ପ୍ରସ୍ତାବ ମାଗିଲେ ଭାରୀ ଶିଳ୍ପ ମନ୍ତ୍ରୀ: ଏଚ୍‌ଏମ୍‌ଟିର ପୁନରୁଦ୍ଧାର ହେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ମେସିନ ଆଣ୍ଡ୍‌ ଟୁଲ୍ସ (ଏଚ୍‌ଏମ୍‌ଟି)ର ପୂର୍ବ ଗୌରବ ‌ଫେରିବ। ମୋଦୀ ୩.୦ ସରକାରଙ୍କ ଅମଳରେ ଏହି କାର୍ଯ୍ୟ କରାଯିବ। ଗୋଟିଏ ସମୟରେ ଏଚ୍‌ଏମ୍‌ଟିର ଦବ୍‌ଦବା ବଜାରରେ ରହିଥିଲା। ଘଣ୍ଟାଠାରୁ ଆରମ୍ଭ କରି ଟ୍ରାକ୍ଟର ସମେତ ଅନେକ ମେସିନ ଦେଶର ବିଭିନ୍ନ ସ୍ଥାନରେ ଏହି କମ୍ପାନି ଉତ୍ପାଦନ କରି ନିଜ ପାଇଁ ଖ୍ୟାତି ଅର୍ଜନ କରିଥିଲା। କିନ୍ତୁ ଲଗାତାର କ୍ଷତି କରିବା କାରଣରୁ ଏହାର ଅନେକ ୟୁନିଟ ବନ୍ଦ ‌ହୋଇଥିଲା।

ଏବେ ଏଥିରେ ସୁଧାର ଆଣିବା ଲାଗି ସରକାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଏଚ୍‌ଏମ୍‌ଟିର ପୁନରୁଦ୍ଧାର ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ମୋଦୀ ୩.୦ ସରକାରଙ୍କ ଅମଳରେ ଯେଉଁ କେତୋଟି ରାଷ୍ଟ୍ରାୟତ୍ତ କମ୍ପାନିର ପୁନରୁଦ୍ଧାର ଯୋଜନା ରହିଛି ସେଥିରେ ଏଚ୍‌ଏମ୍‌ଟି ଏକ ପ୍ରମୁଖ ଉଦ୍ୟୋଗ। ଏଥିପାଇଁ ଭାରୀ ଶିଳ୍ପ ମନ୍ତ୍ରୀ ଶ୍ରୀ କୁମାରସ୍ବାମୀ ଜୋରଦାର୍‌ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି।
ଏକ ସୂଚନା ଅନୁଯାୟୀ, ମନ୍ତ୍ରୀ ଶ୍ରୀ କୁମାରସ୍ବାମୀ କମ୍ପାନିର ଜଣେ ବରିଷ୍ଠ ଅଧିକାରୀଙ୍କୁ ପୁନରୁଦ୍ଧାର ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ କହିଛନ୍ତି। ମନ୍ତ୍ରୀ ଚାହୁଛନ୍ତି ବର୍ତ୍ତମାନ ଖରାପ ସ୍ଥିତିରେ ଥିବା ଏଚ୍‌ଏମ୍‌ଟି ତାହାର ପୁରୁଣା ଗୌରବ ଫେରିପାଉ। କମ୍ପାନିକୁ ମଝବୁତ କରିବା ପାଇଁ ଜୋର୍‌ ଦେବା ସହିତ ଏହାର ସିଏମ୍‌ଡି ରାଜେଶ କୋହଲିଙ୍କୁ ଆବଶ୍ୟକ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଏକ ପ୍ରସ୍ତାବ ଦାଖଲ କରିବାକୁ ମନ୍ତ୍ରୀ କହିଛନ୍ତି। ଏଚ୍‌ଏମ୍‌ଟିର ପୁନରୁଦ୍ଧାର ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତକୁ ମଧ୍ୟ ବଳ ମିଳିବ।

ମନ୍ତ୍ରୀଙ୍କ କହିବାନୁଯାୟୀ, ଏଚ୍‌ଏମ୍‌ଟି ନିକଟରେ ପୁନରୁଦ୍ଧାରର କ୍ଷମତା ରହିଛି। କମ୍ପାନି ବର୍ତ୍ତମାନ ପ୍ରତିରକ୍ଷା ବିଭାଗ ଏବଂ ମହାକାଶ କାର୍ଯ୍ୟକ୍ରମ ପାଇଁ ଉପକରଣ ଉତ୍ପାଦନ କରୁଛି। ଏଚ୍‌ଏମ୍‌ଟି ସିଏମ୍‌ଡି କୋହଲିଙ୍କ କହିବାନୁଯାୟୀ, କମ୍ପାନିର ପୁନରୁଦ୍ଧାରରେ ସରକାରଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ। ତାଙ୍କ ମତରେ କମ୍ପାନି ଯେଉଁସବୁ ଆହ୍ବାନର ସମ୍ମୁଖୀନ ହେଉଛି ସେଗୁଡ଼ିକ ହେଲା ଆର୍ଥିକ ସଂକଟ, ମାଲିମକଦ୍ଦମା ଏବଂ କ୍ଷତି। ଏସବୁ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଜରୁରୀ।

ସମ୍ବନ୍ଧିତ ଖବର