ଭୁବନେଶ୍ବର : କେନ୍ଦ୍ର ବଜେଟ୍ ୨୦୨୨-୨୩ର ବିଶ୍ଳେଷଣ ପିଡବ୍ଲୁସି ଓ ଫିକି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ କରାଯାଇଛି। ଭର୍ଚୁଆଲ ମୋଡରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଯୋଗଦେଇ ବଜେଟକୁ ଅଭିମୁଖୀ କୈନ୍ଦ୍ରିକ ବୋଲି କହିଥିଲେ। ପୁଞ୍ଜି ବ୍ୟୟ ବଢ଼ାଯାଇଥିବାରୁ ସରକାର ଦେଶର ଭିତ୍ତିଭୂମି ବିକାଶ ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ଏଥିସହିତ ପିଏମ୍ ଗତି ଶକ୍ତି ମିସନ୍ ଦେଶ ପାଇଁ ଲାଭଦାୟକ ହେବ। ଭିତ୍ତିଭୂମି କ୍ଷେତ୍ରରେ ହେବାକୁ ଥିବା ନିବେଶର ସୁବିଧା ଘରୋଇ କ୍ଷେତ୍ର ନେବାପାଇଁ ସେ କହିଥିଲେ। ଏଥିସହିତ ଜମି ଅଧିଗ୍ରହଣ ପ୍ରକ୍ରିୟାର ସଂଜ୍ଞା ଉତ୍ତମଭାବେ ନିରୂପିତ ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ଏଥିରେ ଭୁବନେଶ୍ବରର ପ୍ରଧାନ ଆୟକର ଆୟୁକ୍ତ ପରନିତ୍ ସିଂହ ସଚ୍ଚଦେବା ଯୋଗଦେଇ ବଜେଟରେ ଡିଜିଟାଲ କରେନ୍ସି ସଂପର୍କରେ ଘୋଷଣା କରାଯାଇଥିବାରୁ ଏହାର ପ୍ରଶଂସା କରିଥିଲେ। ଏନ୍ଏଫ୍ଟି, କ୍ରିପ୍ଟୋକରେନ୍ସି ଏବଂ ଅନ୍ୟ ଭର୍ଚୁଆଲ ଆସେଟ୍ ଉପରେ ବଜେଟରେ ରହିଥିବା ଟିକସ ପ୍ରସ୍ତାବ ଉପରେ ସେ ଆଲୋଚନା କରିଥିଲେ। ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ତଥା ଜେଏସ୍ଡବ୍ଲୁ ଓଡ଼ିଶା ଅପରେସନ୍ ସିଓଓ ରଂଜନ ନାୟକ ଯୋଗଦେଇ ସ୍ବାଗତ ଭାଷଣ ଦେଇଥିଲେ। ବଜେଟରେ ଘୋଷଣା ହୋଇଥିବା ପ୍ରସ୍ତାବ ଗୁଡ଼ିକୁ ନେଇ ସନ୍ତୋଷବ୍ୟକ୍ତ କରିବା ସହିତ ରାଜ୍ୟ ଏବଂ କେନ୍ଦ୍ର ମିଳିତଭାବେ ମିଶି ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ନେଇ ସେ ଆଶାବ୍ୟକ୍ତ କରିଥିଲେ। ଫିକି ଓଡ଼ିଶା ରାଜ୍ୟ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ବାଦ ଗ୍ରୁପର ଏମ୍ଡି ମୋନିକା ନୈୟାର ପଟ୍ଟନାୟକ ଯୋଗଦେଇ କହିଥିଲେ ପୁଞ୍ଜି ବ୍ୟୟ ବାବଦରେ ଅଧିକ ଖର୍ଚ୍ଚ ପାଇଁ ପ୍ରସ୍ତାବ ରଖାଯାଇଥିବାରୁ ଅର୍ଥନୀତିକୁ ଏହା ବୁଷ୍ଟର ଭଳି କାମ ଦେବ। ତେବେ ସ୍ବାସ୍ଥ୍ୟସେବା, କୃଷି, ଶିକ୍ଷା, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଦିର ଗବେଷଣା ଓ ବିକାଶ ଉପରେ ସରକାର ଅଧିକ ଧ୍ୟାନଦେବାକୁ ସେ ମତ ଦେଇଥିଲେ। ପ୍ରାଇସ୍ ୱାଟରହାଉସ୍ ଆଣ୍ଡ କମ୍ପାନିର ପାର୍ଟନର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ସୌରଭ କେଡ଼ିଆ ପ୍ରତ୍ୟକ୍ଷ ଟିକସ ଏବଂ ଅନ୍ୟତମ ପାର୍ଟନର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗୋପାଳ ଅଗ୍ରୱାଲ ପରୋକ୍ଷ ଟିକସର ପ୍ରଭାବ ଉପରେ ବିଶ୍ଳେଷଣ କରିଥିଲେ।
ଏଥିରେ ଫିକି ନ୍ୟାସନାଲ ଟୁରିଜିମ୍ କମିଟିର ସହ-ଅଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ ସିଏମ୍ଡି ଜେକେ ମହାନ୍ତି, ଓଡ଼ିଶା ରାଜ୍ୟ ପରିଷଦ ଏମଏସଏମଇ କମିଟିର ଅଧ୍ୟକ୍ଷ ଜେକେ ରଥ, ରପ୍ତାନି କମିଟିର ଅଧ୍ୟକ୍ଷ ରାଜେନ ପାଢ଼ୀ, ଜେଏସଡବ୍ଲ୍ୟୁ ମୁମ୍ବାଇର ବରିଷ୍ଠ କାର୍ଯ୍ୟନିର୍ବାହୀ ଉପସଭାପତି (ଟ୍ୟାକ୍ସେସନ୍ ଆଣ୍ଡ୍ କମ୍ପ୍ଲିଆନ୍ସ) ବିନିତ ଅଗ୍ରୱାଲ, ଜେଏସଏଲର ମୁଖ୍ୟ ଆବାସିକ ପ୍ରତିନିଧି ଏସଏସ ଉପାଧ୍ୟାୟ, ଟାଟା ଷ୍ଟିଲ ମାଇନିଂର ପଙ୍କଜ ସତିଜା, ଜେଏସପିଏଲର ସଭାପତି ତଥା ଗ୍ରୁପ୍ ମୁଖ୍ୟ (ସିଏସଆର ଆଣ୍ଡ୍ ସଷ୍ଟେନେବିଲିଟି) ପ୍ରଶାନ୍ତ ହୋତା ପ୍ରମୁଖ ଯୋଗଦେଇ ବାଣିଜ୍ୟ ଏବଂ ଶିଳ୍ପ ଉପରେ ବଜେଟର ପ୍ରଭାବ ଉପରେ ବକ୍ତବ୍ୟ ରଖିଥିଲେ। ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ପ୍ରଫେସର କମଳାକାନ୍ତ ଦାଶ କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ଫିକି ଓଡ଼ିଶା ରାଜ୍ୟ ପରିଷଦ ମୁଖ୍ୟ ସଂଜୀବ ମହାନ୍ତି ଧନ୍ୟବାଦ ଦେଇଥିଲେ।