ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ସାର୍ବଜନୀନ ପେନ୍‌ସନ୍ ଯୋଜନା ଆଣିବା ଉପରେ କାମ କରୁଛନ୍ତି। ଏଥିରେ ଦେଶର ସବୁ ନାଗରିକଙ୍କ ଲାଗି ପେନ୍‌ସନ୍ ସୁନିଶ୍ଚିତ କରାଯିବ। ସେଥିରେ ଅଣ ସଂଗଠିତ କ୍ଷେତ୍ରର ଲୋକଙ୍କୁ ବି ସାମିଲ କରାଯିବ। ବର୍ତ୍ତମାନ ନିର୍ମାଣ କ୍ଷେତ୍ର, ଘରେ କିମ୍ବା ଗିଗ୍‌ ଶ୍ରମିକ ଭାବେ କାମ କରୁଥିବା ଲୋକମାନଙ୍କ ପାଇଁ କୌଣସି ପ୍ରକାର ପେନ୍‌ସନ୍ ଯୋଜନା ନାହିଁ। ସରକାର ଯେଉଁ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି, ତାହାର ଲାଭ ବେତନଭୋଗୀ କର୍ମଚାରୀ ଏବଂ ବ୍ୟବସାୟ ଜରିଆରେ ସ୍ବାବଲମ୍ବୀ ହୋଇଥିବା ଲୋକମାନଙ୍କୁ ମିଳିବ। ବର୍ତ୍ତମାନ ଯୋଜନାର ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି। ଏହାପରେ ତାହାକୁ ଅଂଶୀଦାରମାନଙ୍କ ପାଖକୁ ଆଲୋଚନା ପାଇଁ ପଠାଯିବ। ଏହି ଯୋଜନା ଦ୍ବାରା ପେନ୍‌ସନ୍‌ରୁ ବଞ୍ଚିତ ହୋଇଥିବା ଲୋକମାନେ ଉପକୃତ ହେବେ।

Advertisment

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ପେନ୍‌ସନ୍‌ଠାରୁ ଏହି ଯୋଜନା ଭିନ୍ନ ରହିବ। କାରଣ ସରକାର ଏଥିରେ ବିଭିନ୍ନ ପ୍ରକାର ଯୋଜନାକୁ ମିଶାଇ ଗୋଟିଏ ସାର୍ବଜନୀନ ପେନ୍‌ସନ୍ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାକୁ ସ୍ବେଚ୍ଛାକୃତ ରଖାଯିବ। ଅର୍ଥାତ ଯେଉଁମାନେ ଚାହି‌ବେ, ସେମାନେ ଏଥିରେ ସାମିଲ ହୋଇପାରିବେ। ଏଥିରେ ଯେଉଁମାନେ ସାମିଲ ହେବେ ସେମାନଙ୍କୁ ପରିଣତ ବୟସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ପେନ୍‌ସନ୍ ମିଳିବ। ଏହି ନୂଆ ଯୋଜନା ଦ୍ବାରା ଜାତୀୟ ପେନ୍‌ସନ୍ ସ୍କିମ୍ (ଏନ୍‌ପିଏସ୍) କୌଣସି ପ୍ରକାରରେ ପ୍ରଭାବିତ ହେବ ନାହିଁ। ଏନ୍‌ପିଏସ ସ୍ଥାନରେ ଏହା ଲାଗୁ ହେବ ନାହିଁ। ଦେଶରେ ବର୍ତ୍ତମାନ ଏନ୍‌ପିଏସ୍ ଓ ଅଟଳ ପେନ୍‌ସନ୍ ଯୋଜନା ନାମରେ ଦୁଇଟି ପେନ୍‌ସନ୍ ଯୋଜନା ରହିଛି। ଅଟଳ ପେନ୍‌ସନ୍ ଯୋଜନାରେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ହେବା ପରେ ତାଙ୍କୁ ମାସିକ ୧୦୦୦ ଟଙ୍କାରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍ ମିଳିବ। ୧୮ରୁ ୪୦ ବର୍ଷ ବୟସର ଯେକୌଣସି ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇପାରିବେ। ତେବେ ଆୟକର ଦାଖଲ କରୁଥିବା ଲୋକମାନଙ୍କୁ ଏହାର ସୁବିଧା ମିଳୁନାହିଁ। ଏହି ଯୋଜନାରେ ଯୋଡ଼ିହେବା ଲାଗି ଲୋକଙ୍କ ପାଖରେ ବ୍ୟାଙ୍କ ଖାତା, ଆଧାର ନମ୍ବର ଓ ମୋବାଇଲ୍‌ ନମ୍ବର ଥିବା ଜରୁରୀ।