ସାତ ବର୍ଷ ପରେ ବି ଆଗଉନି ରେଳ କରିଡର୍‌

ଭୁବନେଶ୍ବର : ତାଳଚେର କୋଇଲା ଖଣି ଅଞ୍ଚଳରେ ରେଳ କରିଡର୍‌ ପ୍ରତିଷ୍ଠା ପାଇଁ ଘୋଷଣା ହେବାର ସାତ ବର୍ଷ ହୋଇଗଲାଣି। କିନ୍ତୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନାହିଁ। ଅନୁଗୁଳ-ତାଳଚେର, ଛେଣ୍ଡିପଦା ମଧ୍ୟରେ ୫୦୦ କୋଟି ଟଙ୍କା ବ୍ୟୟରେ ୮୫ କିମିର ରେଳପଥ ପ୍ରତିଷ୍ଠା କରିବା ଲାଗି ୨୦୧୨ରେ ଘୋଷଣା କରାଯାଇଥିଲା। ଏହି ପ୍ରକଳ୍ପ ଏବେବି ଝୁଲି ରହିଛି।

ତାଳଚେର କୋଇଲା ଖଣି ଅଞ୍ଚଳରୁ ବାର୍ଷିକ ୧୫ ନିୟୁତ ଟନ୍ କୋଇଲା ପରିବହନ ଲାଗି ଏହି ପ୍ରକଳ୍ପ ପ୍ରତିଷ୍ଠା କରାଯିବାର ଥିଲା। ଏହି ଅଞ୍ଚଳରେ ଥିବା ୧୦ଟି କୋଇଲା ବ୍ଲକ ଯଥା ଛେଣ୍ଡିପଦା, ବୈତରଣୀ ୱେଷ୍ଟ, ମାଛକୁଣ୍ଡ, ଉତ୍‌କେଲ୍‌ କୋଲ୍‌ ବ୍ଲକ୍, ନିଉ ପାତ୍ରପଡ଼ା, ତେଲିସାହି ରାଧିକାପୁରକୁ ଏହି ରେଳପଥ ସହ ସଂଯୋଗ କରାଯାଇଥାନ୍ତା। ନିକଟ‌େରେ କେନ୍ଦ୍ର ସରକାର ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ ଏବଂ ଏହାର ଅଗ୍ରଗତି ନେଇ ଗଭୀର ଅସନ୍ତୋଷ ଜାହିର କରିଥିଲେ।

ଅନୁଗୁଳ-ତାଳଚେର-ଛେଣ୍ଡିପଦା ରେଳପଥ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ୨୦୧୫ରେ ଏକ ଯୌଥ ଉଦ୍ୟୋଗ (ଜେଭି) ସ୍ଥାପନ କରାଯାଇଥିଲା। ଏମ୍‌ସିଏଲ୍‌, ଇଡ୍‌କୋ, ଓଏମ୍‌ସି ଓ ଭାରତୀୟ ରେଳ ନିର୍ମାଣ ନିଗମକୁ ନେଇ ଏହାକୁ ସ୍ଥାପନ କରାଯାଇଛି। ରାଜ୍ୟର ସ୍ବାର୍ଥ ଓ ଶିଳ୍ପ ବିକାଶ ଲାଗି ରେଳ ମନ୍ତ୍ରଣାଳୟ, କୋଇଲା ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ହାତ ମିଳାଇଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ନାଲ୍‌କୋ, ଇମ୍ଫା, ଟାଟା ଷ୍ଟିଲ୍‌ ଭଳି ଅତିକମ୍‌ରେ ୭୫ଟି ସଂସ୍ଥା ଲାଭବାନ ହୋଇଥାନ୍ତେ। ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପ ଲାଗି ୫୦୦୦ ଏକର ଜମି ଦରକାର ହେଉଥିବା ବେଳେ ଏହାକୁ ୨୩ ଓ ୪୨ ନମ୍ବର ଜାତୀୟ ରାଜପଥ ସହ ଯୋଡ଼ିବାର ଯୋଜନା ରହିଛି। ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଜମି ଅଧିଗ୍ରହଣ ହୋଇପାରୁନାହିଁ। ଏମସିଏଲ୍ ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ମଧ୍ୟରେ ମଧ୍ୟ ସମନ୍ବୟର ଅଭାବ ଏହି ପ୍ରକଳ୍ପ ବିଳମ୍ବ ହେବାର ଅନ୍ୟତମ କାରଣ କୁହାଯାଉଛି। ଏହି ପ୍ରକଳ୍ପରେ ‌ଅନେକ ପ୍ରବେଶ ଓ ପ୍ରସ୍ଥାନ ପଥ ବ୍ୟତୀତ ବିଭିନ୍ନ ଫାଏଓଭର୍ ମଧ୍ୟ ପ୍ରତିଷ୍ଠା କରାଯାଇଥାନ୍ତା। ପ୍ରକଳ୍ପ କାର୍ଯ୍ୟ ରହିଥିବା ପ୍ରତିବନ୍ଧକ ଦୂର କରିବାକୁ ‌କୋଇଲା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର