୧୨୦ ବର୍ଷ ଧରି ପ୍ରୋଜେକ୍ଟରରେ ସିନେମା ଦେଖା ହେଉଥିଲା, ଏବେ ଆସିଲା ଏଲଇଡି ସିନେମା ଯୁଗ

ନୂଆଦିଲ୍ଲୀ : ଆଜିକାଲି ସବୁ କ୍ଷେତ୍ରରେ ଟେକନଲୋଜୀର ବ୍ୟାପକ ପ୍ରୟୋଗ ହେଉଛି । ମନୋରଞ୍ଜନ କ୍ଷେତ୍ରରେ ନୂଆ ନୂଆ ଟେକନଲୋଜୀର ପ୍ରୟୋଗ ହେବାରେ ଲାଗିଛି । ଗତ ୧୨୦ ବର୍ଷ ହେଲା ପ୍ରୋଜେକ୍ଟର ମାଧ୍ୟମରେ ଥିଏଟରରେ ଚଳଚ୍ଚିତ୍ର ଦେଖା ହେଉଥିଲା, କିନ୍ତୁ ଏବେ ଏଲଇଡି ସ୍କ୍ରିନରେ ସିନେମା ଦେଖିବାର ସମୟ ଆସିଛି । ଭାରତରେ ପ୍ରଥମ ଥର ପାଇଁ ଦେଶର ବୃହତ୍ତମ ମଲଟିପ୍ଲେକ୍ସ ଚେନ ପିଭିଆର ଗ୍ରୁପ ସାମସଙ୍ଗ ସହ ମିଶି ଓନିକ୍ସ ସିନେମା ଏଲଇଡ଼ି ଶୁଭାରମ୍ଭ କରିଛନ୍ତି । ଏହି ନୂତନ ପ୍ରଯୁକ୍ତି ବଳରେ ଚଳଚ୍ଚିତ୍ର ପ୍ରେମୀ ଅଧିକ ସ୍ପଷ୍ଟ ଭାବେ ଗୁଣାତ୍ମକ ମାନର ଛବି ଦେଖିବାର ସୁଯୋଗ ପାଇପାରିବେ । ଏହି ପ୍ରଯୁକ୍ତିରେ ଛବି ବ୍ୟତୀତ ରଙ୍ଗ ଅଧିକ ଆକର୍ଷଣୀୟ ଭାବେ ଦୃଶ୍ୟମାନ ହୋଇପାରିବ । ନୂତନ ପିଢ଼ିର ପ୍ରଯୁକ୍ତି ଦୀର୍ଘ ଦିନରୁ ପ୍ରଚଳିତ ପ୍ରଯୁକ୍ତିକୁ ଅପସାରିତ କରିବା ସହ ଚଳଚ୍ଚିତ୍ର ଦେଖିବାର ମାନସିକତାରେ ମଧ୍ୟ ପରିବର୍ତ୍ତନ ଆଣିପାରିବ । ଏହାଫଳରେ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ସିନେମା ଦେଖା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହେବ । ଏହି ପ୍ରଯୁକ୍ତିରେ ଦିଲ୍ଲୀ ବସନ୍ତକୁଞ୍ଜକୁ ପିଭିଆର ଆଇକନରେ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ପିଭିଆର ଓନିକ୍ସ ସିନେମା ଏଲଇଡିର ଉନ୍ମୋଚନ ସାମସଙ୍ଗ ଦକ୍ଷିଣ ପଶ୍ଚିମ ଏସିଆର ସିଇଓ ତଥା ସଭାପତି ଏଚସି ହଙ୍ଗ ଓ ପିଭିଆର ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ସଂଜୀବ ବିଜଲୀଙ୍କ ଉପସ୍ଥିତିରେ ହୋଇଥିଲା ।

ସମ୍ବନ୍ଧିତ ଖବର