ଦେଶର ଜଣାଶୁଣା ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ

ମୁମ୍ବାଇ : ଦେଶର ଜଣାଶୁଣା ଶିଳ୍ପପତି ତଥା ବଜାଜ ଅଟୋର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଛି । ହୃଦରୋଗ ଏବଂ ଛାତି ଯନ୍ତ୍ରଣା କାରଣରୁ ସେ ଗତ ପ୍ରାୟ ଏକ ମାସ ହେଲା ସେ ଅସୁସ୍ଥ ଥିଲେ । ତାଙ୍କର ପରଲୋକରେ ଦେଶର ଶିଳ୍ପ ଜଗତରେ ଏକ ଯୁଗର ଅନ୍ତ ହୋଇଛି ।

ଶ୍ରୀ ବଜାଜଙ୍କ ପରଲୋକ ସଂପର୍କରେ ବଜାଜ ଗ୍ରୁପ ପକ୍ଷରୁ ଏକ ବୟାନ ଜାରି କରି ଘୋଷଣା କରାଯାଇଛି । ପରିବାର ଲୋକଙ୍କ ଉପସ୍ଥିତିରେ ଶନିବାର ଅପରାହ୍ଣରେ ତାଙ୍କର ପରଲୋକ ହୋଇଥିବା ଏହି ବୟାନରେ କୁହାଯାଇଛି ।

ମାସକ ତଳେ ଛାତି ସମସ୍ୟା ଓ ନିମୋନିଆ ଯୋଗୁଁ ତାଙ୍କୁ ପୁଣେର ରୁବି ହଲ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ସେହି କ୍ଲିନିକରେ ହିଁ ଆଜି ଅପରାହ୍ଣ ସାଢେ ୨ଟା ବେଳେ ତାଙ୍କର ପରଲୋକ ହୋଇଛି ବୋଲି ଏହି କ୍ଲିନିକର ମ୍ୟାନେଜିଂ ଟ୍ରଷ୍ଟି ଡ.ପରଭେଜ ଗ୍ରାଣ୍ଟ କହିଛନ୍ତି ।

ଜୁନ ୧୦, ୧୯୩୮ରେ ଜନ୍ମ ଗ୍ରହଣ କରିଥିବା ରାହୁଲ ପ୍ରାୟ ୪୦ ବର୍ଷ ଧରି ବଜାଜ ଗ୍ରୁପର ଅଧ୍ୟକ୍ଷ ଥିଲେ । ଅସୁସ୍ଥତା କାରଣରୁ ସେ ଗତ ବର୍ଷ ବଜାଜ ଅଟୋର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଅମଳରେ ସତୁରୀ ଦଶକରୁ ଆରମ୍ଭ କରି ନବେ ଦଶକ ପର୍ଯ୍ୟନ୍ତ ବଜାଜ ସ୍କୁଟର ଭାରତୀୟ ବଜାରରେ ଆଧିପତ୍ୟ ବିସ୍ତାର କରିଥିଲା । ଏବେ ବଜାଜ ଅଟୋ ଦେଶର ପ୍ରମୁଖ ଦୁଇଚକିଆ ଯାନ ଉତ୍ପାଦନକାରୀ କମ୍ପାନି ମଧ୍ୟରୁ ଅନ୍ୟତମ ।

ସମ୍ବନ୍ଧିତ ଖବର