ଗୁଣାତ୍ମକ ମାନ ନିୟମ କୋହଳ: ଗହମ ସଂଗ୍ରହ ମହଲତ ୩୧ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ: ପ୍ରବଳ ଗ୍ରୀଷ୍ଣ ପ୍ରବାହରେ ବ୍ୟାପକ ଗହମ ଫସଲ ‌ନଷ୍ଟ ହୋଇଥିବା ବେଳେ ଗହମ ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଗହମ ସଂଗ୍ରହ ଅବଧିକୁ କେନ୍ଦ୍ର ସରକାର ଚଳିତ ମାସ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ସମୟରେ ସଂଗ୍ରହ କେନ୍ଦ୍ରଗୁଡ଼ିକୁ ଖୋଲା ରଖିବା ଲାଗି ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଓ ଗହମ ଉତ୍ପାଦନ କରୁଥିବା ରାଜ୍ୟଗୁଡ଼ିକୁ କୁହାଯାଇଛି। ଏଥି ସହିତ, ସରକାରୀ ଭଣ୍ଡାର ପାଇଁ ସଂଗ୍ରହ କରାଯାଉଥିବା ଗହମର ଗୁଣାତ୍ମକ ମାନ ନିୟମକୁ ମଧ୍ୟ କୋହଳ କରାଯାଇଛି। ତେଣୁ ଏଫ୍‌ସିଆଇ ୧୮% ପର୍ଯ୍ୟନ୍ତ ଭାଙ୍ଗିଥିବା ଗହମକୁ ମଧ୍ୟ କ୍ବିଣ୍ଟାଲ ପିଛା ୨୦୧୫ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି)ରେ କିଣିପାରିବ।

ଗହମ ସଂଗ୍ରହ ପ୍ରକ୍ରିୟା ଜାରି ରଖିବା ଲାଗି ଏହାର ଅବଧି ବଢ଼ାଇବାକୁ ରାଜ୍ୟଗୁଡ଼ିକ କେନ୍ଦ୍ରକୁ ଅନୁରୋଧ କରିଥିଲେ। ରୁଷ୍‌-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ବରେ ଗହମକୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତାକୁ ନଜରରେ ରଖି ଅଧିକ ଦାମ୍‌ରେ ନିଜ ଉତ୍ପାଦିତ ଗହମ ବିକ୍ରି କରିବାକୁ ବହୁ ଚାଷୀ ଚାହିରହିଛନ୍ତି। ସେଥିପାଇଁ ସେମାନେ ଏବେ ଗହମ ବିକ୍ରି କରୁନାହାନ୍ତି। ମାତ୍ର, ଗହମ ରପ୍ତାନିକୁ ସରକାର ଗତ ଶୁକ୍ରବାର ନିଷିଦ୍ଧ ଘୋଷଣା କରିଛନ୍ତି। ତେଣୁ ବିଶ୍ବର ବିଭିନ୍ନ ପ୍ରାନ୍ତକୁ ଆଉ ନିରବଚ୍ଛିନ୍ନ ଗହମ ରପ୍ତାନି ହୋଇପାରିବନି। ମାର୍ଚ୍ଚରେ ପ୍ରବଳ ଗରମ ହେବାରୁ ଗହମ ଫସଲ ନଷ୍ଟ ହୋଇଥିବାର ଖବର ମିଳିବା ପରେ ଦେଶରେ ଏହାର ଦାମ୍ ବଢ଼ିବାର ଆଶଙ୍କା ରହିଥିବାରୁ ସରକାର ରପ୍ତାନି ଉପରେ ରୋକ ଲଗାଇଛନ୍ତି।

କେନ୍ଦ୍ର ଜଣାଇଛି ‌ଯେ ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ଗୁଜରାଟ, ବିହାର ଓ ରାଜସ୍ଥାନରେ ଗହମ ସଂଗ୍ରହ ସୁରୁଖୁରୁରେ ଆଗେଇ ଚାଲିଛି। ଗତବର୍ଷ ସରକାରଙ୍କ ପାଖରେ ୨୭.୩ ନିୟୁତ ଟନ୍ ବଳକା ଗହମ ଥିଲା। ଚଳିତ ବର୍ଷ ତାହା ୧୯ ନିୟୁତ ଟନ୍‌କୁ ହ୍ରାସ ପାଇଛି। ସରକାର ଗତବର୍ଷ ୪୩.୩ ନିୟୁତ ଟନ୍ ଗହମ ସଂଗ୍ରହ କରିଥିଲେ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୮ ନିୟୁତ ଟନ୍ ଗହମ ସଂଗ୍ରହ ହୋଇଛି। ଗତବର୍ଷ ବଳକା ଗହମ ଓ ସଂଗ୍ରହ କରାଯାଇଥିବା ଗହମକୁ ମିଶାଇ ଭଣ୍ଡାରରେ ମୋଟ ୭୦.୬ ନିୟୁତ ଟନ୍ ଗହମ ଥିଲା। ଚଳିତ ବର୍ଷ କିନ୍ତୁ ଭଣ୍ଡାରରେ ତା’ଠାରୁ କମ୍ ଅର୍ଥାତ ୩୭.୫ ନିୟୁତ ଟନ୍ ଗହମ ରହିପାରେ ବୋଲି ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି। ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଭାରତ ଏହାର ଗହମ ଉତ୍ପାଦନ ଲକ୍ଷ୍ୟକୁ ୧୧୦ ନିୟୁତ ଟନ୍‌ରୁ ୧୦୫ ନିୟୁତ ଟନ୍‌କୁ ହ୍ରାସ କରିଛି।

ସମ୍ବନ୍ଧିତ ଖବର