ନୂଆଦିଲ୍ଲୀ: ଅଗ୍ରଣୀ ବାଇକ୍ ନିର୍ମାତା ‘ବଜାଜ୍ ଅଟୋ’ର ବ୍ୟବସାୟ ମାନ୍ଦା ପଡ଼ି ଆସିଥିବା ବେଳେ ଏହାର ପରିଚାଳନା ନିର୍ଦେଶକ ରାଜୀବ ବଜାଜ୍ ଭାରତରେ ପ୍ରସିଦ୍ଧ ‘ପଲସ୍ର୍ ଲାଇନ୍ ବାଇକ୍’ ପ୍ରଚଳନ କରି ପୁଣି ବ୍ୟବସାୟକୁ ସଚଳ କରିଥିବା କଥା ଗଣମାଧ୍ୟମ ‘ଡିଏନ୍ଏ’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି ଯେ, ‘ବଜାଜ୍ ଗ୍ରୁପ୍’ର ପରିଚାଳନା ନିର୍ଦେଶକ ତଥା ‘ସିଇଓ’ ରାଜୀବ କମ୍ପାନିର ଉନ୍ନତି ଓ ଅଭିବୃଦ୍ଧି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ତାଙ୍କର ବାପା ହେଉଛନ୍ତି ୨୦୨୨ ଫେବ୍ରୁଆରି ପର୍ଯ୍ୟନ୍ତ ଏହି ସଂସ୍ଥାର ‘ଚେୟାର୍ମ୍ୟାନ୍ ଏମିରଟସ୍’ ଥିବା ସ୍ବର୍ଗତ ରାହୁଲ୍ ବଜାଜ୍।
ଆଜି ‘ବଜାଜ୍ ଗ୍ରୁପ୍’ ନାଁରେ ସୁପରିଚିତ ଏହି ସଂସ୍ଥାନକୁ ରାଜୀବଙ୍କ ଅଣଜେଜେ ତଥା ମହାତ୍ମା ଗାନ୍ଧୀଙ୍କର ଅନୁଗାମୀ ଯମନାଲାଲ୍ ବଜାଜ୍ ୧୯୨୬ ମସିହାରେ ସ୍ଥାପନ କରିଥିଲେ। ଏବେ ଏହି ସଂସ୍ଥାନ ଦ୍ବିଚକିଆ ଯାନ, ଆର୍ଥିକ ସେବା ଏବଂ ବୈଦ୍ୟୁତିକ ଉପକରଣ ଶିଳ୍ପ ସମେତ ୪୦ ପ୍ରକାରର ବ୍ୟବସାୟ କରୁଛି।
ସମ୍ପ୍ରତି ‘ବଜାଜ୍ ଗ୍ରୁପ୍’ ପରିଚାଳନା ନିର୍ଦେଶକ ତଥା ‘ସିଇଓ’ ଥିବା ରାଜୀବଙ୍କର ଜନ୍ମ ୧୯୬୬ ମସିହା ଡିସେମ୍ବର ୨୧ ତାରିଖରେ। ୨୦୦୫ରେ ସେ ‘ବଜାଜ୍ ଅଟୋ’ର ପରିଚାଳନା ନିର୍ଦେଶକ ରୂପେ ଦାୟିତ୍ବ ଗ୍ରହଣ କରିଥିଲେ।
/sambad/media/post_attachments/882732be546d203e5ca09f83fe7176f519bc0407873d18cc293e08d0d583a90c.jpg)
ପୁଣେର ଅକୁର୍ଦିସ୍ଥିତ ‘ସେଣ୍ଟ୍ ଉର୍ସୁଲା ହାଇସ୍କୁଲ୍’ରୁ ସ୍ନାତକୋତ୍ତର ହାସଲ କରିଥିବା ରାଜୀବ ୧୯୮୮ରେ ପୁଣେ ବିଶ୍ବବିଦ୍ୟାଳୟରୁ ‘ମେକାନିକାଲ୍ ଇଞ୍ଜିନିୟରିଙ୍ଗ୍’ରେ ‘ଫାଷ୍ଟ୍କ୍ଲାସ୍ ଡିଷ୍ଟିଙ୍କସନ୍’ରେ ଉତ୍ତୀର୍ଣ୍ଣ ହୋଇଥିଲେ। ତା’ପରେ ୧୯୯୦ରେ ସେ ୱାର୍ୱିକ୍ ବିଶ୍ବବିଦ୍ୟାଳୟରୁ ‘ମ୍ୟାନୁଫ୍ୟାକ୍ଚରିଙ୍ଗ୍ ସିଷ୍ଟମ୍ ଇଞ୍ଜିନିୟରିଙ୍ଗ୍’ରେ ବି ‘ଡିଷ୍ଟିଙ୍କ୍ସନ୍’ରେ ସ୍ନାତକତ୍ତୋର ଡିଗ୍ରି ହାସଲ୍ କରିଥିଲେ।
ଶିକ୍ଷା ଶେଷ ହେବା ପରେ ସେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ‘ବଜାଜ୍ ଅଟୋ’ର ‘ମ୍ୟାନୁଫ୍ୟାକ୍ଚରିଙ୍ଗ୍ ଆଣ୍ଡ୍ ସପ୍ଲାଏ ଚେନ୍’, ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ‘ଆର୍ ଆଣ୍ଡ୍ ଡି ଆଣ୍ଡ୍ ଇଞ୍ଜିନିୟରିଙ୍ଗ୍’, ‘୨୦୦୦ରୁ ୨୦୦୫ ପର୍ଯ୍ୟନ୍ତ ‘ମାର୍କେଟିଙ୍ଗ୍ ଆଣ୍ଡ୍ ସେଲ୍ସ୍’ରେ ବିଭିନ୍ନ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୫ ଏପ୍ରିଲ୍ରୁ ସେ କମ୍ପାନିର ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
‘ସିଏନ୍ବିସି-ଟିଭି୧୮’ ସହିତ କରିଥିବା ସାକ୍ଷାତ୍କାରରେ ରାଜୀବ କହିଥିଲେ ଯେ, ‘ରୟାଲ୍ ଏନ୍ଫିଲ୍ଡ୍’ର ମାଲିକାନା ଥିବା ‘ଆଇସର୍ ମୋଟୋର୍ସ ଲିମିଟେଡ୍’ର ପରିଚାଳନା ନିର୍ଦେଶକ ସିଦ୍ଧାର୍ଥ ଲାଲ୍ ହେଉଛନ୍ତି ତାଙ୍କର ଶ୍ରେଷ୍ଠ ପ୍ରେରଣାଦାତାଙ୍କ ମଧ୍ୟରେ ଅନ୍ୟତମ। ‘ଫୋର୍ବସ୍’ ପତ୍ରିକା ରିପୋର୍ଟ ଅନୁସାରେ, ୨୦୨୨ରେ ରାଜୀବ ବଜାଜ୍ଙ୍କ ସମ୍ପତ୍ତିର ମୂଲ୍ୟ ଥିଲା ୩୫,୬୦୦ କୋଟି ଟଙ୍କା।