ନୂଆଦିଲ୍ଲୀ: ତେଲ ଦର ଉଚ୍ଚା ଥିବାରୁ ତାହା ଦରଦାମ୍ ବୃଦ୍ଧିର କାରଣ ହୋଇଛି। ତେଲ ଉପରୁ ଟିକସ କମ୍ କରାଗଲେ ତାହା ଅର୍ଥନୀତି ଲାଗି ସହାୟକ ହେବ ବୋଲି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ କୁହାଯାଇଛି। ପେଟ୍ରୋଲ୍ ଓ ଡିଜେଲ୍ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମ୍ କରିବାକୁ ସିଆଇଆଇ ସରକାରଙ୍କୁ ପ୍ରସ୍ତାବ ଦେଇଛି। ପେଟ୍ରୋଲର ବିକ୍ରି ମୂଲ୍ୟରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୨୧ ପ୍ରତିଶତ ଥିବା ବେଳେ ଡିଜେଲ୍ ଉପରେ ତାହା ୧୮ ପ୍ରତିଶତ ରହିଛି। ୨୦୨୨ ମେ’ ପରଠାରୁ ଅଶୋଧିତ ତୈଳ ଦର ୪୦ ପ୍ରତିଶତ ଶସ୍ତା ହୋଇଥିଲେ ମଧ୍ୟ ସେହି ଅନୁସାରେ ପେଟ୍ରୋଲ୍ ଓ ଡିଜେଲ୍ର ବିକ୍ରି ମୂଲ୍ୟ ବଦଳିନାହିଁ। ତେଲ ଉପରେ ଟିକସ କମିଲେ ଲୋକଙ୍କ ପାଖରେ ଅଧିକ ଟଙ୍କା ରହିବ ଯାହାକୁ ସେମାନେ ବିଭିନ୍ନ କାମରେ ଖର୍ଚ୍ଚ କରିପାରିବେ ବୋଲି ସିଆଇଆଇ ପକ୍ଷରୁ କୁହାଯାଇଛି।
ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ କମ୍ କରିବାକୁ ମଧ୍ୟ ସିଆଇଆଇ ପ୍ରସ୍ତାବ ଦେଇଛି। ଏହା ଦ୍ବାରା ଲୋକମାନଙ୍କ ପାଖରେ ଖର୍ଚ୍ଚ କରିବାକୁ ଅଧିକ ଟଙ୍କା ରହିପାରିବ ଯାହାକୁ ସେମାନେ ଉପଯୋଗ କଲେ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ସିଆଇଆଇ କହିଛି। ବ୍ୟକ୍ତିଗତ ଆୟକରରେ ସର୍ବାଧିକ ହାର ୪୨.୭୪ ପ୍ରତିଶତରେ ପହଞ୍ଚିଥିବା ବେଳେ ସାଧାରଣ କର୍ପୋରେଟ୍ ଟିକସ ହାର ତା’ଠାରୁ କମ୍ ୨୫.୧୭ ପ୍ରତିଶତ ରହିଛି। ଟିକସ ଆକାରରେ ରୋଜଗାରର ଏକ ବଡ଼ ଭାଗ ଚାଲିଯାଉଥିବାରୁ ନିମ୍ନ ଓ ମଧ୍ୟବିତ୍ତ ପରିବାର ଲୋକଙ୍କ ପାଖରେ ଖର୍ଚ୍ଚ କରିବା ଲାଗି ବେଶି ଟଙ୍କା ରହୁନାହିଁ।
ଲୋକମାନଙ୍କ ପାଖରେ କିଭଳି ଅଧିକ ଟଙ୍କା ରହିପାରିବ ତାହା ଉପରେ ଗୁରୁତ୍ବ ଦେବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବିଭିନ୍ନ ମହଲରୁ ପ୍ରସ୍ତାବ ଦିଆଯାଉଛି। ଆୟକର କମ୍ କରିବା ଲାଗି ଅର୍ଥନୀତିଜ୍ଞମାନେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି ଯେ ଲାଗାତାର ଭାବେ ଖାଦ୍ୟ ଦାମ୍ ଉଚ୍ଚା ରହୁଥିବାରୁ ତାହା ଗ୍ରାମାଞ୍ଚଳର ନିମ୍ନ ଆୟର ପରିବାର ଉପରେ ଚାପ ସୃଷ୍ଟି କରିଛି। କାରଣ ସେମାନେ ଆୟର ବଡ଼ ଭାଗ ଖାଦ୍ୟପଦାର୍ଥ କିଣିବାରେ ଖର୍ଚ୍ଚ କରିଥାନ୍ତି। ମନରେଗା, ପିଏମ୍-କିଷାନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଅଧିକ ଗୁରୁତ୍ବ ଦେବା ଏବଂ ଗ୍ରାମୀଣ ନିମ୍ନ ଆୟବର୍ଗର ପରିବାରଙ୍କ ପାଖରେ ଭାଉଚର ଜରିଆରେ ଅର୍ଥ ପହଞ୍ଚାଇଲେ ଗ୍ରାମୀଣ ଅର୍ଥନୀତିରେ ଦ୍ରୁତ ସୁଧାର ହୋଇପାରିବ ବୋଲି ସେ କହିଛନ୍ତି।
ମନରେଗାରେ ସର୍ବନିମ୍ନ ମଜୁରିକୁ ୨୬୭ ଟଙ୍କାରୁ ବଢ଼ାଇ ୩୭୫ ଟଙ୍କା କରିବା ଲାଗି ସିଆଇଆଇ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ହେଲେ ସରକାରଙ୍କୁ ମନରେଗା ଲାଗି ଅତିରିକ୍ତ ୪୨ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ପଡ଼ିବ। ପିଏମ୍ କିଷାନ ସ୍କିମ୍ର କିସ୍ତିକୁ ୬୦୦୦ ଟଙ୍କାରୁ ବଢ଼ାଇ ୮୦୦୦ ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି। ସେଥିପାଇଁ ଅତିରିକ୍ତ ୨୦ ହଜାର ଟଙ୍କା ଦରକାର ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/5Poec14ntUOdTM3VASep.jpg)