ଲଣ୍ଡନ: କରୋନା ସଙ୍କଟ ପ୍ରଭାବରେ ଅର୍ଥନୀତିକୁ ଯେଉଁ ଧକ୍କା ଲାଗିଛି ସେଥିରେ ସୁଧାର ଆଣିବା ଲାଗି ଅତି ଧନୀ ଭାବେ ଜୀବନ ବିତାଉଥିବା ଲୋକମାନଙ୍କ ଉପରେ ଅଧିକ ଟିକସ ଲଗାଇବାକୁ ୮୦ରୁ ଅଧିକ ମିଲିଓନେୟାର ସାରା ବିଶ୍ବରେ ଥିବା ଦେଶଗୁଡ଼ିକର ସରକାରଙ୍କୁ ଆହ୍ବାନ ଦେଇଛନ୍ତି। ଏହି ମିଲିଓନେୟାରମାନେ ମିଶି ‘ମିଲିଓନେୟାର ଫର ହ୍ୟୁମାନିଟି’ ନାମକ ଏକ ଦଳ ଗଠନ କରିଛନ୍ତି। ଏହା ଅଧୀନରେ ସେମାନେ ଏକ ଖୋଲା ଚିଠି ଲେଖିଛନ୍ତି। ଏକ ମିଲିଅନ ହେଉଛି ଏକ ନିୟୁତ। ଯେଉଁମାନଙ୍କ ପାଖରେ ଏକ ନିୟୁତ ଡଲାରରୁ ଅଧିକ ସମ୍ପତ୍ତି ରହିଛି ସେମାନଙ୍କୁ ମିଲିଓନେୟାର କୁହାଯାଏ। ୧୦୦ କୋଟି ଡଲାରରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଲୋକମାନଙ୍କୁ ବିଲିଓନେୟାର କୁହାଯାଏ।
ମିଳିଓନେୟାର ଫର ହ୍ୟୁମାନିଟି ଏହାର ଖୋଲା ଚିଠିରେ ଲେଖିଛି ଯେ, ଆମ ଦୁନିଆକୁ ସୁସ୍ଥ କରିବା ଲାଗି ଆମମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ। ଆମେ ରୋଗୀମାନଙ୍କୁ ଆଇସିୟୁ ୱାର୍ଡରେ ଦେଖାଶୁଣା କରୁନାହୁଁ। ଆମ୍ବୁଲାନ୍ସ ଚଲାଇ ରୋଗୀଙ୍କୁ ହସ୍ପିଟାଲ୍ରେ ମଧ୍ୟ ପହଞ୍ଚାଉନାହୁଁ। ଗ୍ରୋସରି ଦୋକାନରେ ଷ୍ଟକ ଭର୍ତ୍ତି କରୁନାହୁଁ କିମ୍ବା ଘରେ ଘରେ ପହଞ୍ଚି ଖାଦ୍ୟ ସାମଗ୍ରୀ ଡେଲିଭରି ଦେଉନାହୁଁ। କିନ୍ତୁ ଆମ ପାଖରେ ଅର୍ଥରାଶି ରହିଛି। ବିପୁଳ ପରିମାଣରେ ରହିଛି। ଏହା ବହୁତ ଜରୁରୀ ଓ ଆମ ଦୁନିଆରେ ସୁଧାର ଆଣିବା ଲାଗି ଆଗାମୀ ଦିନରେ ମଧ୍ୟ ବହୁତ ଦରକାର ପଡ଼ିବ। ଜି୨୦ ଅର୍ଥମନ୍ତ୍ରୀଙ୍କ ବୈଠକ ପୂର୍ବରୁ ଏହି ଖୋଲା ଚିଠିକୁ ଜାରି କରାଯାଇଛି। ମିଲିଓନେୟାର ଫର ହ୍ୟୁମାନିଟିରେ ବେନ୍ ଆଣ୍ଡ୍ ଜେରିଜ୍ ଆଇସ୍କ୍ରିମ୍ର ସହ ପ୍ରତିଷ୍ଠାତା ଜେରି ଗ୍ରିନ୍ଫିଲ୍ଡ, ସଂଳାପ ଲେଖକ ରିଚାର୍ଡ କୁର୍ଟିସ୍, ସିନେମା ନିର୍ମାତା ଆବିଗାଲି ଡିଜନି, ଆମେରିକାର ଉଦ୍ୟୋଗୀ ସିଡ୍ନି ଟୋପୋଲ ଓ ନ୍ୟୁଜିଲ୍ୟାଣ୍ଡ୍ର ବିଶିଷ୍ଟ ରିଟେଲ୍ ସମ୍ରାଟ ଷ୍ଟିଫେନ୍ ଟିଣ୍ଡାଲ୍ଙ୍କ ଭଳି ବ୍ୟକ୍ତି ସଦସ୍ୟ ଅଛନ୍ତି।