ବ୍ୟାଙ୍କ ମିଶ୍ରଣକୁ ବିରୋଧ, ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ

ଏହି ମିଶ୍ରଣ ଅର୍ଥ ‌ହେଉଛି ୬ ବ୍ୟାଙ୍କକୁ ବନ୍ଦ କରିବା: କର୍ମଚାରୀ ସଂଘ

ନୂଆଦିଲ୍ଲୀ/ଭୁବନେଶ୍ବର: ଦଶଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ କରିବା ଲାଗି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ କର୍ମଚାରୀମାନେ ବିରୋଧ କରିଛନ୍ତି। ଆଜି ସର୍ବଭାରତୀୟ ସ୍ତରରେ ବିଭିନ୍ନ କର୍ମଚାରୀ ସଂଘ ପକ୍ଷରୁ ବ୍ୟାଙ୍କଗୁଡ଼ିକର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କର୍ମଚାରୀମାନେ କଳା ବ୍ୟାଜ୍ ପରିଧାନ କରିଥିଲେ।

ଆଜି ଭୁବନେଶ୍ବରରେ ଶ୍ରୀୟା ହଲ୍‌ ପାଖରେ ଥିବା ୟୁବିଆଇ କାର୍ଯ୍ୟାଳୟ ସମ୍ମୁଖରେ ୟୁନାଇଟେଡ୍ ଫୋରମ୍ ଅଫ୍‌ ବ୍ୟାଙ୍କ ୟୁନିଅନ (ୟୁବିଏଫ୍‌ୟୁ) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ୟୁବିଏଫ୍‌ୟୁର ରାଜ୍ୟ ସଂଯୋଜକ ସମ୍ବିତ ମିଶ୍ର, ଏଆଇବିଇଏର ପି କେ ତ୍ରିପାଠୀ ଓ ସଂଜୀବ ପତି, ଏନ୍‌ସିବିଇର ଏ ଏସ୍‌ ଜେନା, ଏଆଇବିଓସିର ଦାମୋଦର ନନ୍ଦ ଓ ବେଫିର ପ୍ରକାଶ ରାୟ ଉପସ୍ଥିତ ରହି ସରକାରଙ୍କ ବ୍ୟାଙ୍କ ମିଶ୍ରଣ ପଦକ୍ଷେପକୁ ବିରୋଧ କରିଛନ୍ତି। ସେହିପରି, ଜାତୀୟ ସ୍ତରରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସି ଏଚ୍‌ ଭେଙ୍କଟଚେଲମ୍ କହିଛନ୍ତି ଯେ, ଏହି ମିଶ୍ରଣ ନିଷ୍ପତ୍ତି ଭୁଲ ସମୟରେ ନିଆଯାଇଛି। ଏହାର ସମୀକ୍ଷା ହେବା ଦରକାର। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ଲାଗି ଏକ ରୢାଲି ଆୟୋଜନ କରାଯିବ। ‌ସେ କହିଛନ୍ତି ୧୦ଟି ବ୍ୟାଙ୍କକୁ ମିଶାଇ ଚାରିଟି ବ୍ୟାଙ୍କ କରିବାର ସିଧାସଳଖ ଅର୍ଥ ହେଉଛି ୬ଟି ବ୍ୟାଙ୍କକୁ ବନ୍ଦ କରିବା। ଯେଉଁ ବ୍ୟାଙ୍କଗୁଡ଼ିକ ଦୀର୍ଘ ବର୍ଷର ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିଲା ସେଗୁଡ଼ିକ ବ୍ୟାଙ୍କିଙ୍ଗ ଜଗତରୁ ସମ୍ପୂର୍ଣ୍ଣ ଉଭେଇଯିବେ।

ଅର୍ଥନୀତି ପ୍ରତି ସରକାରୀ ବ୍ୟାଙ୍କଗୁଡ଼ିକ କେତେ ଗୁରୁତ୍ବପୂର୍ଣ୍ଣ ତାହା ଜଣାଇବା ଲାଗି ଶ୍ରୀ ଭେଙ୍କଟଚେଲମ କହିଛନ୍ତି ଯେ, ‌‌‌‌ଯେ‌ତେବେଳେ ୨୦୦୮ରେ ବିଶ୍ବ ମାନ୍ଦାବସ୍ଥା ଦେଖାଦେଇଥିଲା ସେହି ସମୟରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା। ସରକାରୀ ବ୍ୟାଙ୍କଗୁଡ଼ିକ‌ ଯୋଗୁ ଏହା ସମ୍ଭବ ହୋଇଥିଲା ବୋଲି ସେ କହିଛନ୍ତି। ସରକାରଙ୍କ ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରିବା ପାଇଁ ଆଉ କ’ଣ ପଦକ୍ଷେପ ଗ୍ରହଣ କରାଯିବ ସେ ବିଷୟରେ ବିଚାର କରିବା ଲାଗି ଆସନ୍ତା ସେପ୍ଟେମ୍ବର ୧୧ରେ ନୂଆଦିଲ୍ଲୀରେ ସଂଘର ଏକ ବୈଠକ ହେବ। ଧର୍ମଘଟ କରାଯିବ ନା‌ ନାହିଁ ସେ ସମ୍ପର୍କିତ ନିଷ୍ପତ୍ତି ସେହି ବୈଠକରେ ଗ୍ରହଣ କରାଯିବ।

ଉଲ୍ଲେଖଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ୧୦ଟି ବ୍ୟାଙ୍କର ମି‌ଶ୍ରଣ ବିଷୟରେ ଘୋଷଣା କରିଥିଲେ। ସେହି ବ୍ୟାଙ୍କଗୁଡ଼ିକ ହେଉଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କାନାରା ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ, ଆହ୍ଲାବାଦ ବ୍ୟାଙ୍କ, ସିଣ୍ଡିକେଟ ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଏବଂ ଆନ୍ଧ୍ର ବ୍ୟାଙ୍କ। ଏହି ମିଶ୍ରଣ ପ୍ରକ୍ରିୟା ଶେଷ ହେବା ପରେ ଦେଶରେ ସରକାରୀ ବ୍ୟାଙ୍କ ସଂଖ୍ୟା ୧୨କୁ ହ୍ରାସ ପାଇବ।

କାହିଁକି ବାଦ ପଡ଼ିଲେ ୪ଟି ବ୍ୟାଙ୍କ?
ସରକାର ୧୦ଟି ବ୍ୟାଙ୍କର ମିଶ୍ରଣ ଘୋଷଣା କରିଥିବା ବେଳେ ଚାରିଟି ଦୁର୍ବଳ ବ୍ୟାଙ୍କକୁ ବାଦ ଦେଇଛନ୍ତି। କେଉଁ ଆଧାରରେ ସେହି ବ୍ୟାଙ୍କଗୁଡ଼ିକୁ ବାଦ ଦିଆଗଲା ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବ୍ୟାଙ୍କ ମିଶ୍ରଣ ପଛରେ ରାଜନୀତି ହୋଇଥିବା ଅଭିଯୋଗ ହୋଇଛି। କେତେକ ନିର୍ଦ୍ଦିଷ୍ଟ କାରଣ ଯୋଗୁ ଏହି ବ୍ୟାଙ୍କଗୁଡ଼ିକୁ ବାଦ ଦିଆଯାଇଥିବା କୁହାଯାଉଛି। କୋଲକାତାରେ ତିନିଟି ସରକାରୀ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଥିଲା। ସେଥି ମଧ୍ୟରୁ ଆହ୍ଲାବାଦ ବ୍ୟାଙ୍କ ଓ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ମିଶ୍ରଣ ପ୍ରକ୍ରିୟାରେ ସାମିଲ କରାଯାଇଥିବା ବେଳେ ୟୁକୋ ବ୍ୟାଙ୍କକୁ ବାଦ ଦିଆଯାଇଛି। କୋଲକାତାରୁ ସବୁ ସରକାରୀ ବ୍ୟାଙ୍କର କାର୍ଯ୍ୟାଳୟକୁ ଉଠାଇନେଲେ ଆନ୍ଦୋଳନ ହେବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

ଆସନ୍ତା ଅକ୍ଟୋବରରେ ମହାରାଷ୍ଟ୍ରରେ ନିର୍ବାଚନ ହେବାକୁ ଥିବାରୁ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରକୁ ମିଶ୍ରଣ ପ୍ରକ୍ରିୟାରୁ ବାଦ ଦିଆଯାଇଛି ବୋଲି କୁହାଯାଉଛି। ସିରୋମଣି ଅକାଳି ଦଳ ସହିତ ଶାସକ ଦଳର ଭଲ ସମ୍ପର୍କ ରହିଛି। ପଞ୍ଜାବ ଆଣ୍ଡ୍‌ ସିନ୍ଧ୍‌ ବ୍ୟାଙ୍କର ମିଶ୍ରଣ କରି ସେହି ସମ୍ପର୍କକୁ ସରକାର ଭାଙ୍ଗିବାକୁ ଚାହୁନଥିଲେ। ସେଥିପାଇଁ ଏହି ବ୍ୟାଙ୍କକୁ ମିଶ୍ରଣ ପ୍ରକ୍ରିୟାରୁ ବାଦ ଦିଆଯାଇଛି। ତାମିଲନାଡ଼ୁରେ ରାଜନୈତିକ ହଟଚମଟ ହେବାର ଆଶଙ୍କା ରହିଥିବାରୁ ଚେନ୍ନାଇରେ ମୁଖ୍ୟ କାର୍ଯ୍ୟ‌ାଳୟ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ (ଆଇଓବି)କୁ ମିଶ୍ରଣରୁ ବାଦ ଦିଆଯାଇଥିବା କୁହାଯାଉଛି। ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଏନ୍‌ପିଏ ସ୍ଥିତି ଏତେ ଖରାପ ରହିଛି ଯେ ସେହି ଦୁଇ ବ୍ୟାଙ୍କର ମିଶ୍ରଣ କରିବାକୁ ସରକାର ସାହସ ଜୁଟାଇ ପାରିନାହାନ୍ତି।

ସମ୍ବନ୍ଧିତ ଖବର