ଚୀନ, ପାକିସ୍ତାନ ପଳାଇଥିବା ଲୋକଙ୍କ ସମ୍ପତ୍ତି ବିକ୍ରି ହେବ

ନୂଆଦିଲ୍ଲୀ: ଦେଶରେ ଶତ୍ରୁ ସମ୍ପତ୍ତି ବିକ୍ରି ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରାଜସ୍ବ ବିଭାଗ ଅଧୀନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ତଦନ୍ତକାରୀ ସଂସ୍ଥା କିମ୍ବା ସମ୍ପତ୍ତି ବାଜ୍ୟାପ୍ତି ନେଇ ଅଭିଜ୍ଞତା ଥିବା ଅଧିକାରୀଙ୍କ ସହ ଆଲୋଚନା ପରେ ପୁଞ୍ଜି ପ୍ରତ୍ୟାହାର ମନ୍ତ୍ରାଳୟ ଏ ନେଇ ନିୟମାବଳି ଜାରି କରିବ। ଉଲ୍ଲେଖଯୋଗ୍ୟ, ଶତ୍ରୁ ସମ୍ପତ୍ତିର ସେୟାର (ଅଂଶଧନ) ବିକ୍ରିକୁ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନୀତିଗତ ଅନୁମତି ପ୍ରଦାନ କରାଯାଇ ସାରିଛି। ଶତ୍ରୁ ସମ୍ପତ୍ତି କହିଲେ ତାହାକୁ ବୁଝାଯାଉଛି ଯେଉଁ ସମ୍ପତ୍ତିକୁ ଛାଡ଼ି ଲୋକମାନେ ପାକିସ୍ତାନ କିମ୍ବା ଚୀନ ପଳାଇଯାଇଛନ୍ତି ଏବଂ ସେମାନେ ଏବେ ଭାରତର ନାଗରିକ ନାହାନ୍ତି।ଗୃହ ମନ୍ତ୍ରାଳୟ ଅଧୀନରେ ଥିବା କଷ୍ଟୋଡି ଅଫ୍ ଏନ୍‌ମି ପ୍ରପର୍ଟି ଅଫ୍ ଇଣ୍ଡିଆ (ସିଇପିଆଇ) ଅଧୀନରେ ଏବେ ୯୯୬ଟି କମ୍ପାନିର ୨୦,୩୨୩ ଜଣ ଅଂଶଧନକାରୀଙ୍କ ୬.୫ କୋଟିରୁ ଅଧିକ ‌ସେୟାର ରହିଛି। ଏହି ୯୯୬ଟି କମ୍ପାନି ମଧ୍ୟରୁ ୫୮୮ଟି କମ୍ପାନି ସକ୍ରିୟ ଅଛନ୍ତି। ଏହି ସକ୍ରିୟ କମ୍ପାନି ଗୁଡ଼ିକ ମଧ୍ୟରୁ ୧୩୯ଟି କମ୍ପାନି ତାଲିକାଭୁକ୍ତ ହୋଇଥିବା ବେଳେ ୪୪୯ଟି କମ୍ପାନି ଅଣତାଲିକାଭୁକ୍ତ। ବର୍ତ୍ତମାନ ପରିସ୍ଥିତିରେ ଏହି କମ୍ପାନି ଗୁଡ଼ିକର ମୂଲ୍ୟ ପ୍ରାୟ ୩୦୦୦ କୋଟି ଟଙ୍କା ହେବ। ଗତବର୍ଷ ମାର୍ଚ୍ଚ ମାସରେ ସଂସଦରେ ଶତ୍ରୁ ସମ୍ପତ୍ତି ଆଇନ ୧୯୬୮ରେ ସଂଶୋଧନ ଅଣାଯାଇଛି। ଏହି ସଂଶୋଧନ ଅନୁଯାୟୀ ଉକ୍ତ ସମ୍ପତ୍ତି ଗୁଡ଼ିକର ଉତ୍ତରାଧିକାରୀମାନେ ଯେଉଁମାନେ ଦେଶ ବିଭାଜନ ବେଳେ ପାକିସ୍ତାନ ଓ ଚୀନକୁ ଚାଲିଯାଇଛନ୍ତି ସେମାନେ ସମ୍ପତ୍ତି ଦାବି କରିପାରିବେ ନାହିଁ। ସରକାର ଏସବୁ ବ୍ୟକ୍ତିଙ୍କ ସମ୍ପତ୍ତିକୁ ସିଇପିଆଇ ଅଧୀନରେ ରଖିଛି। ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଦେଶରେ ୧୯୬୮ ମସିହାରେ ଶତ୍ରୁ ସମ୍ପତ୍ତି ଆଇନ ୧୯୬୮ ପ୍ରଣୟନ ହୋଇଥିଲା। ତେବେ ସେୟାର ବିକ୍ରି କ୍ଷେତ୍ରରେ ସିଇପିଆଇର ଅଭିଜ୍ଞତା ଆଦୌ ନଥିବା ଯୋଗୁ ଏସବୁ ସମ୍ପତ୍ତିର ବିକ୍ରି ପୁଞ୍ଜି ପ୍ରତ୍ୟାହାର ବିଭାଗର ସହାୟତାରେ କରିବା ପାଇଁ ସରକାର ଯୋଜନା ଚଳାଇଛନ୍ତି। ତେବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଗଠିତ ବିକଳ୍ପ ବ୍ୟବସ୍ଥା କମିଟି ଦ୍ବାରା ଏହି ବିକ୍ରି ପ୍ରକ୍ରିୟାକୁ ମଞ୍ଜୁରି ମିଳିବା ଆବଶ୍ୟକ। ଏହି କମିଟିରେ ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡ଼କରୀ ଓ ଗୃହମନ୍ତ୍ରୀ ରାଜନାଥ ସିଂହ ସଦସ୍ୟ ରହିଛନ୍ତି। ପୁଞ୍ଜି ପ୍ରତ୍ୟାହାର ବିଭାଗ ମଧ୍ୟ ଏଥିପାଇଁ ମର୍ଚ୍ଚାଣ୍ଟ ବ୍ୟାଙ୍କର ଓ ଆଇନଗତ ପରାମର୍ଶଦାତା ଚୟନ କରିବ। ଏହି ସମ୍ପତ୍ତି ବିକ୍ରିରୁ ଲବ୍ଧ ଅର୍ଥକୁ ପୁଞ୍ଜି ପ୍ରତ୍ୟାହାର ସମ୍ପତ୍ତି ଭାବେ ବିବେଚନା କରାଯିବ। ସରକାର ଚଳିତ ଆର୍ଥିକ ବର୍ଷରେ ଯଦିଓ ୮୦ ହଜାର କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ବାବଦରେ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲେ ଏପର୍ଯ୍ୟନ୍ତ ସରକାରୀ ଉଦ୍ୟୋଗର ଅଂଶଧନ ବିକ୍ରି କରି ପ୍ରାୟ ୧୫ ହଜାର କୋଟି ଟଙ୍କା ସଂଗ୍ରହ କରିପାରିଛନ୍ତି।

ସମ୍ବନ୍ଧିତ ଖବର