ସରକାର ନିଜ ସୁଟ୍‌କେସ୍‌ ଭରିବାରେ ବ୍ୟସ୍ତ: କଂ‌ଗ୍ରେସ

ଋଣ କର, ଟିକସ ବଢ଼ାଅନି: ଚିଦମ୍ବରମ୍‌

ପେଟ୍ରୋଲ୍ ଓ ଡିଜେଲ୍‌ ଉପରେ ବଡ଼ ଧରଣର ଟିକସ ବୃଦ୍ଧି କରିଥିବା କେନ୍ଦ୍ର ସରକାରଙ୍କୁ କଂଗ୍ରେସ ତରଫରୁ ତୀବ୍ର ସମାଲୋଚନା କରାଯାଇଛି। ଟିକସ ବୃଦ୍ଧି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଛି। ଟୁଇଟ୍‌ କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଅନ୍ୟାୟ। କରୋନା ଭୂତାଣୁ ବିରୋଧ ଲଢ଼େଇ ବେଳେ ସମସ୍ତଙ୍କ ପାଇଁ ଅର୍ଥନୈତିକ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ତେଲ ଉପରୁ ଟିକସ କମ୍ କରିବା ବଦଳରେ ସରକାର ତାହାକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ତୁରନ୍ତ ପ୍ରତ୍ୟାହାର ହେବା ଦରକାର। ସେହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯେତେବେଳେ ଶସ୍ତା ଅଶୋଧିତ ତୈଳ ଦରର ଲାଭ ଗ୍ରାହକମାନଙ୍କ ପାଖରେ ପହଞ୍ଚିବା କଥା ସେହି ସମୟରେ ସରକାର ନିଜ ସୁଟ୍‌କେଟ୍‌ ଭରିବାରେ ବ୍ୟସ୍ତ ଅଛନ୍ତି। ସରକାର କାହା ପାଇଁ ଆୟ କରୁଛନ୍ତି? ଶସ୍ତା ତେଲ ଦରରୁ ଶ୍ରମିକ, ଚାଷୀ, ମଧ୍ୟବିତ୍ତ, ଶିଳ୍ପ କେହିବି ଉପକୃତ ହେଲେ ନାହିଁ ବୋଲି ପ୍ରିୟଙ୍କା ଲେଖିଛନ୍ତି। ସେହିପରି‌ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ମଧ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବା ଲାଗି ସରକାର ଋଣ କରିବା ଦରକାର। କରୋନା ଭୂତାଣୁ କାରଣରୁ ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ହୋଇଯାଇଥିବା ବେଳେ ଅଧିକ ଟିକସ ବୋଝ ଲଦିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର