ଚଟପଟା ‘ପଲ୍ସ’: ବିଦେଶୀ ଚକଲେଟକୁ ପଛରେ ପକାଇ ପାଲଟିଛି ଭାରତୀୟଙ୍କ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: କୌଣସି ପାନ ଦୋକାନ ହେଉ କି ତେଜରାତି ଦୋକାନ ଆପଣ ସହଜରେ ଏହି ଚକଲେଟକୁ ଦେଖିଥିବେ | ବେଳେବେଳେ ପୁଣି ଖୁଚୁରା ଅଭାବରୁ ଦୋକାନୀ ଆପଣଙ୍କୁ ଏହି ଚକଲେଟ ଦେଇଥିବେ | ଭାରତରେ ଖୁବ କମ ଦିନରେ ଲୋକପ୍ରିୟ ହୋଇଥିବା ଏହି ଚକଲେଟ ହେଉଛି ‘ପଲ୍ସ’ | ତେବେ ବଡ କଥା ହେଉଛି ଯେ ୨୦୧୫ରେ ଆରମ୍ଭ ହୋଇଥିବା ଏହି ଚକଲେଟ ଭାରତରେ ବିକ୍ରି ହେଉଥିବା ଅନେକ ବିଦେଶୀ କମ୍ପାନୀକୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କରିଛି | ନିଜର ଅଲଗା ଧରଣର ସ୍ୱାଦ ପାଇଁ ଏହି ଚକଲେଟ ଆବାଳବୃଦ୍ଧବନିତାଙ୍କ ମଧ୍ୟରେ ଖୁବ ପସନ୍ଦ ଆସିଥିବାବେଳେ ମାତ୍ର ୮ ମାସରେ ୧୦୦ କୋଟିରୁ ଅଧିକ ଥର ଏହି ଚକଲେଟକୁ ଲୋକ ଖାଇଛନ୍ତି | କାରଣ ଏହି ଚକଲେଟର ମୂଲ୍ୟ ୧ ଟଙ୍କା ହୋଇଥିବାବେଳେ ଏହି କମ୍ପାନୀ ମାତ୍ର ୮ ମାସରେ ୧୦୦କୋଟିରୁ ଅଧିକ ଟଙ୍କାର ଆୟ କରିପାରିଥିଲା |

କାହିଁକି ସଫଳ ହେଲା ପଲ୍ସ?
ଅଳ୍ପ ଖଟା, ଅଳ୍ପ ଲୁଣିଆ, ଅଳ୍ପ ମିଠା ଓ ଅଳ୍ପ ରାଗ ଭଳି ମିଳିତ ସ୍ଵାଦରେ ଏହି ଚକଲେଟ ବଜାରକୁ ଆସିଥିଲା | ୨୦୧୫ ମସିହାରେ ଡ଼ିଏସ ଗ୍ରୁପ ପକ୍ଷରୁ ଏହି ଚକଲେଟକୁ ଲଞ୍ଚ କରାଯାଇଥିଲା | ବଜାରରେ ମୁଖ୍ୟତଃ ମିଠା ଚକଲେଟ ମିଳୁଥିବାବେଳେ ଏହାର ଭିନ୍ନଢଙ୍ଗର ସ୍ୱାଦ ଚକଲେଟପ୍ରେମୀଙ୍କୁ ଆକୃଷ୍ଟ କରିପାରିଥିଲା | ଫଳସ୍ଵରୁପ ଲଞ୍ଚ ହେବା ବର୍ଷ ହିଁ ଏହି ଚକଲେଟ ବିଦେଶୀ କମ୍ପାନୀ ଓରିଓ ଓ ମାର୍ସ ଭଳି ଚକଲେଟକୁ ପଛରେ ପକାଇଦେଇଥିଲା | ପଲ୍ସ ୨୦୧୫ ମସିହାରେ ୧୦୦କୋଟି ଟଙ୍କାର ବିକ୍ରି ହୋଇଥିବାବେଳେ ୨୦୧୬-୧୭ରେ ଏହା ୩୦୦କୋଟି ଟଙ୍କାର ବ୍ୟବସାୟ କରିଥିଲା |

କମ୍ପାନୀର କହିବା ମୁତାବକ ଭାରତରେ ଲୋକମାନଙ୍କର କଞ୍ଚା ଆମ୍ବ ଖାଇବା ଅଭ୍ୟାସ ଅଛି | କିନ୍ତୁ କଞ୍ଚା ଆମ୍ବ ସହିତ, ଲୋକମାନେ ନିଶ୍ଚିତ ଭାବରେ କିଛି ମସଲା ବ୍ୟବହାର କରନ୍ତି | ଏଠାରୁ ଧାରଣା ଆସିଲା ଯେ ଆମେ ଚକଲେଟ ଭିତରେ ଯଦି କିଛି ବିଶେଷ ମସଲା ପାଉଡର ମିଶ୍ରଣ କରିବୁ, ତେବେ ଏହା ଲୋକଙ୍କୁ ଅଧିକ ପସନ୍ଦ ଆସିବ |

ସମ୍ବନ୍ଧିତ ଖବର