ଡିଜିଟାଲ ଆର୍ଥିକ କାରବାରକୁ ପ୍ରୋତ୍ସାହନ, ଡିସେମ୍ବରରୁ ୨୪ ଘଣ୍ଟିଆ ଆର୍‌ଟିଜିଏସ୍‌ ସେବା

ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ମାସରୁ ଦେଶରେ ୨୪ ଘଣ୍ଟିଆ ଆର୍‌ଟିଜିଏସ୍‌ ସେବା ଆରମ୍ଭ ହେବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୪ ଘଣ୍ଟିଆ ଆର୍‌ଟିଜିଏସ୍‌ ସେବା ଆରମ୍ଭ ନେଇ ଗତ ଅକ୍ଟୋବରରେ ଘୋଷଣା କରାଯାଇଥିଲା। ତେଣୁ ସେହି ଦୃଷ୍ଟିରୁ ଡିସେମ୍ବର ପହିଲାରୁ ଏହାକୁ କାର୍ଯ୍ୟକାରୀ ‌କରାଯିବ। ଦେଶରେ ଡିଜିଟାଲ ଆର୍ଥିକ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି। ବିଶେଷକରି ଯେଉଁମାନେ ଦୈନନ୍ଦିନ ମୋଟା ଅଙ୍କର ଅର୍ଥ ବିଭିନ୍ନ ସ୍ଥାନକୁ ପ୍ରେରଣ କରୁଛନ୍ତି ସେମାନଙ୍କୁ ଏହି ନିଷ୍ପତ୍ତି ସହାୟକ ହେବ। ବର୍ତ୍ତମାନ ବ୍ୟାଙ୍କ ଗୁଡ଼ିକ ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ସମେତ ଅନ୍ୟ ଛୁଟିଦିନକୁ ବାଦ ଦେଲେ ଅନ୍ୟ ସବୁ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଆର୍‌ଟିଜିଏସ୍‌ ସେବା ଯୋଗାଇ ଦେଉଛନ୍ତି। ତେବେ ବର୍ଷର ସବୁଦିନ ସବୁ ସମୟରେ ଲୋକଙ୍କୁ ଆର୍‌ଟିଜିଏସ୍‌ ସେବା ଯୋଗାଇ ଦେଲେ ଭାରତ ବିଶ୍ବର କେତୋଟି ହାତଗଣତି ଦେଶର କ୍ଲବରେ ସାମିଲ ହାଇପାରିବ। ଆର୍‌ଟିଜିଏସ୍‌ ମାଧ୍ୟମରେ ସର୍ବନିମ୍ନ ୨ ଲକ୍ଷ ଟଙ୍କା ପ୍ରେରଣ କରିବା ସୁବିଧା ରହିଥାଏ। ତେବେ ସର୍ବାଧିକ ଅର୍ଥ ପ୍ରେରଣର କୌଣସି ସୀମା ଏଥିରେ ନାହିଁ। ସୂଚନାଯୋଗ୍ୟ, ୨୦୧୯ ଜୁଲାଇରୁ ଦେଶରେ ଏନଇଏଫ୍‌ଟି ଓ ଆରଟିଜିଏସ୍‌ ସେବାକୁ ଶୁଳ୍କମୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର