ଏମ୍ଏସ୍‌ଏମ୍ଇଙ୍କ ବକେୟା ଶୀଘ୍ର ଦେବାକୁ ପ୍ରସ୍ତାବ

ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍ଏସ୍‌ଏମ୍‌ଇ)ଗୁଡ଼ିକର ବକେୟା ରାଶିକୁ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ଦେବା ଲାଗି ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି। ଓଡ଼ିଶା ଡାଇଲଗ୍ସ ଫୋରମ୍ ତରଫରୁ ଆୟୋଜନ କରାଯାଇଥିବା ଏକ ୱେବିନାର୍‌ରେ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରର ପୂର୍ବତନ ଏମ୍ଏସ୍‌ଏମ୍‌ଇ ସଚିବ ଡକ୍ଟର ଅରୁଣ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଏମ୍ଏସ୍‌ଏମ୍ଇ ସରଳୀକରଣ ପରିଷଦକୁ ସକ୍ରିୟ କରି ଆଞ୍ଚଳିକ ସ୍ତରରେ ତାହାର ଶାଖା ଖୋଲିବାର ଆବଶ୍ୟକତା ରହିିଛି। ଏମ୍ଏସ୍‌ଏମ୍ଇ ସମ୍ପର୍କିତ ତଥ୍ୟ ୪-୫ ବର୍ଷ ପୁରୁଣା ଥିବା ବେଳେ ସବୁ ସଂସ୍ଥାର ତଥ୍ୟ ଉପଲବ୍ଧ ନଥିବାରୁ ଗୁଜରାଟ ଇନଷ୍ଟିଚ୍ୟୁଟ୍ ଅଫ୍‌ ଡେଭେଲପ୍‌ମେଣ୍ଟ୍‌ର ପ୍ରଫେସର କେଶବ ଦାସ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଦେଶର କୋଣ ଅନୁକୋଣରେ ଥିବା ଏମ୍ଏସ୍‌ଏମ୍ଇଗୁଡ଼ିକର ଉତ୍ପାଦକୁ ବିଶ୍ବ ବଜାରରେ ପହଞ୍ଚାଇବା ଲାଗି ନୀତି ଭିତ୍ତିକ ସହାୟତାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଏମ୍ଏସ୍‌ଏମ୍‌ଇ କ୍ଷେତ୍ରରେ ବଜାର ପ୍ରବେଶ ଓ ବ୍ରାଣ୍ଡିଂର ଯେଉଁ ସମସ୍ୟା ରହିଛି ତାହା ଉପରେ ମିଲ୍ମ ମନ୍ତ୍ରାର କାର୍ଯନିର୍ବାହୀ ନିର୍ଦେଶିକା ରଶିମା ମିଶ୍ର ଆଲୋକପାତ କରିଛନ୍ତି। ଏହି ୱେବିନାରରେ ଓସ୍‌ମିର ସାଧାରଣ ସମ୍ପାଦକ ସାତ୍ବିକ ସ୍ବାଇଁ, ଓଡ଼ିଶା ଡାଇଲଗ୍ସର ପ୍ରତିଷ୍ଠାତା ନିର୍ଦେଶକ ରାଜେଶ ମହାପାତ୍ର, ଜାଭିୟର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ର ପ୍ରଫେସର ଡି ଭି ରମଣ, ଦିଲ୍ଲୀ ସ୍କୁଲ ଅଫ୍ ଇକୋନମିକ୍ସର ପୂର୍ବତନ ପ୍ରଫେସର ଡକ୍ଟର ପୁଲିନ ବି ନାୟକ, ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ୍ ଆର ଖାନ୍, ପୂର୍ବତନ ମୁଖ୍ୟ ସଚିବ ଯୁଗଳ କିଶୋର ମହାପାତ୍ର ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ବିଧୁ କଲ୍ୟାଣ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର