ପିଆଜ ଦର ଅସ୍ଥିର ରହିଥିବା ବେଳେ କେନ୍ଦ୍ର ସରକାର ଯେଉଁ ସବୁ ପିଆଜ ଆମଦାନି କରିଥିଲେ ତାହା ବିଭିନ୍ନ ସ୍ଥାନରେ ପଡ଼ି ରହି ଶଢ଼ୁଛି। ଏହା ପଛର ମୂଳ କାରଣ କ’ଣ ତାହାର ଉତ୍ତର ସର୍ଭେରେ ରହିଛି। ସର୍ଭେରେ କୁହାଯାଇଛି ଯେ, କେତେକ ମାମଲାରେ ସରକାରଙ୍କ ହସ୍ତକ୍ଷେପ ଲାଭ ଦେବା ବଦଳରେ ଅଧିକ କ୍ଷତି ପହଞ୍ଚାଉଛି। ଅତ୍ୟାବଶ୍ୟକ ସାମଗ୍ରୀ ନିୟମ ଅଧୀନରେ ନିୟମିତ ଭାବେ ସାମଗ୍ରୀଗୁଡ଼ିକର ଷ୍ଟକ୍ ସୀମା ନିର୍ଧାରଣ କରାଯାଉଛି। ଏହାର କିଛି ଲାଭ ମିଳୁନାହିଁ। ଯେଉଁ ସାମଗ୍ରୀର ଷ୍ଟକ ସୀମା ନିର୍ଧାରଣ କରାଯାଉଛି ତାହାର ମୂଲ୍ୟ କମ୍ ହେଉ ନଥିବା ବେଳେ ମୂଲ୍ୟର ଅସ୍ଥିରତା ମଧ୍ୟ ଦୂର ହେଉନାହିଁ। ସରକାରଙ୍କ ହସ୍ତକ୍ଷେପ କେବଳ ହଇରାଣ କରିବା ଭଳି ସ୍ଥିତି ସୃଷ୍ଟି କରୁଛି। ଏହା ବିରୋଧରେ ଦୀର୍ଘ ସମୟ ଧରି ବିଶେଷଜ୍ଞମାନେ ବହୁତ କିଛି କହୁଥିଲେ ମଧ୍ୟ ସେଗୁଡ଼ିକୁ କେହି ଶୁଣୁନାହାନ୍ତି। ଏହି ନିୟମ ୧୯୫୫ରେ ଲାଗୁ ହୋଇଥିଲା ଏବଂ ତାହା ଅରାଜକତାବାଦ ଭଳି। ମରୁଡ଼ି ସମୟରେ ଏହି ନିୟମ ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ଏହି ନିୟମ କେତେ ପ୍ରାସଙ୍ଗିକ ତାହାର ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି ସର୍ଭେରେ କୁହାଯାଇଛି।

Advertisment

କେବଳ ଏହି ନିୟମ ନୁହେଁ ଆହୁରି ଅନେକ ପ୍ରକାରର ନିୟମ ରହିଛି ଯାହାର ସମୀକ୍ଷା ହେବା ଦରକାର। ବିଭାଗଗୁଡ଼ିକୁ ସେହିସବୁ ପୁରୁଣାକାଳିଆ ନିୟମକୁ ଚିହ୍ନଟ କରିବାକୁ ହେବ। ଡ୍ରଗସ୍ ପ୍ରାଇସ୍‌ କଣ୍ଟ୍ରୋଲ୍ ଅର୍ଡର (ଡିପିସିଓ) ୨୦୧୩କୁ ନେଇ ମଧ୍ୟ ସର୍ଭେରେ ପ୍ରଶ୍ନ ଉଠାଯାଇଛି। ଏହା ଦ୍ବାରା ଔଷଧର ଦାମ୍ କମିବା ବଦଳରେ ବଢ଼ୁଥିବା ଏଥିରେ କୁହାଯାଇଛି। ଚିନି, ଡାଲି, ପିଆଜ ଏବଂ ଔଷଧ କ୍ଷେତ୍ରରେ ଅସାଧୁ ମେଣ୍ଟ ଜରିଆରେ କାରବାର ହେଉଥିବା ସର୍ଭେରେ ସନ୍ଦେହ ପ୍ରକଟ କରାଯାଇଛି। ସରକାରଙ୍କ ଦ୍ବାରା ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବା ପ୍ରକ୍ରିୟାକୁ ମଧ୍ୟ ସର୍ଭେରେ ସମାଲୋଚନା କରାଯାଇଛି। ସରକାରଙ୍କ ପଦ୍ଧତି ପ୍ରତିଦ୍ବନ୍ଦ୍ବିତାର ବିରୋଧୀ। ସେଥିପାଇଁ ଏଫ୍‌ସିଆଇର ଭଣ୍ଡାରରେ ଅତ୍ୟଧିକ ସାମଗ୍ରୀ ମହଜୁଦ ରହୁଛି, ଖାଦ୍ୟ ସବ୍‌ସିଡି ଭାର ବଢ଼ୁଛି ଏବଂ ଖାଦ୍ୟଶସ୍ୟ ଚାହିଦା ଓ ଯୋଗାଣରେ ଅସନ୍ତୁଳନ ସୃଷ୍ଟି କରୁଛି। ଫସଲରେ ବିବିଧତା ଆଣିବା ଲାଗି ପ୍ରୋତ୍ସାହନ ପ୍ରଦାନ କରିବା କ୍ଷେତ୍ରରେ ଏହା ପ୍ରତିବନ୍ଧକ ସାଜିଛି ବୋଲି ସର୍ଭେରେ କୁହାଯାଇଛି। ବିଭିନ୍ନ ରାଜ୍ୟଗୁଡ଼ିକ ଦ୍ବାରା କରାଯାଇଥିବା କୃଷି ଋଣ ଛାଡ଼ ଘୋଷଣାକୁ ମଧ୍ୟ ସର୍ଭେରେ ସମାଲୋଚନା କରାଯାଇଛି। ଋଣ ଛାଡ଼ ଦ୍ବାରା ବିଶେଷ କିଛି ଲାଭ ମିଳେ ନାହିଁ। ଯେଉଁ ଚାଷୀଙ୍କ ସମ୍ପୂର୍ଣ୍ଣ ଋଣ ଛାଡ଼ କରାଯାଏ ସେ କମ୍ ବ୍ୟବହାର କରନ୍ତି, କମ୍ ସଞ୍ଚୟ କରନ୍ତି, କମ୍ ନିବେଶ କରନ୍ତି ଏବଂ ତାଙ୍କର ଉତ୍ପାଦନ ମଧ୍ୟ କମିଯାଏ ବୋଲି ସର୍ଭେରେ କୁହାଯାଇଛି।