ଭୁବନେଶ୍ବର: ଉତ୍ତରପ୍ରଦେଶର ବାରାଣସୀରେ ଯାତ୍ରୀବାହୀ ରୋପ୍ୱେ ପରିଚାଳନା କରୁଥିବା ବିଶ୍ବ ସମୁଦ୍ର ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡ୍ ପୁରୀରେ ସେହି ଧରଣର ଏକ ପ୍ରକଳ୍ପ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛି। ଯଦି ରାଜ୍ୟ ସରକାର ହାଇବ୍ରିଡ୍ ଆନୁଇଟି ମଡେଲ୍ ଅନୁସାରେ ରାଜି ହେବେ ତେବେ କମ୍ପାନି ପ୍ରକଳ୍ପ ସ୍ଥାପନ କରିବାକୁ ପ୍ରସ୍ତୁତ ରହିଛି ବୋଲି କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶିବଦତ୍ତ ଦାସ କହିଛନ୍ତି।
ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ସେ ଜଣାଇଛନ୍ତି ଯେ ରୋପ୍ୱେ ଜରିଆରେ ପୁରୀ ଷ୍ଟେସନ, ବସ୍ଷ୍ଟାଣ୍ଡ, ମାଉସୀ ମା’ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ବେଳାଭୂମି ମଧ୍ୟରେ ସଂଯୋଗ ସ୍ଥାପନ କରାଯାଇପାରିବ। ଏହା ଏକ ଅତ୍ୟାଧୁନିକ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥା ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଉପକୃତ ହୋଇପାରିବେ। ମେଟ୍ରୋ ଭଳି ବ୍ୟୟବହୁଳ ପ୍ରକଳ୍ପ ତୁଳନାରେ ଏହା ବେଶ୍ ସୁଲଭ। ଏହି ପ୍ରକଳ୍ପକୁ ୧୫୦୦-୨୦୦୦ କୋଟି ଟଙ୍କା ବ୍ୟୟରେ ସ୍ଥାପନ କରାଯାଇପାରିବ। ରାଜ୍ୟ ସରକାର ଯଦି ୬୦ ପ୍ରତିଶତ ରାଶି ଦେବେ ତେବେ କମ୍ପାନି ପ୍ରକଳ୍ପର ୪୦ ପ୍ରତିଶତ ରାଶି ପ୍ରଦାନ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ପୂର୍ବରୁ ମଧ୍ୟ କମ୍ପାନି ରାଜ୍ୟ ସରକାରଙ୍କୁ ଏନେଇ ପ୍ରସ୍ତାବ ଦେଇଥିଲା। ମାତ୍ର ସେଥିରେ କୌଣସି ଅଗ୍ରଗତି ହୋଇନଥିଲା। ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ କମ୍ପାନି ପୁଣି ଥରେ ଏହି ପ୍ରକଳ୍ପକୁ ନେଇ ଆଗ୍ରହ ପ୍ରକାଶ କରିଛି। କେବଳ ରୋପ୍ୱେ ନୁହେଁ, ସଡ଼କ, ବନ୍ଦର ଓ ବିମାନବନ୍ଦର ନିର୍ମାଣ ଆଦିରେ ଭାଗ ନେବାକୁ ବିଶ୍ବ ସମୁଦ୍ର ଇଞ୍ଜିନିୟରିଂ ଚାହୁଛି। ରାଜ୍ୟରେ ବିଶେଷ କରି ବାଲେଶ୍ବର ଓ ବ୍ରହ୍ମପୁର ଭଳି ଅଞ୍ଚଳରେ ଛୋଟ ଛୋଟ ବିମାନବନ୍ଦର ସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/RBRYdhhYCAyBm2goAnHy.jpg)