ବଜାଜ୍‌କୁ ଶୀର୍ଷକୁ ନେଇଥିଲେ ରାହୁଲ: ୧୯୬୦‌ରେ କମ୍ପାନି ନାଁ ବଜାଜ୍‌ ହୋଇଥିଲା

୧୯୬୮ରେ ହୋଇଥିଲେ ବଜାଜ ଅଟୋ ସିଇଓ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ପଦ୍ମ ଭୂଷଣ ରାହୁଲ ବଜାଜ୍‌ଙ୍କର ଆଜି ତାଙ୍କ ପୁଣେସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କ ନିକଟରେ ଆତ୍ମୀୟ ସ୍ବଜନମାନେ ଉପସ୍ଥିତ ଥିଲେ। ୮୩ ବର୍ଷ ବୟସ୍କ ରାହୁଲ ନିମୋନିଆ ଏବଂ ହୃଦରୋଗରେ ପୀଡ଼ିତ ଥିଲେ। ଗତ ପ୍ରାୟ ମାସେ ହେବ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତେବେ ଶନିବାର ଅପରାହ୍ଣ ୨ଟା ୩୦ ମିନିଟରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ରବିବାର ପୁଣେସ୍ଥିତ ବୈକୁଣ୍ଠ ଧାମରେ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସଂପନ୍ନ ହେବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ରାହୁଲଙ୍କର ଦୁଇ ପୁଅ ଯଥା ରାଜୀବ ବଜାଜ୍‌ ଓ ସଂଜୀବ ବଜାଜ୍‌ ଏବଂ ଝିଅ ସୁନୟନା କେଜ୍ରିୱାଲ ଅଛନ୍ତି। ୧୯୬୫ରେ ସେ ବଜାଜ୍ ଗ୍ରୁପ୍‌ର ନେତୃତ୍ବ ନେଇ କମ୍ପାନିକୁ ନୂଆ ଉଚ୍ଚତାରେ ପହଞ୍ଚାଇଛନ୍ତି। ରାହୁଲ ବଜାଜ୍ ଗ୍ରୁପର ଅଧ୍ୟକ୍ଷ ଥିଲେ।

ଅଟୋମୋବାଇଲ ଠାରୁ ସାଧାରଣ ଏବଂ ଜୀବନ ବୀମା, ନିବେଶ ଓ କଞ୍ଜ୍ୟୁମର ଫାଇନାନ୍ସ, ହୋମ୍ ଆପ୍ଲାଏନସେସ୍, ଇଲେକ୍ଟ୍ରିକ୍ ଲ୍ୟାମ୍ପ, ପବନ ଶକ୍ତି, ସ୍ପେସାଲ ଆଲୟ ଏବଂ ଷ୍ଟେନଲେସ୍‌ ଷ୍ଟିଲ ଆଦି କ୍ଷେତ୍ରରେ ବଜାଜ୍ ଗ୍ରୁପର ବ୍ୟବସାୟ ରହିଛି। ତାଙ୍କ ନେତୃତ୍ବରେ ଏସବୁ କମ୍ପାନି ଦୀର୍ଘଦିନ ଧରି ପରିଚାଳିତ ହେଉଥିଲା। ୨୦୦୫ ମସିହାରୁ ସେ କମ୍ପାନିର ଦାୟିତ୍ବ ପୁଅ ରାଜୀବଙ୍କୁ ହସ୍ତାନ୍ତର କରିବା ଆରମ୍ଭ କରି‌ଥିଲେ। ଗତବର୍ଷ ଏପ୍ରିଲରେ ରାହୁଲ ବଜାଜ୍‌ ଅଟୋ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ୫ ବର୍ଷ ପାଇଁ ସେ କମ୍ପାନିର ସେବାନିବୃତ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ୧୯୩୮ ଜୁନ ୧୦ ତାରିଖରେ ଜନ୍ମ ହୋଇଥିବା ରାହୁଲ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଅର୍ଥନୀତି ସମ୍ମାନରେ ସ୍ନାତକ, ବମ୍ବେ ବିଶ୍ବବିଦ୍ୟାଳୟରୁ ଏଲଏଲବି ଏବଂ ହାର୍ଭାର୍ଡ ବିଜନେସ୍ ସ୍କୁଲରୁ ଏମବିଏ ଡିଗ୍ରି ହାସଲ କରିଥିଲେ। ତାଙ୍କ ନେତୃତ୍ବରେ ବଜାଜ୍‌ର ବାର୍ଷିକ କାରବାର ୭.୨ କୋଟିରୁ ୧୨ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୦୬ରୁ ୨୦୧୦ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ରହିଥିଲେ।

ରାହୁଲଙ୍କ ମୃତ୍ୟୁରେ ଦେଶର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ତାଙ୍କୁ ଭାରତୀୟ ଶିଳ୍ପଜଗତର ଜଣେ ସମ୍ମାନିତ ବ୍ୟକ୍ତି ବୋଲି ଅଭିହିତ କରିଛନ୍ତି। ତାଙ୍କ ମୃତ୍ୟୁରେ ବିଶ୍ବର ଉଦ୍ୟୋଗ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବିଶ୍ବ ବାଣିଜ୍ୟ ଓ ଶିଳ୍ପ ଜଗତ ପ୍ରତି ଥିବା ଉଲ୍ଲେଖନୀୟ ଅବଦାନ ପାଇଁ ରାହୁଲ ବଜାଜଜୀ ମନେ ରହିବେ। ବ୍ୟବସାୟ ବ୍ୟତୀତ ସେ ସମାଜସେବା ପ୍ରତି ବ୍ରତୀ ଥିଲେ। ତାଙ୍କ ପରଲୋକରେ ମୁଁ ମର୍ମାହତ। ରାହୁଲ୍‌ ବଜାଜ୍‌ଙ୍କ ମୃତ୍ୟୁ ଦେଶ ପାଇଁ ଏକ ବଡ଼ କ୍ଷତି ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି। ଦୁଇ ଚକିଆ ପ୍ରଯୁକ୍ତି-ବଜାଜ୍ ବାଇକ୍ ମାଧ୍ୟମରେ ରାହୁଲ ସମାଜରେ, ବିଶେଷକରି ଗରିବ ଏବଂ ମଧ୍ୟମ ଆୟବର୍ଗଙ୍କ ମଧ୍ୟରେ ପରିବର୍ତ୍ତନ ଆଣିଥିଲେ ବୋଲି ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ, ଜୟରାମ ରମେଶ, ପ୍ରଫୁଲ୍ଲ ପଟେଲ, ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ସମେତ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଅଧ୍ୟକ୍ଷ ଉଦୟ କୋଟାକ, ବାୟୋକନ୍ ଅଧ୍ୟକ୍ଷା କିରଣ ମଜୁମଦାର ସ, ଆରପିଜି ଗ୍ରୁପ୍ ଅଧ୍ୟକ୍ଷ ହର୍ଷ ଗୋଏଙ୍କା, ଟିଭିଏସ୍ ଅଧ୍ୟକ୍ଷ ବେଣୁ ଶ୍ରୀନିବାସନ, ରେମଣ୍ଡ୍ ସିଏମ୍‌ଡି ଗୌତମ ହରି ସିଂଘାଣିଆ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

୧୯୬୦‌େର କମ୍ପାନି ନଁା ବଜାଜ୍‌ ହୋଇଥିଲା
ଯମନାଲାଲ ବଜାଜ୍‌ଙ୍କ ଦ୍ବାରା ବଛରାଜ୍ ଆଣ୍ଡ୍ କମ୍ପାନି ନାମରେ ଏକ ଫାର୍ମ ସ୍ଥାପନ ହୋଇଥିଲା। ତାଙ୍କ ପରେ ରାମେଶ୍ବର ନିଓଟିଆ ଏବଂ ଯମନାଲାଲଙ୍କ ଦୁଇପୁଅ କମଳନୟନ ଏବଂ ରାମକୃଷ୍ଣ ବଜାଜ୍ ବଛରାଜ ଟ୍ରେଡିଂ କର୍ପୋରେସନ୍ ଗଠନ କରିଥିଲେ। ୧୯୪୮ରେ ଏହି କମ୍ପାନି ଦ୍ବାରା ଆମଦାନି ହେଉଥିବା ଉପକରଣକୁ ଆସେମ୍ବଲ କରି ଦୁଇ ଚକିଆ ଓ ତିନି ଚକିଆ ଯାନ ତିଆରି କରାଯାଇଥିଲା। ପ୍ରଥମ ବଜାଜ ଭେସ୍ପା ସ୍କୁଟର ଗୁରଗାଓଁର ଏକ ଗ୍ୟାରେଜ ସେଡ୍‌ରେ ପ୍ରସ୍ତୁତ ହୋଇଥିଲା। ୧୯୬୦ରେ କମ୍ପାନିର ନାମକରଣ ବଜାଜ୍ ଅଟୋ ହୋଇଥିଲା। ୧୯୭୦ ଓ ୮୦ ଦଶକରେ ବଜାଜ ସ୍କୁଟରର ଚାହିଦା ଏତେ ଅଧିକ ଥିଲା ଯେ ଲୋକଙ୍କୁ ଦୀର୍ଘବର୍ଷ ପର୍ଯ୍ୟନ୍ତ ଲାଇନରେ ରହିବାକୁ ପଡ଼ୁଥିଲା।

୧୯୬୮ରେ ହୋଇଥିଲେ ବଜାଜ ଅଟୋ ସିଇଓ
ରାହୁଲ ବଜାଜ୍‌ ୧୯୬୮ ମସିହାରେ ବଜାଜ ଅଟୋର ସିଇଓ ହୋଇଥିଲେ। ଏହାପରେ ୧୯୭୨ ମସିହାରେ ତାଙ୍କୁ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ରୂପେ ନିଯୁକ୍ତି ମିଳିଥିଲା। ୧୯୮୬ରୁ ୧୯୮୯ ମସିହା ପର୍ଯ୍ୟନ୍ତ ସେ ତତ୍କାଳୀନ ଇଣ୍ଡିଆନ ଏୟାରଲାଇନ୍ସର ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ସମ୍ଭାଳିଥିଲେ। ୧୯୩୮ ଜୁନ ୧୦ରେ ‌କୋଲକାତାଠାରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ବାପାଙ୍କ ନାମ କମଳନୟନ ବଜାଜ୍ ଏବଂ ମାଆଙ୍କ ନାମ ସାବିତ୍ରୀ ବଜାଜ୍‌ ରହିଥିଲା। ନେହରୁଙ୍କ ପରିବାର ସହିତ ତାଙ୍କ ପରିବାରର ୩ ପିଢ଼ି ଧରି ଘନିଷ୍ଠ ସଂପର୍କ ରହିଥିଲା। ପିତା କମଳନୟନ ଇନ୍ଦିରା ଗାନ୍ଧୀଙ୍କ ସହିତ କିଛିଦିନ ପାଇଁ ଗୋଟିଏ ବିଦ୍ୟାଳୟରେ ପାଠ ପଢ଼ୁଥିଲେ।

ସମ୍ବନ୍ଧିତ ଖବର