ରେଳ ଟିକଟ ବୁକିଙ୍ଗ୍‌ ପାଇଁ ଆଧାର ବାଧ୍ୟତାମୂଳକ ହେବ!

ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ ଅନ୍‌ଲାଇନ୍‌ରେ ରେଳ ଟିକଟ ବୁକିଂ କରିବା ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ହୋଇପାରେ। ନିକଟରେ ବଡ଼ ଧରଣର ଟିକଟ ଜାଲିଆତି ଘଟଣା ପଦାକୁ ଆସିବା ପରେ ରେଳବାଇର ଏକ କମିଟି ଏଥିପାଇଁ ସୁପାରିସ କରିଛି। ଉକ୍ତ ସୁପାରିସକୁ ରେଳ ବୋର୍ଡକୁ ପ୍ରଦାନ କରାଯାଇଛି। ରେଳ ବୋର୍ଡ ଯଦି ଉକ୍ତ ସୁପାରିସକୁ ଗ୍ରହଣ କରନ୍ତି ତା’ହେଲେ ଏହାକୁ କାର୍ଯ୍ୟକାରୀ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସୋମବାର ଦିଲ୍ଲୀସ୍ଥିତ ସେଣ୍ଟର ଫର୍‌ ଇନ୍‌ଫର୍ମେସନ ରେଲେଓ୍ଵ ସିଷ୍ଟମ୍‌ (କ୍ରିସ୍‌)ର ବରିଷ୍ଠ ଅଧିକାରୀମାନେ ମୁମ୍ବାଇରେ ପହଞ୍ଚି ରେଳ ଟିକଟ ଜାଲିଆତିର ମୁଖ୍ୟ କାର୍ପଟଦାର ବୋଲି କୁହାଯାଉଥିବା ସଲମନ୍‌ ଖାନ୍‌ ନାମକ ଯୁବକଙ୍କୁ ଜେରା କରିଛନ୍ତି।

ଖାନ୍‌କୁ ଜେରା ସମୟରେ ସେଣ୍ଟ୍ରାଲ ରେଲେଓ୍ଵ ଏବଂ ଆଇଆର୍‌ସିଟିସିର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଜେରା ପରେ କ୍ରିସ୍‌ ଏବଂ ଆଇଆର୍‌ସିଟିସିର ବୈଷୟିକ ବିଭାଗ ମୁଖ୍ୟ ଏକ ଯୁଗ୍ମ ରିପୋର୍ଟ ରେଳ ବୋର୍ଡକୁ ପ୍ରଦାନ କରିଛନ୍ତି। ର‍୍ୟାକେଟକୁ କିଭଳି ବନ୍ଦ କରାଯାଇ ପାରିବ ସେ ନେଇ ଅଭିଯୁକ୍ତ ଦେଇଥିବା ମତକୁ ମଧ୍ୟ ଏହି ରିପୋର୍ଟରେ ସ୍ଥାନିତ କରାଯାଇଛି। ଏହି ରିପୋର୍ଟକୁ ଆଇଆର୍‌ସିଟିସିର ଗ୍ରୁପ୍‌ ଜେନେରାଲ(ଆଇଟି) ମ୍ୟାନେଜର ସୁନୀଲ କୁମାର ଏବଂ କ୍ରିସ୍‌ର ଜେନେରାଲ ମ୍ୟାନେଜର (ପିଆର୍‌ଏସ୍‌) ବିନୋଦ ଭାଟିଆ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ଅନୁଯାୟୀ ଟିକଟ ବ୍ୟବସ୍ଥାରେ ନିରାପତ୍ତାରେ ଉନ୍ନତି ଆଣିବା ଲାଗି ଯାତ୍ରୀମାନଙ୍କୁ ୟୁଜରଆଇଡିକୁ ଆଧାର ସହିତ ସଂଯୋଗ କରିବା ଲାଗି ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର