ଭାରତରେ ନିବେଶ ପାଇଁ ମସ୍କଙ୍କୁ ପୁନାୱାଲାଙ୍କ ଆହ୍ବାନ

ସବୁଠୁ ଭଲ ରିଟର୍ଣ୍ଣ ମିଳିବ

ନୂଆଦିଲ୍ଲୀ: ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ସିଇଓ ଆଦର ପୁନାୱାଲା ଆମେରିକାର ବିଦ୍ୟୁତ୍ ଯାନ କମ୍ପାନି ଟେସ୍‌ଲାର ପ୍ରତି‌ଷ୍ଠାତା ଏଲନ ମସ୍କଙ୍କୁ ଭାରତରେ ନିବେଶ ପାଇଁ ଆହ୍ବାନ କରିଛନ୍ତି। ଭାରତରେ ବିଦ୍ୟୁତ୍ କାର୍ ନିର୍ମାଣ ପାଇଁ ‌ପୁନାୱାଲା ତାଙ୍କୁ କହିଛନ୍ତି। ମସ୍କ ପୂର୍ବରୁ ଯେଉଁସବୁ ସ୍ଥାନରେ ନିବେଶ କରିଛନ୍ତି ତାହା ତୁଳନାରେ ଭାରତରେ ନିବେଶ ସବୁଠୁ ଭଲ ରହିବ ବୋଲି ସେ ମତ ଦେଇଛନ୍ତି।

ପୁନାୱାଲ ଏକ ଟ୍ବିଟ୍ କରି ସେଥିରେ ଏଲନ ମସ୍କଙ୍କୁ ଟ୍ୟାଗ୍ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଟ୍ବିଟର କିଣିବାରେ ସୀମିତ ରୁହନାହିଁ। କିଛି ପୁଞ୍ଜି ଭାରତରେ ଟେସ୍‌ଲା କାର ଉତ୍ପାଦନ କରିବାରେ ନିବେଶ କର। ଏଥିରେ ସେ ଏହା ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆପଣ ବର୍ତ୍ତମାନ ସୁଦ୍ଧା କରିଥିବା ନିବେଶ ମଧ୍ୟରେ ଭାରତର ନିବେଶ ସବୁଠୁ ଭଲ ହେବ। ନିକଟରେ ଟ୍ବିଟରକୁ ୪୪ ବିଲିଅନ ଡଲାରରେ କିଣିବାରେ ସଫଳ ହୋଇଥିବା ମସ୍କ ଭାରତ ସରକାରଙ୍କ ପାଖରେ ଆମଦାନି ହେଉଥିବା ବିଦ୍ୟୁତ ଯାନ ଉପରେ ଟିକସ ହ୍ରାସ ପାଇଁ ନିବେଦନ କରିଥିଲେ। କିନ୍ତୁ ସରକାର ଏହି ଯାନକୁ ଆମଦାନି କରି ଭାରତରେ ବିକ୍ରି କରିବା ପରିବର୍ତ୍ତେ ଭାରତରେ ନିର୍ମାଣ କରିବା ଉପରେ ଭାରତ ସରକାର ଗୁରୁତ୍ବାରୋପ କରୁଛନ୍ତି। ଗତମାସରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସିଧା ସିଧା କହିଥିଲେ ଯେ ଟେସ୍‌ଲା ଯଦି ଭାରତରେ ବିଦ୍ୟୁତ୍ ଯାନ ଉତ୍ପାଦନ କରିବା ପାଇଁ ପ୍ରସ୍ତୁତ ରହିଛି ତାହେଲେ ସେଥିରେ କିଛି ସମସ୍ୟା ନାହିଁ। କିନ୍ତୁ କିନ୍ତୁ କମ୍ପାନି ଚୀନରୁ କାର ଆମଦାନି କରି ଭାରତରେ ବିକ୍ରି ନକରୁ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ଗତବର୍ଷ ‌ଅଗଷ୍ଟ ମାସରେ ଏଲନ ମସ୍କ କହିଥିଲେ, କମ୍ପାନି ପ୍ରଥମେ ଆମଦାନି କରି ଭାରତରେ ଗାଡ଼ି ବିକ୍ରି କରିବାରେ ସଫଳ ହେଲେ କାରଖାନା ସ୍ଥାପନ କରିପାରେ। ସେ କହିଥିଲେ ଭାରତରେ ଟେସ୍‌ଲା ଏହାର କାର ଉନ୍ମୋଚନ କରିବାକୁ ପ୍ରସ୍ତୁତ ରହିଛି। କିନ୍ତୁ ଉଚ୍ଚ ଆମଦାନି ଶୁଳ୍କ ଏ‌ କ୍ଷେତ୍ରରେ ପ୍ରତିବନ୍ଧକ ହୋଇଛି। ବଡ଼ ଦେଶଗୁଡ଼ିକ ମଧ୍ୟରେ ଭ‌ାରତର ଆମଦାନି ଶୁଳ୍କ ସର୍ବାଧିକ ବୋଲି ସେ ମତ ଦେଇଥିଲେ। ବିଦେଶରୁ ଆମଦାନି ହେଉଥିବା ୪୦ ହଜାର ଡଲାରରୁ ଅଧିକ ମୂଲ୍ୟର କାର ଉପରେ ଭାରତ ସରକାର ୧୦୦ ପ୍ରତିଶତ ଟିକସ ଲାଗୁ କରିଛନ୍ତି। ଏହାଠାରୁ କମ୍ ମୂଲ୍ୟର କାର ଉପରେ ୬୦ ପ୍ରତିଶତ ଆମଦାନି ଶୁଳ୍କ ଭାରତ ଆଦାୟ କରୁଛି।

ସମ୍ବନ୍ଧିତ ଖବର