ଆମାଜନ ମୁଖ୍ୟଙ୍କୁ ବିରୋଧ କରିବେ ବ୍ୟବସାୟୀ: ରାଜ୍ୟର ୮ ସହରରେ ହେବ ପ୍ରତିବାଦ

ନୂଆଦିଲ୍ଲୀ/ଭୁବନେଶ୍ବର: ଆମେରିକାର ଇ-କମର୍ସ କମ୍ପାନି ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍ ଆସନ୍ତା ୧୫ ତାରିଖରେ ଭାରତ ଗସ୍ତରେ ଆସିବେ। ଆମାଜନ୍ ମୁଖ୍ୟଙ୍କ ଭାରତ ଗସ୍ତକୁ ଦେଶର ବ୍ୟବସାୟୀମାନେ ପ୍ରବଳ ବିରୋଧ କରୁଛନ୍ତି। ଏଥିପାଇଁ ଦେଶର ୩୦୦ଟି ସ୍ଥାନରେ ବ୍ୟବସାୟୀମାନେ ‌ଜେଫ୍‌ଙ୍କ ଗସ୍ତକୁ ବ୍ୟବସାୟୀମାନେ ସେଦିନ ବିରୋଧ କରି ପ୍ରତିବାଦ କରିବେ। ଏହି ଦିନକୁ ବ୍ୟବସାୟୀମାନେ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳନ କରିବେ। ଦେଶର ୩୦୦ଟି ସ୍ଥାନ ମଧ୍ୟରୁ ଓଡ଼ିଶାର ୮ଟି ସହରରେ ବ୍ୟବସାୟୀମାନେ ପ୍ରତିବାଦ କରିବେ। ସେହି ସହର ଗୁଡ଼ିକ ହେଲା ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଜୟପୁର, ବଲାଙ୍ଗୀର ଏବଂ ‌ବାଲେଶ୍ବର। ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଆଜି ଏହି ସୂଚନା ଦେଇଛନ୍ତି। ତେବେ ଆନ୍ଦୋଳନର ରୂପରେଖ କ’ଣ ରହିବ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିର କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ୧୫ ତାରିଖରେ ବ୍ୟବସାୟୀମାନଙ୍କ ଦ୍ବାରା ଦେଶବ୍ୟାପୀ ହେବାକୁ ଥିବା ପ୍ରତିବାଦରେ ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ, ବିତରକ, ମୋବାଇଲ ଫୋନ୍ ଦୋକାନୀ ଏବଂ ବାଣିଜ୍ୟ ସଂଘ ଗୁଡ଼ିକ ସାମିଲ ହେବେ। ଇ-କମର୍ସ କମ୍ପାନି ଗୁଡ଼ିକ ଗ୍ରାହକଙ୍କୁ ଦେଉଥିବା ବିପୁଳ ରିହାତିକୁ ବ୍ୟବସାୟୀମାନେ ବିରୋଧ କରୁଛନ୍ତି ବୋଲି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ କହିଛି। କମ୍ ମୂଲ୍ୟରେ ଇ-କମର୍ସ କମ୍ପାନି ଗୁଡ଼ିକ ସାମଗ୍ରୀ ବିକ୍ରି କରିବା ଏବଂ ବିପୁଳ ମାତ୍ରାରେ ରିହାତି ଦେବା ଏବଂ ଅନ୍ୟାନ୍ୟ ବିଷୟକୁ ପ୍ରତିବାଦରେ ସାମ୍ନାକୁ ଆଣିବାକୁ ଚାହୁଁଛୁ ବୋଲି ସର୍ବ ଭାରତୀୟ ଶିଳ୍ପ ମହାସଂଘର ସେକ୍ରେଟାରି ଜେନେରାଲ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି।

ସୂଚନା ଅନୁଯାୟୀ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ବ୍ୟବସାୟୀଙ୍କ ପାଇଁ ଭାରତୀୟ ଶିଳ୍ପ ମହାସଂଘ ସହଯୋଗରେ ଆମାଜନ ପକ୍ଷରୁ ସମ୍ଭବ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବ। ଏହି କାର୍ଯ୍ୟକ୍ରମରେ କିଶୋର ବିୟାନୀ ଏବଂ ପୀୟୂଷ ପାଣ୍ଡେ ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଆମାଜନର ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ବ୍ୟବସାୟୀମାନଙ୍କୁ ଅନଲାଇନ୍ ବ୍ୟବସାୟ ସମ୍ପର୍କରେ ଉଦ୍‌ବୋଧନ ଦେବେ। ଆସନ୍ତା ୧୫ ତାରିଖରେ ବ୍ୟବସାୟୀମାନଙ୍କ ପକ୍ଷରୁ ଯେଉଁ ପ୍ରତିବାଦ ହେବ ସେଥିରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି), ସର୍ବ ଭାରତୀୟ ମୋବାଇଲ ରିଟେଲର୍ସ ସଂଘ, ସର୍ବ ଭାରତୀୟ ଖାଉଟି ଉତ୍ପାଦ ବିତରକ ମହାସଂଘ ସମେତ ୫୦୦୦ରୁ ଅଧିକ ବାଣିଜ୍ୟ ସଂଘ ସାମିଲ ହେବେ।

ଆମାଜନ୍ ଏବଂ ୱାଲମାର୍ଟ ମାଲିକାନାରେ ପରିଚାଳିତ ଫ୍ଲିପକାର୍ଟ ଭଳି କମ୍ପାନିଙ୍କ ଆଧିପତ୍ୟ ଭାରତର ଖୁଚୁରା ବ୍ୟବସାୟରେ ବଢ଼ିବାରେ ଲାଗିଛି। ପ୍ରଚୁର ମାତ୍ରାରେ ନିବେଶ କରିବା ସହିତ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିପୁଳ ରିହାତି ଏବଂ ସ୍ବତନ୍ତ୍ର ଅଫର୍‌ ଆଦି ପ୍ରଦାନ କରୁଛନ୍ତି। ଏହାଦ୍ବାରା ଇ-କମର୍ସ କମ୍ପାନି ଗୁଡ଼ିକ ଇଣ୍ଟରନେଟ୍ ମାଧ୍ୟମରେ ଗ୍ରାହକଙ୍କ ନିକଟରେ ସହଜରେ ଏବଂ କମ୍‌ ମୂଲ୍ୟରେ ସାମଗ୍ରୀ ପହଞ୍ଚାଇ ପାରୁଛନ୍ତି। ଫଳରେ ଫୋନ, ‌ପୋଷାକ, ଖାଦ୍ୟ ପଦାର୍ଥ ସହିତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଥିବା ଦେଶର ଲକ୍ଷ ଲକ୍ଷ୍ୟ ଛୋଟ ଏବଂ ମଧ୍ୟମ ଧରଣର ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ହରାଉଛନ୍ତି। ବାଣିଜ୍ୟ ସଂଘଗୁଡ଼ିକ ଯଦିଓ ଅନଲାଇନ ରିଟେଲ ବ୍ୟବସାୟକୁ ବିରୋଧ କରୁନାହାନ୍ତି ତଥାପି ଭାରତରେ ସେମାନେ ଆବଶ୍ୟକ ନିୟମ ପାଳନ କରିବାକୁ ଦାବି କରିଆସୁଛନ୍ତି। ଇ-କମର୍ସ କମ୍ପାନି ଗୁଡ଼ିକ କମ୍ ମୂଲ୍ୟରେ ସାମଗ୍ରୀ ବିକ୍ରି କରିବା ସହିତ ବିପୁଳ ରିହାତି ପ୍ରଦାନ କରୁଥିବାରୁ ସାଧାରଣ ବ୍ୟବସାୟୀମାନେ ସେମାନଙ୍କ ସହିତ ପ୍ରତିଯୋଗିତା କରିପାରୁନାହାନ୍ତି।

ସମ୍ବନ୍ଧିତ ଖବର