ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ପ୍ରସ୍ତାବ: କ୍ୟାବିନେଟ୍ ସଚିବଙ୍କୁ ଜାତୀୟ ପରିଷଦର ଚିଠି

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ସହ ନୂଆ ସରକାର ଗଠନ ହୋଇସାରିଥିବାରୁ ତୁରନ୍ତ ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ ଦାବି ହୋଇଛି। ଜାତୀୟ ପରିଷଦର ସମ୍ପାଦକ ଶିବ ଗୋପାଳ ମିଶ୍ର ଏନେଇ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ତୁରନ୍ତ ଅଷ୍ଟମ ବେତନ ଆୟୋଗ ଗଠନ ଆବଶ୍ୟକତା ରହିଛି ବୋଲି ସେ ଚିଠିରେ ଜଣାଇଛନ୍ତି। ପ୍ରତି ୧୦ ବର୍ଷ ବ୍ୟବଧାନରେ ବେତନ ଆୟୋଗ ଗଠନ କରାଯାଇଥାଏ ଯାହା ଦରଦାମ୍ ସ୍ଥିତି ବିଚାରକୁ ନେଇ କେନ୍ଦ୍ର ସରକାର କର୍ମଚାରୀମାନଙ୍କ ବେତନ, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗରେ ଅଣାଯିବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ସୁପାରିସ କରିଥାଏ। ସପ୍ତମ ବେତନ ଆୟୋଗକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୦୧୪ ଫେବ୍ରୁଆରି ୨୮ରେ ଗଠନ କରିଥିଲେ ଯାହା ୨୦୧୫ ନଭେମ୍ବର ୧୯ରେ ଏହାର ରିପୋର୍ଟ ଦେଇଥିଲା। ସେହି ସୁପାରିସ୍‌ଗୁଡ଼ିକୁ ୨୦୧୬ ଜାନୁଆରି ୧ରୁ ଲାଗୁ କରାଯାଇଥିଲା। ନିୟମ ଅନୁସାରେ ୨୦୨୬ ଜାନୁଆରି ୧ ସୁଦ୍ଧା ଅଷ୍ଟମ ବେତନ ଆୟୋଗଙ୍କ ସୁପାରିସ ଲାଗୁ ହେବା ଦରକାର। ଏହି ସମୟ ଦ୍ରୁତ ଗତିରେ ପାଖେଇ ଆସୁଥିବା ବେଳେ ଏପର୍ଯ୍ୟନ୍ତ ନୂଆ ଆୟୋଗ ଗଠନ ହୋଇନାହିଁ।

ତେଣୁ ଶୀଘ୍ର ଆୟୋଗ ଗଠନ କରିବାକୁ ଶ୍ରୀ ମିଶ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଶ୍ରୀ ମିଶ୍ର ଯୁକ୍ତି ବାଢ଼ିଛନ୍ତି ଯେ ୨୦୧୬ରୁ ୨୦୨୩ ମଧ୍ୟରେ ସ୍ଥାନୀୟ ବଜାରରେ ଉପଲବ୍ଧ ହେଉଥିବା ଜିନିଷଗୁଡ଼ିକର ଦାମ୍‌ରେ ୮୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। କିନ୍ତୁ ସରକାର ୨୦୨୩ ଜୁଲାଇ ୧ ସୁଦ୍ଧା ମହଙ୍ଗା ଭତ୍ତା ୪୬% ରହିଛି। ଇତି ମଧ୍ୟରେ କେନ୍ଦ୍ର କର୍ମଚାରୀ ସଂଖ୍ୟା ହ୍ରାସ ପାଇଥିବା ବେଳେ ୧୦ ଲକ୍ଷ ପଦ ଫାଙ୍କା ପଡ଼ିଛନ୍ତି। ସେହି ପଦଗୁଡ଼ିକ ପୂରଣ ହେଉନଥିବାରୁ ପୁରୁଣା କର୍ମଚାରୀଙ୍କ ଉପରେ ଅଧିକ କାମ ଚାପ ରହୁଛି। ୨୦୧୫ରୁ ୨୦୨୩ ଭିତରେ ସରକାରଙ୍କ ରାଜସ୍ବ ସଂଗ୍ରହରେ ଦୁଇ ଗୁଣା ବୃଦ୍ଧି ଘଟିଛି। କେନ୍ଦ୍ର ସରକାରଙ୍କ ମୋଟ ରାଜସ୍ବ ବ୍ୟୟର ମାତ୍ର ୭.୨୯ ପ୍ରତିଶତ ରାଶି କର୍ମଚାରୀଙ୍କ ବେତନ ବାବଦରେ ଖର୍ଚ୍ଚ ହେଉଥିବା ବେଳେ ପେନ୍‌ସନ୍‌ଭୋଗୀ ପାଇଁ ୪ ପ୍ରତିଶତ ଅର୍ଥ ଖର୍ଚ୍ଚ ହେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର