ନୂଆଦିଲ୍ଲୀ: ଅନ୍‌ଲାଇନ୍ ବ୍ୟବସାୟ ହେଉ କିମ୍ବା ବଡ଼ ବଡ଼ ମଲ୍‌। ଖୁଚୁରା ବିକ୍ରି କ୍ଷେତ୍ରରେ ଯେତେବେଳେ ନୂଆ ବିପ୍ଳବ ଦେଖା‌ଯିଏ ତାହାର ସିଧାସଳଖ ପ୍ରଭାବ ତେଜରାତି ଦୋକାନଗୁଡ଼ିକ ଉପରେ ପଡ଼ିଥାଏ। ତେଜରାତି ଦୋକାନଗୁଡ଼ିକ ଅତୀତରେ ଏଭଳି ଅନେକ ଆହ୍ବାନକୁ ସାମ୍ନା କରିଛନ୍ତି। ଏବେ ସେମାନଙ୍କ ସାମ୍ନାରେ ଆଉ ଏକ ନୂଆ ବିପଦ ଉଭା ହୋଇଛି। ତାହା ହେଉଛି ‘କ୍ବିକ୍ କମର୍ସ’। ବ୍ଲିଙ୍କଇଟ୍, ଇନଷ୍ଟାମାର୍ଟ, ଜେପ୍‌ଟୋ ଓ ବିପି ନାଓ ଭଳି ସଂସ୍ଥା ଲୋକମାନଙ୍କ ପାଖରେ ଦ୍ରୁତ ଗତିରେ ଗ୍ରୋସରି ପହଞ୍ଚାଉଥିବା ବେଳେ ସେମାନେ ୧୦-୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମଧ୍ୟ ଦେଉଛନ୍ତି। ସେଥିପାଇଁ ଦେଶର ବଡ଼ ବଡ଼ ସହର ସମେତ ଅନେକ ସ୍ଥାନରେ ସେମାନଙ୍କ ଚାହିଦା ବଢ଼ିବାରେ ଲାଗିଛି।

Advertisment

କୋଭିଡ୍ ମହାମାରୀ ସମୟରେ ଅନଲାଇନ୍‌ରେ ଜିନିଷ ମଗାଇବା ପରିମାଣ ବଢ଼ିଥିଲା। ସ୍ଥିତି ସ୍ବାଭାବିକ ହେବା ପରେ ବିଶେଷଜ୍ଞମାନେ ଅନଲାଇନ୍ ବ୍ୟବସାୟ ବେଶି ଦିନ ନୁହେଁ ବୋଲି କହିଥିଲେ। ମାତ୍ର ସେମାନଙ୍କ ଆକଳନ ଭୁଲ୍ ପ୍ରମାଣିତ ହୋଇଛି। ଦେଶରେ ଥିବା ବଡ଼ ବଡ଼ ଏଫ୍ଏମସିଜି କମ୍ପାନି ଜଣାଇଛନ୍ତି ଯେ କ୍ବିକ୍ କମର୍ସ ଜରିଆରେ ସେମାନଙ୍କ ବିକ୍ରି ଦ୍ରୁତ ଗତିରେ ବଢ଼ୁଛି। ନେସ୍‌ଲେ, ପାର୍ଲେ, ଆଇଟିସି, ମାରିକୋ ଓ ଇମାମି ଭଳି କମ୍ପାନି ଜଣାଇଛନ୍ତି ଯେ ସେମାନଙ୍କ ବାର୍ଷିକ ଇ-କମର୍ସ ବିକ୍ରିରେ କ୍ବିକ୍ କମର୍ସର ଭାଗ ୩୦-୩୫ ପ୍ରତିଶତ ରହିଛି।

ଦେଶରେ ୧୨ ନିୟୁତରୁ ଅଧିକ ତେଜରାତି ଦୋକାନ ରହିଛି। ଆଖପାଖ ଲୋକଙ୍କ ଡାଲି, ଚାଉଳଠାରୁ ଆରମ୍ଭ କରି ସାମ୍ପୁ, ସାବୁନ, ମସଲା ଆଦି ଆବଶ୍ୟକତା ପୂରଣ କରିବାରେ ସେମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଇକମର୍ସ କମ୍ପାନିଗୁଡ଼ିକ ଆସିବା ପରେ ଏହି କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଯେଉଁ ଗତିରେ ଦେଶରେ ଇ-କମର୍ସ ବ୍ୟବସାୟ ବଢ଼ୁଛି ତାହାକୁ ନେଇ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ବାର୍ଷିକ ୨୭ ପ୍ରତିାତ ହାରରେ ବଢ଼ୁଥିବା ଇ-କମର୍ସ କାରବାର ଏକ ସଫଳତା ନୁହେଁ, ବରଂ ଚିନ୍ତାର ବିଷୟ। ଦେଶରେ ଏହା ସାମାଜିକ ବିଭ୍ରାଟ ସୃଷ୍ଟି କରିପାରେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ବିଶେଷ କରି ଦେଶରେ ଥିବା ୧୦ କୋଟିରୁ ଅଧିକ କ୍ଷୁଦ୍ର ବ୍ୟବସାୟୀ ଏହା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଛୋଟ ଓ ବଡ଼ ଦୋକାନ ଭିତରେ ଏକ ବଡ଼ ଧରଣର ଅନ୍ତର ଦେଖାଦେଇଛି। ୧୦ ବର୍ଷ ପୂର୍ବେ ଯେତିକି ମୋବାଇଲ୍ ଦୋକାନ ଥିଲା, ଏବେ ଆଉ ସେଗୁଡ଼ିକୁ‌ ଦେଖିବାକୁ ମିଳୁନି। ମୋବାଇଲ୍ ଫୋନ୍ ଓ ଆସେସୋରିଜ୍ କେବଳ ଆପଲ୍ ଭଳି ବଡ଼ କମ୍ପାନି ବିକ୍ରି କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଭିନ୍ନ ସାମଗ୍ରୀ ଓ ସେବାର ମୂଲ୍ୟକୁ ଯେଉଁଭଳି ଭାବେ ଇ-କମର୍ସ କମ୍ପାନିଗୁଡ଼ିକ କମ୍ ରଖୁଛନ୍ତି ତାହା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।