ଅର୍ଥନୀତି ୨୦୨୨ରେ ସମ୍ଭାବନା: ୫ଜି ମୋବାଇଲ୍ ସେବା, ଇଲେକ୍ଟ୍ରିକ୍ ଗାଡ଼ି

ସବୁଜ ଶକ୍ତି, ଅର୍ଥନୀତିରେ ପୂର୍ଣ୍ଣ ସୁଧାର ହେବ

୫ଜି ମୋବାଇଲ୍ ସେବା
୨୦୨୧ ଥିଲା ୫ଜି ଭିତ୍ତିଭୁମି ବିକାଶ ଓ ପରୀକ୍ଷଣର ବର୍ଷ। କେନ୍ଦ୍ର ସରକାର ଟେଲିକମ୍‌ କଂପାନିଗୁଡ଼ିକୁ ପରୀକ୍ଷଣ ଲାଗି ୫ଜି ସ୍ପେକ୍ଟ୍ରମ ଆବଣ୍ଟନ କରିଛନ୍ତି। ଚୀନ୍ ସଂସ୍ଥାଗୁଡ଼ିକୁ ବାଦ ଦେଇ ଏଥର ଦେଶରେ ୫ଜି ଭିତ୍ତିଭୂମି ବିକଶିତ କରାଯାଉଛି। ନୋକିଆ ଓ ଏରିକ୍ସନ ଭଳି ବିଶ୍ବସ୍ତରୀୟ ସଂସ୍ଥାଗୁଡ଼ିକୁ ସହଯୋଗୀ କଂପାନି ଭାବେ ଗ୍ରହଣ କରି ଭାରତୀୟ ଟେଲିକମ୍ କଂପାନିଗୁଡ଼ିକ ୫ଜି ପରୀକ୍ଷଣ ଜାରି ରଖିଛନ୍ତି। ଜିଓ, ଏୟାରଟେଲ୍‌ ଓ ଭୋଡାଫୋନ୍ ଆଇଡିଆ ପକ୍ଷରୁ ଦେଶର ବିଭିନ୍ନ ସହରରେ ଭିନ୍ନ ଭିନ୍ନ କ୍ଷେତ୍ରରେ ୫ଜି ପ୍ରଯୁକ୍ତିର ପ୍ରୟୋଗ ଲାଗି ପରୀକ୍ଷଣ କରାଯାଉଛି। ୨୦୨୨ ଜାନୁଆରିରେ ୫ଜି ସ୍ପେକ୍ଟ୍ରମ୍ ନିଲାମ କରାଯିବାର ସମ୍ଭାବନା ରହିଛି। ଯଦି ‌ତାହା ହେବ ତେବେ ଆସନ୍ତାବର୍ଷ ସେପ୍ଟେମ୍ବର ସୁଦ୍ଧା ଲୋକମାନେ ୫ଜି ସେବା ବ୍ୟବହାର କରିପାରିବେ। ୫ଜି ବ୍ୟବସ୍ଥାରେ ଅତି ଦ୍ରୁତ ଗତିରେ ଇଣ୍ଟରନେଟ୍ ମିଳିବ ଯାହାକୁ ସ୍ବାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଶିକ୍ଷା ଓ କୃଷି କ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯିବ।

 ଇଲେକ୍ଟ୍ରିକ୍ ଗାଡ଼ି
‌ଦୁଇଚକିଆ ଯାନ ବଜାରରେ ଓଲା ପକ୍ଷରୁ ଇଲେକ୍ଟ୍ରିକ୍ ସ୍କୁଟର ଉନ୍ମୋଚନ କରାଯିବା ପରେ ଏହି କ୍ଷେତ୍ର ବେଶ ଚଳଚଞ୍ଚଳ ହୋଇଉଠିଛି। ପେଟ୍ରୋଲ୍ ଚାଳିତ ବାଇକ୍ ଓ ସ୍କୁଟର ବିକ୍ରି କରୁଥିବା ସଂସ୍ଥା ଯଥା ହିରୋ, ହୋଣ୍ଡା, ଟିଭିଏସ୍‌ ଆଦି ଇଲେକ୍ଟ୍ରିକ୍ ଗାଡ଼ି ଆଣିବା ଯୋଜନା ରଖିଥିବା କହିଛନ୍ତି। କାର୍‌ ବଜାରରେ ମାରୁତି ସୁଜୁକି ଠାରୁ ଆରମ୍ଭ କରି ଟାଟା ମୋଟର୍ସ ପର୍ଯ୍ୟନ୍ତ ପ୍ରାୟ ସବୁ ପ୍ରମୁଖ କଂପାନି ନିଜର ଇଲେକ୍ଟ୍ରିକ୍ ଗାଡ଼ି ଆଣିବାକୁ ସଜବାଜ ହେଉଛନ୍ତି। ଟାଟା ମୋଟର୍ସ ପାଖରେ ଇଲେକ୍ଟ୍ରିକ୍ ଗାଡ଼ିର ମଡେଲ୍ ରହିଛି। ଅନ୍ୟମାନଙ୍କ ଠାରୁ ଆଗରେ ରହିବା ଲାଗି ଏହା ଏହି କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ କରିବାକୁ ଯୋଜନା ରଖିଛି।

 ସବୁଜ ଶକ୍ତି
ଦେଶର ଦୁଇ ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ଓ ଗୌତମ ଆଦାନିଙ୍କ ମଧ୍ୟରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆଗରେ ରହିବା ଲାଗି ଦୌଡ଼ ଆରମ୍ଭ ହୋଇଯାଇଛି। ସୌର ଶକ୍ତି କ୍ଷେତ୍ରରେ ଆଦାନି ବହୁ ଆଗରେ ଥିବା ବେଳେ ମୁକେଶ ଗୁଜରାଟର ଜାମନଗରରେ ଏକ ଗିଗା ଫ୍ୟାକ୍ଟ୍ରି ସ୍ଥାପନ କରିବା ଯୋଜନା ବିଷୟରେ ଘୋଷଣା କରିଛନ୍ତି। ଉଭୟ ସଂସ୍ଥା ଗ୍ରିନ୍ ହାଇଡ୍ରୋଜେନ୍ ଉତ୍ପାଦନ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି। ଇଲେକ୍ଟ୍ରୋଲାଇଜର୍‌କୁ ବ୍ୟବହାର କରି ଗ୍ୟାସ୍‌ରୁ କିମ୍ବା ପାଣିକୁ ବିଭାଜନ କରି ଗ୍ରିନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ। କେବଳ ଘରୋଇ ସଂସ୍ଥା ନୁହେଁ ଏନ୍‌ଟିପିସି,‌ ଗେଲ୍ ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟ ଅକ୍ଷୟ ଶକ୍ତିକୁ ନେଇ ବଡ଼ ଯୋଜନା ରଖିଛନ୍ତି।

 ଅର୍ଥନୀତିରେ ପୂର୍ଣ୍ଣ ସୁଧାର ହେବ
ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିରେ ସୁଧାର ଧାରା ୨୦୨୦ର ଅକ୍ଟୋବର-ଡିସେମ୍ବର ତ୍ରୟମାସରୁ ଆରମ୍ଭ ହୋଇଥିଲା। ତାହା ୨୦୨୧ ଶେଷ ପର୍ଯ୍ୟନ୍ତ ଜାରି ରହିଛି। କ୍ରମାଗତ ଭାବେ ଯୁକ୍ତାତ୍ମକ ଅଭିବୃଦ୍ଧି ହାସଲ କରୁଥିବା ଭାରତୀୟ ଅର୍ଥନୀତି ୨୦୨୧-୨୨ରେ ୯.୫% ଅଭିବୃଦ୍ଧି ହାସଲ କରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଯଦି ତାହା ସତ ହେବ ତେବେ ୨୦୨୨ରେ ଅର୍ଥନୀତିରେ ପୂର୍ଣ୍ଣ ସୁଧାର ହେବ ବୋଲି କୁହାଯାଇପାରିବ। ସେହି ସମୟରେ ଜିଏସ୍‌ଟି ସଂଗ୍ରହ ମଧ୍ୟ ତ୍ବରାନ୍ବିତ ହେବ।

ସମ୍ବନ୍ଧିତ ଖବର