ସାଂସଦ, ବିଧାୟକ ଅର୍ବାନ କୋଅପରେଟିଭ ବ୍ୟାଙ୍କ ଏମ୍‌ଡି ହୋଇପାରିବେନି

ଯୋଗ୍ୟତା ଧାର୍ଯ୍ୟକଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ପ୍ରାଇମେରି ଅର୍ବାନ କୋଅପରେଟି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଏବଂ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକଙ୍କ ନିଯୁକ୍ତି ନେଇ ରିଜର୍ଭ ବ୍ୟାଙ୍କ ନୂଆ ନିୟମ ଜାରି କରିଛି। ଏମାନଙ୍କ ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ଉପଯୁକ୍ତ ମାନଦଣ୍ଡ ଜାରି କରିଛି। ସାଂସଦ ଓ ବିଧାୟକମାନଙ୍କୁ ଉପରୋକ୍ତ ପଦରେ ନିଯୁକ୍ତି ଦେବାଲାଗି ବାରଣ କରାଯାଇଛି। ସାଂସଦ, ବିଧାୟକ ଏବଂ ମହାନଗର ନିଗମର ପ୍ରତିନିଧିମାନେ ବି ଏଥିପାଇଁ ଯୋଗ୍ୟ ହେବେ ନାହିଁ । ସେହିଭଳି ବ୍ୟବସାୟ କରୁଥିବା କିମ୍ବା କୌଣସି କଂପାନି ସହ ଜଡ଼ିତ ବ୍ୟକ୍ତି ଏଥିପାଇଁ ଯୋଗ୍ୟ ହେବେ ନାହିଁ। ଏଥିସହିତ ଯେଉଁମାନେ ଏମ୍‌ଡି ଏବଂ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ହେବେ ତାଙ୍କର ସ୍ନାତକୋତ୍ତର ଡିଗ୍ରି କିମ୍ବା ଫାଇନାନ୍ସରେ ଯୋଗ୍ୟତା ଥିବା ଆବଶ୍ୟକ।

ସେ ଚାର୍ଟାର୍ଡ, କଷ୍ଟ ଆକାଉଣ୍ଟାଣ୍ଟ୍, ଏମ୍‌ବିଏ(ଫାଇନାନ୍ସ) ଡିଗ୍ରୀ କିମ୍ବା ବ୍ୟାଙ୍କିଂ ବା କୋଅପରେଟିଭ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟ୍‌ରେ ଡିପ୍ଲୋମା ଧାରୀ ହୋଇଥିବେ। ସେହିଭଳି ସଂପୃକ୍ତ ବ୍ୟକ୍ତିଙ୍କ ବୟସ ୩୫ ବର୍ଷରୁ କମ୍ କିମ୍ବା ୭୦ ବର୍ଷରୁ ଅଧିକ ହୋଇ ନଥିବ। ସଂପୃକ୍ତ ବ୍ୟକ୍ତିଙ୍କର ବ୍ୟାଙ୍କିଂ କିମ୍ବା ଅଣବ୍ୟାଙ୍କିଂ କ୍ଷେତ୍ରରେ ମୋଟ ୮ ବର୍ଷର ଅଭିଜ୍ଞତା ଥିବ। ଜଣେ ବ୍ୟକ୍ତି ସର୍ବାଧିକ ୫ ବର୍ଷ ପାଇଁ ନିଯୁକ୍ତି ପାଇପାରିବେ। ସେ ପୁନଃନିଯୁକ୍ତି ପାଇଁ ମଧ୍ୟ ଯୋଗ୍ୟ। କିନ୍ତୁ ଏମଡି ଓ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ପଦରେ ୧୫ ବର୍ଷରୁ ଅଧିକ ରହିପାରିବେ ନାହିଁ। ଆବଶ୍ୟକ ପଡ଼ିଲେ ୩ ବର୍ଷ ପରେ ପୁନଃନିଯୁକ୍ତି ଦିଆଯାଇ ପାରିବ। ଯେଉଁମାନଙ୍କ ଅବଧି ଶେଷ ହୋଇଯାଇଛି ସେମାନଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିମାନେ ଦୁଇମାସ ମଧ୍ୟରେ ପୁନଃନିଯୁକ୍ତି ପାଇଁ ଆବେଦନ କରିପାରିବେ। ସେହିଭଳି ଯଦି ବ୍ୟାଙ୍କ ଉପରୋକ୍ତ ପଦବିଧାରୀଙ୍କୁ ଆଗୁଆ ବିଦା କରିବାକୁ ଚାହୁଛି ତାହେଲେ ରିଜର୍ଭ ବ୍ୟାଙ୍କର ଅନୁମତି ନେବାକୁ ହେବ।

ସମ୍ବନ୍ଧିତ ଖବର