ମହଙ୍ଗା ହେବ ରେଳଯାତ୍ରା: ଯାତ୍ରୀ ଗଣିବେ ‌ଷ୍ଟେସନ ବିକାଶ ଫି, ୧୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିବ ରେଳବାଇ

ନୂଆଦିଲ୍ଲୀ: ଦୂରଗାମୀ ଟ୍ରେନରେ ଯାତ୍ରା ମହଙ୍ଗା ହେବାକୁ ଯାଉଛି। ବିକଶିତ ହୋଇଥିବା ନୂଆ ଷ୍ଟେସନଗୁଡ଼ିକରେ ଟ୍ରେନ ଚଢ଼ିଲେ କିମ୍ବା ଓହ୍ଲାଇଲେ ଯାତ୍ରୀଙ୍କୁ ଷ୍ଟେସନ ବିକାଶ ଫି ଦେବାକୁ ହେବ। ରେଳବାଇ ପକ୍ଷରୁ ଉକ୍ତ ଶୁଳ୍କ ଲାଗୁ ସଂପର୍କରେ ଯୋଜନା କରାଯାଉଛି। ଉକ୍ତ ଶୁଳ୍କ ବିଭିନ୍ନ ‌‌ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ ରହିବ। ୧୦ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଯାତ୍ରୀମାନେ ଦେବେ। ଅଧିକାରୀଙ୍କ କହିବାନୁଯାୟୀ, ଉକ୍ତ ଫିକୁ ଟ୍ରେନ ଟିକଟ ବୁକିଂ ସମୟରେ ଆଦାୟ କରାଯିବା ସମ୍ଭାବନା ରହିଛି। ପୁନଃବିକଶିତ ଷ୍ଟେସନଗୁଡ଼ିକ କାର୍ଯ୍ୟକ୍ଷମ ହେବାପରେ ସଂପୃକ୍ତ ଷ୍ଟେସନ ପାଇଁ ଉକ୍ତ ଫି ଲାଗୁ ହେବ।

ଶୀତତାପ ବା ଏସି ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ୫୦ ଟଙ୍କା, ସ୍ଲିପର ଶ୍ରେଣୀର ଯାତ୍ରୀଙ୍କ ଠାରୁ ୨୫ ଟଙ୍କା ଏବଂ ଅସଂରକ୍ଷିତ ଶ୍ରେଣୀର ଯାତ୍ରୀଙ୍କ ଠାରୁ ୧୦ ଟଙ୍କା ଆଦାୟ କରାଯିବ। ତେବେ ସବଅର୍ବାନ ଟ୍ରେନ ଯାତ୍ରା କ୍ଷେତ୍ରରେ ଏ ବାବଦରେ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ରେଳବୋର୍ଡ ପକ୍ଷରୁ ଜାରି ଏକ ସର୍କୁଲାରରେ କୁହାଯାଇଛି। ଏଥିସହିତ ଏସବୁ ଷ୍ଟେସନରେ ପ୍ଲାଟଫର୍ମ ଟିକଟ ୧୦ ଟଙ୍କା ଲେଖାଏଁ ବଢ଼ିଯିବ। ଏସବୁ ଷ୍ଟେସନରେ ଟ୍ରେନରେ ଚଢ଼ୁଥିବା ଏବଂ ଓହ୍ଲାଉଥିବା ଯାତ୍ରୀଙ୍କ ଠାରୁ ଷ୍ଟେସନ ବିକାଶ ଫି ଆଦାୟ କରାଯିବ। ନୂଆ ରୂପ ନେଇଥିବା ଷ୍ଟେସନଗୁଡ଼ିକରେ ଟ୍ରେନରୁ ଓହ୍ଲାଉଥିବା ଯାତ୍ରୀଙ୍କ ଠାରୁ ୫୦ ପ୍ରତିଶତ ଶୁଳ୍କ ଆଦାୟ ହେବ। ଯଦି ଯାତ୍ରୀ ଉଭୟ ଟ୍ରେନ ଚଢ଼ୁଛନ୍ତି ଓ ଓହ୍ଲାଉଛନ୍ତି ତାହେଲେ ସେମାନଙ୍କୁ ପ୍ରଯୁଜ୍ୟ ଶୁଳ୍କର ଦେଢ଼ ଗୁଣା ଦେବାକୁ ହେବ ବୋଲି ସର୍କୁଲାରରେ କୁହାଯାଇଛି। ତେବେ ସବୁ ବିକଶିତ ଷ୍ଟେସନଗୁଡ଼ିକ ପାଇଁ ଗୋଟିଏ ହାରରେ ଶୁଳ୍କ ଆଦାୟ ହେବ। ଜିଏସ୍‌ଟି ସହିତ ଏହା ଆଦାୟ କରାଯିବ। ଅଧିକାରୀଙ୍କ କହିବାନୁଯାୟୀ, ଏହି ପଦକ୍ଷେପ ଦ୍ବାରା ରେଳବାଇକୁ ନିରନ୍ତରଭାବେ ରାଜସ୍ବ ଆସିବ ଏବଂ ଘରୋଇ ସଂସ୍ଥାଗୁଡ଼ିକ ମଧ୍ୟ ଷ୍ଟେସନ ବିକାଶ ପାଇଁ ଆକୃଷ୍ଟ ହେବେ।

ସମ୍ବନ୍ଧିତ ଖବର