ହ୍ବାଟସ୍‌ଆପ୍ ବିରୋଧରେ ଜନସ୍ବାର୍ଥ ମାମଲା

ଶୁଣାଣିରୁ ଓହରିଲେ ବିଚାରପତି, ଅଲଗା ଖଣ୍ଡପୀଠରେ ହେବ ଶୁଣାଣି

ନୂଆଦିଲ୍ଲୀ : ହ୍ବାଟସ୍‌ଆପ୍ ବିରୋଧରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲା ଶୁଣାଣି ପ୍ରକ୍ରିୟାରୁ ଓହରିଯାଇଛନ୍ତି ଦିଲ୍ଲୀ ହାଇକୋର୍ଟର ବିଚାରପତି ପ୍ରତିଭା ଏମ୍ ସିଂହ। ସେଥିପାଇଁ ଏହି ମାମଲାର ପରବର୍ତୀ ଶୁଣାଣି ଅନ୍ୟ ଏକ ଖଣ୍ଡପୀଠ ଦ୍ବାରା ଜାନୁଆରି ୧୮ରେ ହେବ ବୋଲି ସ୍ଥିର ହୋଇଛି। ହ୍ବାଟସ୍‌ଆପ୍ ଜାରି କରିଥିବା ନୂଆ ଗୋପନୀୟତାର ନୀତି ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଦାବି କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ହ୍ବାଟସ୍‌ଆପ୍ ଯେଉଁ ଗୋପନୀୟତା ନୀତି ଜାରି କରିଛି ସେଥିରେ ବ୍ୟବହାରକାରୀଙ୍କ ତଥ୍ୟ ଫେସ୍‌ବୁକ୍‌କୁ ଦେବ ବୋଲି କହିଛି। ଏଥିପାଇଁ ବ୍ୟବହାରକାରୀଙ୍କ ଅନୁମତି ଲୋଡ଼ିଛି। ଯେଉଁମାନେ ଏହି ସର୍ତ୍ତରେ ରାଜି ହେବେ ନାହିଁ ସେମାନେ ଫେବ୍ରୁଆରି ୮ ପରେ ଆଉ ଫେସ୍‌ବୁକ୍ ବ୍ୟବହାର କରିପାରିବେ ନାହିଁ। କଂପାନିର ଏହି ନୀତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଶେଷରେ ହ୍ବାଟସ୍‌ଆପ୍ ସ୍ପଷ୍ଟୀକରଣ ଦେଇଛି ଯେ ବ୍ୟବହାରକାରୀଙ୍କ ମେସେଜ୍, ବାର୍ତାଳାପ ଓ କଲ୍‌ ତଥ୍ୟ ଫେସ୍‌ବୁକ୍‌କୁ ଦିଆଯିବ ନାହିଁ। ହ୍ବାଟସ୍‌ଆପ୍ ବିରୋଧରେ ଦାୟର କରାଯାଇଥିବା ଜନସ୍ବାର୍ଥ ମାମଲାରେ ଉଲ୍ଲେଖ କରାଯାଇଛି ଯେ ବିଶ୍ବର ପ୍ରତି ଦ୍ବିତୀୟ ୱେବ୍‌ସାଇଟ୍‌ ସହିତ ଫେସବୁକ୍ ଯୋଡ଼ି ହୋଇରହିଛି ଓ ସେଠାରୁ ମଧ୍ୟ ତଥ୍ୟ ସଂଗ୍ରହ କରୁଛି। ଯଦି ଫେସବୁକ୍‌ ଏହାର ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକ୍‌ ଦେବ ତେବେ ବିଶ୍ବର ଏହି ବୃହତ କଂପାନିର ନଜରରେ ସବୁ ଲୋକ ରହିବେ। ହ୍ବାଟସ୍‌ଆପ୍ ସମ୍ପୂର୍ଣ୍ଣ ଏକଚାଟିଆ‌ ଭାବେ ନିଷ୍ପତ୍ତି ନେଇ ଏହି ନୀତିକୁ ଗ୍ରହଣ କରିବା ଲାଗି ବ୍ୟବହାରକାରୀଙ୍କୁ ବାଧ୍ୟ କରୁଛି। ଆଇନଜୀବୀ ଚୈତନ୍ୟ ରୋହିଲା ଦାୟର କରିଥିବା ଏହି ଜନସ୍ବାର୍ଥ ମାମଲାରେ ସେ ଦାବି କରିଛନ୍ତି ଯେ ହ୍ବାଟସ୍‌ଆପ୍ ଏହାର ଗୋପନୀୟତା ନୀତିରେ ଯେଉଁ ପରିବର୍ତ୍ତନ ଆଣୁଛି ତାହା ସମ୍ବିଧାନର ଧାରା ଅଧୀନରେ ରହିବା ଉଚିତ। ସେଥିପାଇଁ କଂପାନିକୁ ନିର୍ଦେଶ ଦେବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର