ଭୁବନେଶ୍ବର: ମାସକ ଭିତରେ ଦେଶର ପାଞ୍ଚଟି ପ୍ରମୁଖ ରାଜ୍ୟରେ ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଛି। ଜାନୁଆରି ଶେଷ ସପ୍ତାହରେ ଓଡ଼ିଶା ଏବଂ ଫେବ୍ରୁଆରିରେ ପଶ୍ଚିମବଙ୍ଗ, କେରଳ, ମଧ୍ୟପ୍ରଦେଶ ଓ ଆସାମ ନିଜର ନିବେଶକ ସମ୍ମିଳନୀ ଆୟୋଜନ କରିଛନ୍ତି। ଦେଶର ଦୁଇ ବଡ଼ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ଓ ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀଙ୍କୁ ଆକୃଷ୍ଟ କରିବାରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଆସାମ ଯେଉଁ ସଫଳତା ପାଇଛନ୍ତି, ତାହା ଓଡ଼ିଶାକୁ ମିଳିନାହିଁ। ଏହି ଦୁଇ ଶିଳ୍ପପତି ଆସାମ ଗଲେ, କିନ୍ତୁ ଓଡ଼ିଶା ଆସିଲେ ନାହିଁ। ଆସାମରେ ଉଭୟ ଅମ୍ବାନି ଓ ଆଦାନୀ ୫୦ ହଜାର କୋଟି ଟଙ୍କା ଲେଖାଏଁ ନିବେଶ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ଅମ୍ବାନି ୫୦ ହଜାର କୋଟି ନିବେଶ କରିବାକୁ ଘୋଷଣା କରିଛନ୍ତି। ସେପଟେ ମଧ୍ୟପ୍ରଦେଶ ନିବେଶକ ସମ୍ମିଳନୀରେ ଆଦାନୀ ଯୋଗ ଦେଇ ବଡ଼ ନିବେଶର ଆଶା ଦେଖାଇଛନ୍ତି।
ଦୀର୍ଘ ୨୪ ବର୍ଷ ରାଜ୍ୟରେ ଶାସନ କରିଥିବା ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି)କୁ ନିର୍ବାଚନରେ ପରାସ୍ତ କରି ଶାସନଭାର ଗ୍ରହଣ କରିଥିବା ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରଙ୍କ ପ୍ରଥମ ନିବେଶକ ସମ୍ମିଳନୀ ଥିଲା ‘ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫’। ଚଳିତ ବର୍ଷ ଜାନୁଆରି ୨୮-୨୯ରେ ତାହା ଜନତା ମଇଦାନରେ ଆୟୋଜନ କରାଯାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାରୁ ‘ଡବଲ୍ ଇଞ୍ଜିନ୍ ସରକାର’ରୁ ଓଡ଼ିଶା ବିଶେଷ ଉପକୃତ ହେବ ବୋଲି ବେଶ୍ ପ୍ରଚାର କରାଯାଇଥିଲା। ତେଣୁ ସରକାରଙ୍କ ନିବେଶକ ସମ୍ମିଳନୀକୁ ନେଇ ପୂରା ଦେଶର ନଜର ଓଡ଼ିଶା ଉପରେ ଥିଲା। କନ୍କ୍ଲେଭ୍କୁ ସଫଳ କରିବା ଲାଗି ରାଜ୍ୟ ସରକାର ଦେଶର ବଡ଼ ବଡ଼ ସହର ଏବଂ ସିଙ୍ଗାପୁରରେ ସମ୍ମିଳନୀ ଆୟୋଜନ କରି ନିବେଶକଙ୍କୁ ଆକୃଷ୍ଟ କରିବାକୁ ପ୍ରସ୍ତୁତି କରିଥିଲେ। କିନ୍ତୁ ସମ୍ମିଳନୀରେ ଦେଶର ଦୁଇ ବଡ଼ ଶିଳ୍ପପତି ଅମ୍ବାନି କିମ୍ବା ଆଦାନୀଙ୍କୁ ଦେଖିବାକୁ ମିଳିନଥିଲା। ଏଭଳିକି ରାଜ୍ୟରେ ବୃହତ୍ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିବା ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ଏନ୍ ମିତ୍ତଲ ମଧ୍ୟ କନ୍କ୍ଲେଭ୍ରେ ଯୋଗ ଦେଇନଥିଲେ। ଅବଶ୍ୟ ସମ୍ମିଳନୀରେ ସଜ୍ଜନ ଜିନ୍ଦଲ୍, ଜେଏସ୍ପିର ମୁଖ୍ୟ ନବୀନ ଜିନ୍ଦଲ, ବେଦାନ୍ତ ମୁଖ୍ୟ ଅନୀଲ୍ ଅଗ୍ରୱାଲ୍ ଓ ଆହୁରି ବହୁ ଶିଳ୍ପପତିଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।
ମଧ୍ୟପ୍ରଦେଶକୁ ମିଳିଲା ୨୬.୬୧ଲକ୍ଷ କୋଟିର ପ୍ରସ୍ତାବ
ମିଳିଥିବା ତଥ୍ୟ ଅନୁସାରେ, ଆସାମ ସରକାର ଗୌହାଟୀରେ ଆୟୋଜନ କରିଥିବା ନିବେଶକ ସମ୍ମିଳନୀ ‘ଆଡ୍ଭାଣ୍ଟେଜ୍ ଆସାମ୍ ୨.୦’ରେ ଟାଟା ସନ୍ସର ମୁଖ୍ୟ ଏନ୍ ଚନ୍ଦ୍ରଶେଖରନ୍, ଜେଏସ୍ଡବ୍ଲୁ ଗ୍ରୁପ୍ର ସଜ୍ଜନ ଜିନ୍ଦଲ, ଏସାର୍ର ପ୍ରଶାନ୍ତ ରୁଇୟା, ବେଦାନ୍ତର ମୁଖ୍ୟ ଶ୍ରୀ ଅଗ୍ରୱାଲ୍ ଯୋଗ ଦେଇଥିଲେ। ସେହିପରି, ଭୋପାଳରେ ଚଳିତ ମାସ ୨୪-୨୫ରେ ଅନୁଷ୍ଠିତ ଦୁଇଦିନିଆ ‘ମଧ୍ୟପ୍ରଦେଶ ଗ୍ଲୋବାଲ୍ ନିବେଶକ ସମ୍ମିଳନୀ’ରେ ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀ, ଗୋଦରେଜ୍ ଅଧ୍ୟକ୍ଷ ନାଦୀର ଗୋଦରେଜ୍, ରସ୍ନା ଗ୍ରୁପ୍ର ଅଧ୍ୟକ୍ଷ ପିରୁଜ ଖମ୍ବାଟା ଯୋଗ ଦେଇଥିଲେ। ସମ୍ମିଳନୀରୁ ମଧ୍ୟପ୍ରଦେଶ ୨୬.୬୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଥିବା ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଘୋଷଣା କରିଥିଲେ।
ଉଲ୍ଲେଖଥାଉକି, ଉତ୍କର୍ଷ ଓଡ଼ିଶା ୨୦୨୫ରେ ରାଜ୍ୟ ସରକାର ୧୬.୭୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଥିବା ଦାବି କରିଛନ୍ତି। ବିଜେଡି ସରକାର ଅମଳରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ଯେ କୌଣସି ସଂସ୍କରଣରେ ଆସିଥିବା ନିବେଶ ପ୍ରସ୍ତାବ ତୁଳନାରେ ଏହା ଅଧିକ ଅଟେ। ନବୀନ ସରକାରଙ୍କ ଅମଳରେ ୨୦୧୬, ୨୦୧୮ ଓ ୨୦୨୨ରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଆୟୋଜନ କରାଯାଇଥିଲା। ବିଧାନସଭାରେ ବିଭିନ୍ନ ସମୟରେ ଶିଳ୍ପ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ୨୦୧୬ ଓ ୨୦୧୮ରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶାର ଦୁଇଟି ସଂସ୍କରଣରେ ରାଜ୍ୟକୁ ୬.୨୬ ଲକ୍ଷ କୋଟି ଟଙ୍କାର ୨୮୬ଟି ନିବେଶ ପ୍ରସ୍ତାବ ଆସିଥିଲା। ପରବର୍ତ୍ତୀ ସମୟରେ୧୬୭ଟି ପ୍ରକଳ୍ପକୁ ରାଜ୍ୟ ଓ ଜିଲ୍ଲାସ୍ତରରେ ଅନୁମୋଦନ ମିଳିଥିଲା। ସେଥିରୁ ୧୦୭ଟି ପ୍ରକଳ୍ପର କାମ ଆରମ୍ଭ ହୋଇଥିଲା, ଯେଉଁଥିରେ ୫,୧୦,୧୮୭ କୋଟି ଟଙ୍କା ନିବେଶ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ କିଛି ଆଂଶିକ ଓ କିଛି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ୨୦୨୨ରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ୧୦.୪୮ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ଏହାର ଦୁଇ ବର୍ଷ ପରେ ୧୧୧ଟି ପ୍ରକଳ୍ପର କାମ ଆରମ୍ଭ କରାଯାଇଥିଲା, ଯେଉଁଥିରେ ୪.୧ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଥିବା ସରକାର ସେବେ ବିଧାନସଭାରେ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/hBGu5z4JL2Twn2ETLaRp.jpg)