଭାରତୀୟଙ୍କ ପାଇଁ ଏହା ଏକ ବହୁତ ବଡ଼ ଦିନ। ମୋ ପାଇଁ ଜଣେ ହିନ୍ଦୁ ଭାବେ ଏହା ଏକ ଆଧ୍ୟାତ୍ମିକ ଯାତ୍ରା ବୋଲି ସେ କହିଛନ୍ତି। ଅତିଥି ତାଲିକାରେ ଭାରତ ଫୋର୍ଜର ବାବା କଲ୍ୟାଣୀ, ଅମିତ କଲ୍ୟାଣୀ, ଏମ୍‌କ୍ୟୁର୍‌ ଫାର୍ମାସ୍ୟୁଟିକାଲ୍‌ସର ସିଇଓ ଓ ଏମ୍‌ଡି ସତୀଶ ମେହଟ୍ଟା ଏବଂ ଏଲ୍‌ଆଣ୍ଡ୍‌ଟିର ସିଏମ୍‌ଡି ଏସ୍‌ ଏନ୍ ସୁବ୍ରମଣ୍ୟମଙ୍କ ନାମ ରହିଛି।

ରାମ ମନ୍ଦିର ଉଦ୍‌ଘାଟନ ସମାରୋହ ଲାଗି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଆଗମନ ହେବାକୁ ଥିବାରୁ ୧୦୦ରୁ ଅଧିକ ବିମାନ ଆସିବ ବୋଲି ଆକଳନ କରାଯାଇଛି। ସେଥିପାଇଁ ସୁଲ୍‌ତାନପୁର, ଆମ୍ବେଦକରନଗର ଓ ଆଜମଗଡ଼ ଏୟାରଷ୍ଟ୍ରିପ୍‌ରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଅଯୋଧ୍ୟାରେ ହୋଟେଲ୍‌ଗୁଡ଼ିକର ସବୁ କୋଠରି ବୁକିଂ ହୋଇସାରିଛି। ଶିଳ୍ପପତିମାନେ ପ୍ରାଇଭେଟ୍ ଜେଟ୍‌ରେ ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଡିସନ୍ ହୋଟେଲ୍‌ରେ ରହିବେ। ଏଲ୍‌ଅାଣ୍ଡ୍‌ଟି ରାମମନ୍ଦିରର ଡିଜାଇନ ଓ ନିର୍ମାଣ କାର୍ଯ୍ୟ କରିଥିବା ଜଣାପଡ଼ିଛି।