ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ମନ୍ତ୍ରୀମାନଙ୍କ ପାଖରେ କୌଣସି କ୍ଷମତା ନାହିଁ। ସବୁ କ୍ଷମତା ପିଏମ୍ଓ ପାଖରେ ରହିଛି। ପିଏମ୍ଓ ଦ୍ବାରା ଅର୍ଥନୀତି ପରିଚାଳିତ ହେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଇଂରାଜି ପତ୍ରିକା ‘ଇଣ୍ଡିଆ ଟୁଡେ’ରେ ସେ ଲେଖିଛନ୍ତି ଯେ, କେଉଁ ଠାରେ ଭୁଲ ରହିଛି ତାହାକୁ ବୁଝିବା ଲାଗି ଆମକୁ ପ୍ରଥମ ବର୍ତ୍ତମାନ ସରକାରଙ୍କ କେନ୍ଦ୍ରୀୟ ଢାଞ୍ଚାରେ ସବୁ କିଛିକୁ ପରିଚାଳନା କରିବା ବ୍ୟବସ୍ଥା ଉପରେ ନଜର ପକାଇବାକୁ ହେବ। ପ୍ରଧାନମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଅଳ୍ପ ସଂଖ୍ୟକ ଲୋକଙ୍କ ଦ୍ବାରା ସବୁ ନିଷ୍ପତ୍ତି ଗ୍ରହଣ କରାଯାଉଛି ଓ ନୂତନ ଚିନ୍ତାଧାରା ଓ ଯୋଜନା ପ୍ରସ୍ତୁତ କରାଯାଇଛି। ତାହା କେବଳ ଦଳର ରାଜନୈତିକ ଓ ସାମାଜିକ ଏଜେଣ୍ଡା ପାଇଁ ଠିକ୍ ଭାବେ କାମ କରିବ। ସେହି କାର୍ଯ୍ୟ କରିବାରେ ସେମାନେ ପାରଙ୍ଗମ। ମାତ୍ର ଅର୍ଥନୈତିକ ସଂସ୍କାର କ୍ଷେତ୍ରରେ ତାହା ଠିକ୍ ଭାବେ କାମ କରିବ ନାହିଁ ବୋଲି ରାଜନ ଜଣାଇଛନ୍ତି। ଯଦିଓ ପୂର୍ବ ସରକାର ମେଣ୍ଟ ସରକାର ଥିଲା ମାତ୍ର ନିରନ୍ତର ଭାବେ ଅର୍ଥନୈତିକ ଉଦାରୀକରଣ ଦିଗରେ ତାହା କାର୍ଯ୍ୟ କରୁଥିଲା। କ୍ଷମତା କେନ୍ଦ୍ରକୁ ଗୋଟିଏ ସ୍ଥାନରେ ରଖିବା, କ୍ଷମତା ସମ୍ପନ୍ନ ମନ୍ତ୍ରୀ ଓ ଏକ ମାର୍ଗଦର୍ଶନକାରୀ ଲକ୍ଷ୍ୟର ଅଭାବ ଯୋଗୁ ଅନେକ କାର୍ଯ୍ୟ ଆଗେଇ ପାରୁନାହିଁ। ଯେତେବେଳେ ଯେଉଁ କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଧ୍ୟାନ ଦେଉଛି ତାହା ଆଗକୁ ବଢ଼ୁଛି। ମାତ୍ର ହଠାତ ଅନ୍ୟ କୌଣସି ପ୍ରସଙ୍ଗ ଉପରେ ପିଏମ୍ଓ ଗୁରୁତ୍ବ ଦେବା ମାତ୍ରେ ପୂର୍ବରୁ ହେଉଥିବା ସବୁ କାର୍ଯ୍ୟ ଉପରୁ ଧାନ ହଟିଯାଉଛି।
ମାନ୍ଦାବସ୍ଥାକୁ ଦୂର କରିବା ଲାଗି ମୋଦୀ ସରକାରଙ୍କୁ ପ୍ରଥମେ ସେହି ସତ୍ୟକୁ ଗ୍ରହଣ କରିବାକୁ ପଡ଼ିବ ବୋଲି ରାଜନ କହିଛନ୍ତି। ସବୁ ସମସ୍ୟା କ୍ଷଣସ୍ଥାୟୀ ବୋଲି ସରକାରଙ୍କ ଯେଉଁ ଭାବନା ରହିଛି ତାହାକୁ ପ୍ରଥମେ ବଦଳାଇବାକୁ ପଡ଼ିବ। ଖରାପ ଖବର ଏବଂ ଅଡ଼ୁଆ ସ୍ଥିତି ସୃଷ୍ଟି କରୁଥିବା ସର୍ଭେର ନିର୍ଯ୍ୟାସଗୁଡ଼ିକୁ ଚାପିବା ପ୍ରକ୍ରିୟା ବନ୍ଦ ହେବା ଦରକାର। ଭାରତୀୟ ଅଭିବୃଦ୍ଧିରେ ମାନ୍ଦାବସ୍ଥା ରହିଛି ଏବଂ ଏହାର ପ୍ରଭାବ ଗ୍ରାମାଞ୍ଚଳରେ ଅଧିକ ରହିଛି। ଦେଶର କନଷ୍ଟ୍ରକ୍ସନ, ରିଅଲ ଇଷ୍ଟେଟ୍ ଓ ଭିତ୍ତିଭୂମି କ୍ଷେତ୍ର ଗଭୀର ସଙ୍କଟରେ ରହିଛି। କଂପାନି ଓ ଲୋକଙ୍କ ଋଣ ବୋଝ ବଢ଼ି ଚାଲିଛି। ଯୁବପିଢ଼ିଙ୍କ ମଧ୍ୟରେ ବେକାରି ବଢ଼ୁଛି। ଦେଶ ଭିତରେ କାରବାର କରୁଥିବା କଂପାନିଗୁଡ଼ିକ ନିବେଶ କରୁନାହାନ୍ତି। ତେଣୁ ନିଶ୍ଚିତ କିଛି ସମସ୍ୟା ରହିଥିବା ବୁଝିବାକୁ ହେବ ବୋଲି ରାଜନ କହିଛନ୍ତି। ଜମି ଅଧିଗ୍ରହଣ, ଶ୍ରମ ନିୟମ, ସ୍ଥିର ଟିକସ ଓ ନିୟାମକ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ସେ ଆହ୍ବାନ ଦେଇଛନ୍ତି। ଆୟକର ହାର କମ୍ କରିବା ଲାଗି ସରକାର ଯେଉଁ ଯୋଜନା ରଖିଛନ୍ତି ତାହାକୁ ରାଜନ ପସନ୍ଦ କରିନାହାନ୍ତି। ଏହା ବଦଳରେ ମୂଲ୍ୟବାନ ସମ୍ବଳକୁ ଏମ୍ଜିନରେଗା ଭଳି ସ୍କିମ୍ରେ ଖର୍ଚ୍ଚ କରି ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ସେ ସରକାରଙ୍କୁ ଆହ୍ବାନ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/01-1446364242-rbi-chief-raghuram-rajan.jpg)