ମୁମ୍ବାଇ: ନବରାତ୍ରୀ ଏବଂ ଦଶହରାରେ ଦେଶରେ ବିପୁଳ ପରିମାଣର କାର୍, ବାଇକ୍, ଟିଭି ଏବଂ ଫ୍ରିଜ୍ ବିକ୍ରି ହୋଇଛି। ଏହି କିଛି ଦିନରେ ବ୍ୟବସାୟୀମାନେ ବିପୁଳ ପରିମାଣର ବେପାର କରିଛନ୍ତି। ଗତବର୍ଷ ତୁଳନାରେ ପାର୍ବଣ ଋତୁରେ ୧୫% ଅଧିକ କାର୍, ଟିଭି ଏବଂ ଫ୍ରିଜ୍ ବିକ୍ରି ହୋଇଛି। ଗ୍ରାହକମାନେ ଅଧିକ ପ୍ରିମିୟମ୍ ସାମଗ୍ରୀ କିଣିବାକୁ ଏଥର ପସନ୍ଦ କରିଛନ୍ତି। ଯେହେତୁ ଦଶହରାରେ ବିପୁଳ ପରିମାଣର ବେପାର ହୋଇଛି, ତେଣୁ ଦୀପାବଳିରେ ବ୍ୟବସାୟ ଆହୁରି ଜମିବ ବୋଲି ବ୍ୟବସାୟୀମାନେ ଆଶା ପ୍ରକଟ କରିଛନ୍ତି।
ବିମୁଦ୍ରାକରଣ ଏବଂ ଜିଏସ୍ଟି ଯୋଗୁଁ ବ୍ୟବସାୟ ଜଗତ ମନ୍ଥର ହୋଇଯାଇଛି ବୋଲି ଯେଉଁ ଚର୍ଚା ଚାଲିଛି ତାହାର କୌଣସି ପ୍ରଭାବ ପାର୍ବଣ ଋତୁରେ ଦେଖିବାକୁ ମିଳିନଥିଲା। ମାରୁତି ସୁଜୁକି, ହୁଣ୍ଡାଇ, ଏଲ୍ଜି, ସୋନି, ପାନାସୋନିକ୍ ଏବଂ ଗୋଦରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ କୁହାଯାଇଛି ଯେ ଗ୍ରାହକମାନେ ଏଥର ପ୍ରିମିୟମ୍ ଉତ୍ପାଦ କିଣିବାକୁ ଅଧିକ ଆଗ୍ରହ ଦେଖାଇଛନ୍ତି। ସୋନି ଇଣ୍ଡିଆର ବିକ୍ରି ମୁଖ୍ୟ ସତୀଶ ପଦ୍ମନାଭନ କହିଛନ୍ତି ଯେ, ଛୋଟ ସହରଗୁଡ଼ିକରେ ମଧ୍ୟ ଗ୍ରାହକମାନେ ୬୫ ହଜାର ଟଙ୍କା ମୂଲ୍ୟର ୪କେ ଟିଭି କିଣିଛନ୍ତି। ଏଲ୍ଜି ଇଲେକ୍ଟ୍ରୋନିକ୍ସର ମୁଖ୍ୟ ମାର୍କେଟିଂ ଅଧିକାରୀ ଅମିତ ଗୁଜରାଲ୍ କହିଛନ୍ତି ଯେ ବିମୁଦ୍ରାକରଣ ଏବଂ ଜିଏସ୍ଟିର ପ୍ରଭାବ ଶେଷ ହେଲାଣି। ଭାରତୀୟ ଗ୍ରାହକମାନଙ୍କୁ ବଡ଼ ପର୍ବପର୍ବାଣୀ ପାଳନ କରିବାରେ କୌଣସି ଶକ୍ତି ଅଟକାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ନବରାତ୍ରୀ-ଦଶହରା ଭିତରେ କଂପାନିର ବିକ୍ରି ଗତବର୍ଷ ତୁଳନାରେ ୩୦% ଅଧିକ ରହିଛି ବୋଲି ସେ କହିଛନ୍ତି।
ଦେଶର ସବୁଠୁ ବଡ଼ କାର୍ କଂପାନି ମାରୁତି ସୁଜୁକିର ବୁକିଙ୍ଗ ଏହି ସମୟରେ ୧୮% ବଢ଼ିଛି। ହୁଣ୍ଡାଇର ବୁକିଙ୍ଗ ଏବଂ ବିକ୍ରିରେ ମଧ୍ୟ ଭଲ ଅଭିବୃଦ୍ଧି ହୋଇଛି। ମାରୁତିର ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦେଶକ ଆର୍ ଏସ୍ କଲ୍ସୀ କହିଛନ୍ତି ଯେ ଗଣେଶ ପୂଜାରେ ବିକ୍ରିକୁ ନେଇ ଯେଉଁ ଉତ୍ସାହ ସୃଷ୍ଟି ହୋଇଥିଲା ତାହା ଏବେ ବି ଜାରି ରହିଛି।
ଟିଭି, ଫ୍ରିଜ୍ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି କରୁଥିବା କଂପାନିଗୁଡ଼ିକ ପାଇଁ ଦଶହରା ଏକ ଭଲ ପର୍ବ ସାବ୍ୟସ୍ତ ହୋଇଛି। ସେମାନଙ୍କ ବିକ୍ରି ବଢ଼ିଛି। ହୋମ୍ ଆପ୍ଲାଏନ୍ସ ନିର୍ମାଣ କରୁଥିବା କଂପାନିଗୁଡ଼ିକ ପାର୍ବଣ ଋତୁରେ ବର୍ଷର ୪୦% ବିକ୍ରି କରିଥାନ୍ତି। ଚଳିତ ବର୍ଷ ପାର୍ବଣ ଋତୁରେ ଫ୍ରଷ୍ଟ ଫ୍ରି ରେଫ୍ରିଜରେଟର, ଇନଭର୍ଟର ଏସି ଏବଂ ଅଧିକ କ୍ଷମତା ବିଶିଷ୍ଟ ଓ୍ଵାସିଂ ମେସିନ୍ର ଅଧିକ ଚାହିଦା ରହିଥିଲା। ଏଲ୍ଜି, ସାମସଙ୍ଗ, ସୋନି ଏବଂ ପାନାସୋନିକ୍ ଭଳି ବଡ଼ କଂପାନିର ଡିଲର୍ମାନେ ବିକ୍ରିରେ ୨୫% ବୃଦ୍ଧି ହାସଲ କରିଛନ୍ତି। ନବରାତ୍ରୀ ସମୟରେ ଦୁଇଚକିଆ ଯାନ ବିକ୍ରିରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା। ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍ର ବରିଷ୍ଠ ଉପସଭାପତି ଓ୍ଵାଇ ଏସ୍ ଗୁଲେରିଆ କହିଛନ୍ତି ଯେ କଂପାନିର ବିକ୍ରିରେ ୩୦%ରୁ ଅଧିକ ବୃଦ୍ଧି ହୋଇଛି। ପାର୍ବଣ ଋତୁରେ ହୋଣ୍ଡା ମୋଟୋକର୍ପର ବିକ୍ରି ୧ ନିୟୁତ ୟୁନିଟ୍ ଅତିକ୍ରମ କରିଛି। ସେପ୍ଟେମ୍ବର ମାସରେ ସୁଜୁକି ୫୦ ହଜାରରୁ ଅଧିକ ବାଇକ୍ ବିକ୍ରି କରିଛି।