ଜିଏସ୍‌ଟି କ୍ଷତିପୂରଣ ମାମଲା: କେନ୍ଦ୍ର ବିରୋଧରେ ଲଢ଼େଇ ହେବ

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣ ରାଶି ମିଳିବାରେ ଅହେତୁଳ ବିଳମ୍ବ ହେଉଥିବା ବି‌ଷୟକୁ ଅଣ-ବିଜେପି ଶାସିତ ରାଜ୍ୟଗୁଡ଼ିକ ଗୁରୁତ୍ବର ସହ ନେଇଛନ୍ତି। ଏହାକୁ ସେମା‌ନେ ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ କରିବାକୁ ସଜବାଜ ହେଉଛନ୍ତି। ଖୁବ୍‌ଶୀଘ୍ର ଏହି ପ୍ରସଙ୍ଗରେ କେନ୍ଦ୍ର-ରାଜ୍ୟ ରା‌ଜନୈତିକ ଲଢ଼େଇ ଆରମ୍ଭ ହେବ। କେନ୍ଦ୍ର ବିରୋଧରେ ଲଢ଼େଇ କରିବାକୁ ସଜବାଜ ହେଉଥିବା ରାଜ୍ୟଗୁଡ଼ିକ ହେଉଛନ୍ତି କେରଳ, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀ। ପ୍ରଥମେ ସେମାନେ ମିଳିତ ହୋଇ ଏହି ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବେ। ଏହା ପରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିବେ। ଯଦି ସେଥିରୁ କୌଣସି ସୁଫଳ ନମିଳିବ ତେବେ ବିଧାନସଭାରେ ଏନେଇ ସଂକଳ୍ପ ଗୃହୀତ କରାଇବେ। ଏହା ପରେ କେନ୍ଦ୍ର ବିରୋଧରେ ଜୋରଦାର ଲଢ଼େଇ କରିବେ।

ଜିଏସ୍‌ଟି ରାଜସ୍ବ ବଢ଼ାଇବା ଲାଗି ଜିଏସ୍‌ଟି ହାରରେ ବୃଦ୍ଧି ଆଣିବାକୁ କେନ୍ଦ୍ର ସରକାର ଯେଉଁ ଯୋଜନା ରଖିଛନ୍ତି ତାହାକୁ ଛତିଶଗଡ଼ ତୀବ୍ର ବିରୋଧ କରିଛି। ଛତିଶଗଡ଼ କହିଛି ଯେ, ଏହା ଦ୍ବାରା କେନ୍ଦ୍ର ଲାଭବାନ ହେବ ଏବଂ ଆମେ ପ୍ରଭାବିତ ହେବୁ। ଆମେ ଜିଏସ୍‌ଟି ହାରରେ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରୁଛୁ ବୋଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି। ସେ ଜିଏସ୍‌ଟି କ୍ଷତିପୂରଣ ସେସ୍‌କୁ ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି। କୋଇଲା ବ୍ଲକ୍ ନିଲାମ ଲାଗି ଯେଉଁ ନୀତି ପ୍ରସ୍ତୁତ କରାଯାଇଛି ଯାହା ଦ୍ବାରା ଛତିଶଗଡ଼ର ରାଜସ୍ବ ହାନି ହୋଇଥିବା ସେ କହିଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଥିଲେ ଏବଂ ନିତି ଆୟୋଗ ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ବର୍ତ୍ତମାନ ୫% ଥିବା ଜିଏସଟିର ଏକ ସ୍ଲାବ୍‌କୁ ୬% କରିବା ଲାଗି କେନ୍ଦ୍ର ଜିଏସ୍‌ଟି ପରିଷଦ ତରଫରୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। କିଛି ଦିନ ତଳେ ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀଙ୍କ ଏକ ପ୍ରତିନିଧି ଦଳ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଜିଏସ୍‌ଟି କ୍ଷତିପୂରଣ ମିଳିବାରେ ହେଉଥିବାବ ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ସମସ୍ୟାର ତ୍ବରିତ ସମାଧାନ କରାଯିବ ବୋଲି ନିର୍ମଳା ପ୍ରତିଶ୍ରୁତି ଦେଇଥିଲେ। ଜିଏସ୍‌ଟି ହେଉଛି ପରୋକ୍ଷ ଟିକସ କ୍ଷେତ୍ରରେ ଏକ ବଡ଼ ଧରଣର ସଂସ୍କାର। ୨୦୧୭ ଜୁଲାଇରେ ଏହାକୁ ଲାଗୁ କରାଯାଇଥିଲା।

ସମ୍ବନ୍ଧିତ ଖବର