ନୂଆଦିଲ୍ଲୀ: ସଞ୍ଚୟ ଖାତାରେ ସର୍ବନିମ୍ନ ଅର୍ଥରାଶି ନ ରଖିଥିବା ଗ୍ରାହକମାନଙ୍କ ଠାରୁ ଜରିମାନା ଓ ଫ୍ରି’ ଟ୍ରାନ୍ଜାକ୍ସନ୍ ବାଦ ଏଟିଏମ୍ରେ କରାଯାଥିବା ଟ୍ରାନ୍ଜାକ୍ସନ୍ ବାବଦରେ ରାଷ୍ଟ୍ରାୟତ ବ୍ୟାଙ୍କ୍ ସବୁ ଗତ ସାଢ଼େ ତିନି ବର୍ଷ ମଧ୍ୟରେ ୧୦, ୦୦୦ କୋଟିରୁ ଅଧିକ ଅର୍ଥ ସଂଗ୍ରହ କରିଥିବା କଥା ପାର୍ଲାମେଣ୍ଟ୍ରେ ଦାଖଲ ହୋଇଥିବା ତଥ୍ୟରୁ ଜଣାପଡ଼ିଛି।
ପାର୍ଲାମେଣ୍ଟ୍ ପ୍ରଶ୍ନର ଗୋଟିଏ ଲିଖିତ ଉତ୍ତର ଅନୁସାରେ, ୨୦୧୨ ଯାଏଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଲୋ ମନ୍ଥଲି ବାଲାନ୍ସ୍ ଆଦାୟ କରୁଥିଲା, କିନ୍ତୁ ମାର୍ଚ ୩୧, ୨୦୧୬ ପର୍ଯ୍ୟନ୍ତ ତାହା ବନ୍ଦ ରଖିଥିଲା। ମାତ୍ର ସେ ସମୟରେ ଘରୋଇ ବ୍ୟାଙ୍କ୍ ସମେତ ଅନ୍ୟ ବ୍ୟାଙ୍କ୍ ସବୁ ବୋର୍ଡ ଦ୍ୱାରା ଅନୁମୋଦିତ ଜରିମାନା ଆଦାୟ କରୁଥିଲେ। ଏପ୍ରିଲ୍ ୧, ୨୦୧୭ ଠାରୁ ଏସ୍ବିଆଇ ପୁଣି ଜରିମାନା ଆଦାୟ କରିବାକୁ ଲାଗିଲା। ପରେ ଅକ୍ଟୋବର ୧, ୨୦୧୭ ଠାରୁ ସର୍ବନିମ୍ନ ଜମା ରାଶି ହ୍ରାସ କରାଗଲା।
ବେସିକ୍ ସେଭିଙ୍ଗ୍ସ୍ ବ୍ୟାଙ୍କ୍ ଡିପୋଜିଟ୍ ଆକାଉଣ୍ଟ୍ ଏବଂ ଜନ-ଧନ ଆକାଉଣ୍ଟ୍ ନିମନ୍ତେ ସର୍ବ ନିମ୍ନ ଜମା ରାଶି ଅନାବଶ୍ୟକ। ଏହା ବ୍ୟତିରେକେ, ଗତ ସାଢ଼େ ତିନି ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ବ୍ୟାଙ୍କ୍ଗୁଡ଼ିକ ୧୦, ୦୦୦ କୋଟି ଟଙ୍କା ଏବଂ ଘରୋଇ ବ୍ୟାଙ୍କ୍ଗୁଡ଼ିକ ମଧ୍ୟ ବିପୁଳ ପରିମାଣର ଅର୍ଥ ଜରିମାନା ବାବଦରେ ସଂଗ୍ରହ କରିଛନ୍ତି।
ମଙ୍ଗଳବାର ଦିନ ଲୋକସଭା ସାଂସଦ ଦିବ୍ୟେନ୍ଦୁ ଅଧିକାରୀ ଉତ୍ଥାପନ କରିଥିବା ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରାଳୟ ସବିଶେଷ ତଥ୍ୟ ଦାଖଲ କରିଥିଲା। ବ୍ୟାଙ୍କ୍ ସମୂହ ଯୋଗାଉ ଥିବା ସେବା ନିମନ୍ତେ ଆଦାୟ କରୁଥିବା ଅର୍ଥରାଶି ସେମାନଙ୍କ ବୋର୍ଡ ଦ୍ୱାରା ଅନୁମୋଦିତ ଏବଂ ସେମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଅନୁମତି ଦେଇଛି।