ଫେରିଲା ଅସହିଷ୍ଣୁତା ବିତର୍କ: ସମାଲୋଚନା ପ୍ରତି ସହିଷ୍ଣୁ ହେବାକୁ ରାଜନଙ୍କ ପରାମର୍ଶ

ନୂଆଦିଲ୍ଲୀ: ଗଣତନ୍ତ୍ର ଲାଗି ସମାଲୋଚନା ବହୁତ ଗୁରୁତ୍ବପୂର୍ଣ୍ଣ। ସେ ଦୃଷ୍ଟିରୁ ସମାଲୋଚନା ପ୍ରତି ସରକାରଙ୍କୁ ସହିଷ୍ଣୁ ହେବାକୁ ପଡ଼ିବ। ସମାଲୋଚନାକୁ ଅଟକାଇ ସବୁ କିଛି ଠିକ୍‌ଠାକ୍ ଚାଲିଛି ବୋଲି ସାଧାରଣରେ କେବଳ ଧାରଣା ସୃଷ୍ଟି କରାଯାଇପାରେ। କିନ୍ତୁ ବାସ୍ତବ ସତ୍ୟକୁ ବେଶି ଦିନ ଏଡ଼ାଇ ହେବ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି।ପେସାଦାରମାନେ ବ୍ୟବହାର କରୁଥିବା ସୋସିଆଲ୍ ମିଡିଆ ‘ଲିଙ୍କଡ୍‌ଇନ୍‌’ରେ ଏକ ଲେଖା ପୋଷ୍ଟ କରି ‌ସମାଲୋଚନା ପ୍ରତି ସହିଷ୍ପୁ ହେବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ ଲେଖିଛନ୍ତି, ଯେଉଁ ସରକାର ସମାଲୋଚନାକୁ ଗ୍ରହଣ କରେନାହିଁ କିମ୍ବା ସହିଷ୍ପୁ ଆଚରଣ ପ୍ରଦର୍ଶନ କରେ ନାହିଁ ତାହା ବାସ୍ତବ ସ୍ଥିତି ଠାରୁ ଦୂରେଇ ଯାଏ ଏବଂ ନୀତି ନିୟମ ପ୍ରସ୍ତୁତ କରିବା ବେଳେ ଭୁଲ କରିଥାଏ। ଯଦି ସମାଲୋଚନା କରୁଥିବା ସବୁ ଲୋକଙ୍କୁ ଚୁପ୍ ରହିବା ଲାଗି ସରକାରଙ୍କ ଆଡ଼ୁ ଫୋନ୍ କଲ୍ ଯିବ କିମ୍ବା ସରକାରଙ୍କ ‘ଟ୍ରୋଲ୍‌ ଆର୍ମି’ ସେମାନଙ୍କ ପଛରେ ପଡ଼ିଯିବେ ତେବେ ସବୁ ସମାଲୋଚକ ନିଜର ମୁହଁ ବନ୍ଦ କରିଦେବେ। ଏଭଳି ହେଲେ ସରକାର ଏକ ଭୁଲ ଧାରଣରେ ରହିଯିବେ ଯେ ସବୁ କିଛି ଠିକ୍‌ଠାକ୍ ଚାଲିଛି। ଏଭଳି ଆଭିମୁଖ୍ୟ ରଖି ବାସ୍ତବ ସତ୍ୟକୁ ସରକାର ଅଧିକ ଦିନ ଏଡ଼ାଇ ପାରିବେ ନାହିଁ। ଯେତେବେଳେ ସତ୍ୟ ସାମ୍ନାକୁ ଆସିବ ତାହାକୁ ଏଡ଼ାଇବା କଷ୍ଟକର ହୋଇପଡ଼ିବ ବୋଲି ରାଜନ ଜଣାଇଛନ୍ତି।

ସମାଲୋଚନା କାହିଁକି ଗୁରୁତ୍ବପୂର୍ଣ୍ଣ ତାହା ଜଣାଇବା ଲାଗି ରାଜନ ଲେଖିଛନ୍ତି, ସମାଲୋଚନା ଜାରି ରହିଲେ ନିୟମିତ ବ୍ୟବଧାନରେ ନୀତି ନିୟମରେ ସଂଶୋଧନ ହୁଏ। ସରକାରୀ ପ୍ରଶାସନିକ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ରାଜନେତାମାନଙ୍କୁ ବାସ୍ତବ ସତ୍ୟ କହିବାର ସୁଯୋଗ ପାଇଥାନ୍ତି। କିନ୍ତୁ ଯଦି ଅଜସ୍ର ପ୍ରଶଂସା ସବୁ ବେଳେ ମିଳୁଥିବ ତେବେ ସରକାର ଏକ ଜଟିଳ ପରିସ୍ଥିତିକୁ ଠେଲି ହୋଇଯିବେ ବୋଲି ସେ କହିଛନ୍ତି। ଚିନ୍ତାଧାରା ସୃଷ୍ଟି କରିବାର ଅଧିକାର ଗୋଟିଏ ଗୋଷ୍ଠୀ ପାଖରେ ରହିବା ଅନୁଚିତ ବୋଲି ସେ ଜଣାଇ ଦେଇଛନ୍ତି। ସେ ଲେଖିଛନ୍ତି, ଚିନ୍ତାଧାରା ସୃଷ୍ଟି କରିବା କାର୍ଯ୍ୟ କେବଳ ଗୋଟିଏ ଗୋଷ୍ଠୀ ପାଖରେ ସୀମିତ ରହିବା ଭଲ ନୁହେଁ। ସେହିପରି, ଏକ ନିର୍ଦିଷ୍ଟ ପ୍ରକାର ଚିନ୍ତାଧାରାକୁ ସମସ୍ତଙ୍କ ଉପରେ ଲଦିବାର ସଂସ୍କୃତି ଆରମ୍ଭ ହେବା ଦେଶ ପାଇଁ ବହୁତ ଖରାପ। ଏହା ସଂଖ୍ୟାଲଘୁ ସମାଜ ପ୍ରତି ଘାତକ ସାବ୍ୟସ୍ତ ହେବ ଏବଂ ଦେଶର ଅଭିବୃଦ୍ଧି ଓ ବିକାଶକୁ ପ୍ରଭାବିତ କରିବ ବୋଲି ସେ ‌ଜଣାଇଛନ୍ତି। ନିଜକୁ ଗର୍ବିତ ମନେ କରିବା ଲାଗି ଅତୀତର କୌଣସି ନିର୍ଦିଷ୍ଟ ବିଷୟର ଅଧିକ ଗୁଣଗାନ ମଧ୍ୟ ଭଲ ନୁହେଁ। ସେହିପରି, ବିଦେଶୀ ପ୍ରତିଦ୍ବନ୍ଦ୍ବିତା ପ୍ରତି ଅସୁରକ୍ଷିତ ଭାବନା ରଖିବା ମଧ୍ୟ ଭଲ ନୁହେଁ ବୋଲି ରାଜନ କହିଛନ୍ତି।

ସମ୍ବନ୍ଧିତ ଖବର