ସରକାରୀ ତଥ୍ୟର ବିଶ୍ବସନୀୟତାରେ ପ୍ରଶ୍ନଚିହ୍ନ: ଆପତ୍ତି ଉଠାଇଲେ ୧୦୮ ଅର୍ଥନୀତିଜ୍ଞ

ରାଜନୈତିକ ହସ୍ତକ୍ଷେପ ଅଭିଯୋଗ ଆଣିଲେ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ପରିସଂଖ୍ୟାନ ତଥ୍ୟକୁ ସରକାର ଚାପି ଦେଉଥିବା ବିଷୟକୁ ଅର୍ଥନୀତିଜ୍ଞମାନେ ଗୁରୁତ୍ବର ସହ ନେଇଛନ୍ତି। ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ଭାରତ ଏବଂ ବିଦେଶର ୧୦୮ ଅର୍ଥନୀତିଜ୍ଞ ଓ ସାମାଜିକ ବିଜ୍ଞାନୀ ସ୍ବର ଉତ୍ତୋଳନ କରିଛନ୍ତି। ସେମାନେ କହିଛନ୍ତି ଯେ, ପରିସଂଖ୍ୟାନ ତଥ୍ୟରେ ରାଜନୈତିକ ହସ୍ତକ୍ଷେପ ହେଉଛି। ତାହା ବନ୍ଦ ହେବା ଦରକାର। ସରକାରଙ୍କ ଯେଉଁ ସବୁ ତଥ୍ୟ ଉପରେ ସନ୍ଦେହ ସୃଷ୍ଟି ହେଉଛି ସେଥିରେ ସଂଶୋଧନ ହେବା ଆବଶ୍ୟକ ଅନ୍ୟଥା ସେଭଳି ତଥ୍ୟକୁ ସମ୍ପୂର୍ଣ୍ଣ ରୋକିବାକୁ ହେବ ବୋଲି ସେମାନେ କହିଛନ୍ତି। ‘ଅସହଜ ତଥ୍ୟ’କୁ ଚାପିବା ଓ ପ୍ରଭାବିତ କରିବା ଭଳି ତଥ୍ୟକୁ ବଢ଼ାଇ ଚଢ଼ାଇ ଉପସ୍ଥାପନ କରିବା ପ୍ରକ୍ରିୟା ବନ୍ଦ ହେବା ଦରକାର। ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସମସ୍ତ ପେସାଦାର ଅର୍ଥନୀତିଜ୍ଞ, ପରିସଂଖ୍ୟାନବିତ ଏବଂ ସ୍ବାଧୀନ ଗବେଷକମାନଙ୍କୁ ଏକ ଚିଠି ଜରିଆରେ ୧୦୮ ଅର୍ଥନୀତିଜ୍ଞଙ୍କ ଏକ ଦଳ ଆହ୍ବାନ ଦେଇଛି। ସରକାରୀ ତଥ୍ୟ ଉପରେ ଲୋକମାନଙ୍କ ବିଶ୍ବାସ ଯେଭଳି ଫେରିବ ଏବଂ ବଜାୟ ରହିପାରିବ ସେଥିପାଇଁ କାମ କରିବାକୁ ଅର୍ଥନୀତିଜ୍ଞମାନେ ଆହ୍ବାନ ଦେଇଛନ୍ତି। ତିନି ପ୍ରକାର ତଥ୍ୟ ଉପରେ ସେମାନେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ମୋଟ ଘରୋଇ ଉତ୍ପାଦ (ଜିଡିପି) ହିସାବ ପାଇଁ ବେସ୍ ଇୟର (ଆଧାର ବର୍ଷ)ରେ ସଂଶୋଧନ, ଜିଡିପି ଅଭିବୃଦ୍ଧିର ତଥ୍ୟ ଏବଂ ନିଯୁକ୍ତି ତଥ୍ୟକୁ ଅର୍ଥନୀତିଜ୍ଞମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅଭିଯୋଗ ହେଉଛି ଯେ ଯେଉଁ ରିପୋର୍ଟରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବା ଭଳି ତଥ୍ୟ ରହିଛି ତାହାକୁ ସରକାର ଜାଣିଶୁଣି ଅଟକାଇ ଦେଉଛନ୍ତି। କେତେକ କ୍ଷେତ୍ରରେ ନିଜକୁ ସୁହାଇବା ଭଳି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ପୂର୍ବରୁ ପ୍ରଚଳିତ ଥିବା ପଦ୍ଧତିକୁ ମୋଡ଼ିମକଚି ଦିଆଯାଉଛି। ସରକାର ଗୋଟିଏ ପରେ ଗୋଟିଏ ରିପୋର୍ଟକୁ ଅଟକାଇବା ପରେ ଏହି ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି।

ସରକାରୀ ପରିସଂଖ୍ୟାନ ତଥ୍ୟରେ ରାଜନୈତିକ ହସ୍ତକ୍ଷେପକୁ ନେଇ ଅର୍ଥନୀତିଜ୍ଞମାନେ ଯେଉଁ ସ୍ବର ଉତ୍ତୋଳନ କରିଛନ୍ତି ତାହାକୁ ପୂର୍ବତନ ମୁଖ୍ୟ ପରିସଂଖ୍ୟାନବିତ୍‌ ପ୍ରଣବ ସେନ୍ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ସେହି ତଥ୍ୟକୁ ବ୍ୟବହାର କରୁଛନ୍ତି ସେମାନଙ୍କର ତଥ୍ୟ ଉପରେ ବିଶ୍ବାସ ରହିବା ସବୁଠୁ ବଡ଼ କଥା। ରାଜନୈତିକ ଉଦ୍ଦେଶ୍ୟ ରଖି ତଥ୍ୟରେ ହେରଫେର ହେବା ଅନୁଚିତ। ଭୁଲଭଟକା କିମ୍ବା ବୈଷୟିକ ତ୍ରୁଟି ଚଳନୀୟ। କିନ୍ତୁ ତଥ୍ୟ ଉପରୁ ରାଜନୈତିକ ହସ୍ତକ୍ଷେପ ସମ୍ପୂର୍ଣ୍ଣ ହଟିବା ଦରକାର ବୋଲି ସେ କହିଛନ୍ତି। ଜେନେୟୁ, ଆହ୍ଲାବାଦ ବିଶ୍ବବିଦ୍ୟାଳୟ, ସାମାଚୁସେଟସ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଆଇଆଇଏମ୍ ଅହମ୍ମଦାବାଦ, ଦିଲ୍ଲୀ ବିଶ୍ବବିଦ୍ୟାଳୟ, ବ୍ରିଟିସ୍‌ କଲମ୍ବିଆ ବିଶ୍ବବିଦ୍ୟାଳୟ, ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍‌, ଆଇଆଇଏମ୍-ବାଙ୍ଗାଲୋର, ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟ, ହାଭାର୍ଡ ବିଶ୍ବବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଶିକ୍ଷାବିତ୍‌ମାନେ ସରକାରୀ ତଥ୍ୟରେ ରାଜନୈତିକ ହସ୍ତକ୍ଷେପ ନେଇ ଆପତ୍ତି ଉଠାଇଛନ୍ତି।

ସନ୍ଦେହର କାରଣ
ଜିଡିପି ହିସାବ ପାଇଁ ବେସ୍ ଇୟର୍‌କୁ ବଦଳାଇଦିଆଗଲା। ୨୦୧୫ରେ ନୂଆ ସିରିଜ୍‌ ଅନୁସାରେ ତଥ୍ୟ ପ୍ରସ୍ତୁତ କରିବା ପରେ ୨୦୧୨-୧୩ ଏବଂ ୨୦୧୩-୧୪ ବର୍ଷର ଅଭିବୃଦ୍ଧି ବହୁତ ବଢ଼ିଗଲା। କିନ୍ତୁ ଅର୍ଥନୀତିରେ ତାହାର ବାସ୍ତବ ପ୍ରତିଫଳନ ଦେଖିବାକୁ ମିଳିନଥିଲା ପିଛିଲା ବର୍ଷଗୁଡ଼ିକର ଜିଡିପି ତଥ୍ୟକୁ ସଂଶୋଧିତ କରି ପ୍ରକାଶ କରାଗଲା। ପ୍ରଥମ ଦଫା ତଥ୍ୟରେ ଉପା ସରକାରଙ୍କ ଅମଳରେ ଅଭିବୃଦ୍ଧି ଅଧିକ ହୋଇଥିବା ଦର୍ଶାଯାଇଥିଲା। ଦ୍ବିତୀୟ ଦଫାରେ ଚିତ୍ର ସମ୍ପୂର୍ଣ୍ଣ ବଦଳିଗଲା। ଏନ୍‌ଡିଏ ସରକାରଙ୍କ ଅମଳରେ ସର୍ବୋଚ୍ଚ ଅଭିବୃଦ୍ଧି ହାସଲ ହୋଇଥିବା ପ୍ରଦର୍ଶିତ କରାଗଲା। ଜିଡିପିର ପିଛିଲା ହିସାବକୁ ନେଇ ଜାତୀୟ ପରିସଂଖ୍ୟାନ କମିସନ (ଏନଏସ୍‌ସି) ତଥ୍ୟ ବଦଳରେ ୨୦୧୮ରେ ସିଏସ୍ଓର ତଥ୍ୟ ଜାରି କରାଗଲା। ଉଭୟ ରିପୋର୍ଟରେ ସମ୍ପୂର୍ଣ୍ଣ ଭିନ୍ନ ତଥ୍ୟ ଥିଲା ନିଯୁକ୍ତିକୁ ନେଇ ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନ୍‌ଏସ୍‌ଏସ୍‌ଓ) ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟକୁ ସରକାର ଚାପି ଦେଇଛନ୍ତି। ଗତ ଡିସେମ୍ବରରେ ଏହି ରିପୋର୍ଟ ଆସିବାର ଥିଲା। ଦେଶର ବେକାରୀ ହାର ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା‌ ତଥ୍ୟ ଏହି ରିପୋର୍ଟରେ ରହିଛି ଶ୍ରମ ବ୍ୟୁରୋ ତରଫରୁ ପ୍ରସ୍ତୁତ କରାଯାଇଥିବା ନିଯୁକ୍ତି ରିପୋର୍ଟକୁ ଅଟକାଇ ଦିଆଯାଇଛି

ସମ୍ବନ୍ଧିତ ଖବର